ଲକ୍ଷ୍ମୀଧର ନାୟକଙ୍କ ବିଚାର : କନ୍ଦରାପୋଡାରୁ କେନ୍ଦ୍ରାପଡା !

କେଶବଧୃତ ହଳଧର ରୂପ
ଜୟ ଜଗଦୀଶ ହରେ ।

ଶ୍ରାବଣ ପୂର୍ଣ୍ଣିମା ହଳଧରଙ୍କ ଜନ୍ମ ଦିନ । ବଳଦେବଙ୍କୁ ସେଦିନ Happy Birthday କହିବାକୁ ଭୁଲିବେନି ।

ବଳଦେବ ଦୁଷ୍ଟ ଦଳନକାରୀ, ସେଥିପାଇଁ ଗୋଟିଏ ହାତରେ ମୂଷଳ ଧରି ଥାଆନ୍ତି । ସେ କୃଷି ଉତ୍କର୍ଷକାରୀ, ସେଥିପାଇଁ ଅନ୍ଯ ହାତରେ ଲଙ୍ଗଳ ଧରି ଥାଆନ୍ତି । ସେ ଥରେ ତୀର୍ଥାଟନରେ ଓଡିଶା ଆସିଥିଲେ । ଅବଶ୍ଯ ସେତେବେଳେ ଓଡିଶାର ନାଁ ହୁଏତ ଓଡିଶା ନଥିବ, ଆଉ କ’ଣ ହୋଇଥିବ । ବୈତରଣୀରେ ସ୍ନାନ କରିଥିଲେ । ଲୋକେ ତାଙ୍କୁ କହିଲେ ଅଳତିଗିରି ( ଲଳିତଗିରି ନୁହେଁ ତ ? )ରେ କନ୍ଦରା ନାମକ ଜଣେ ରାଜା ଦାଦାଗିରି କରୁଛି, ଭାରି ଉତ୍ପାତ କରୁଛି । ସାଧାରଣ ଲୋକ ତା ଉତ୍ପାତରେ ଅତିଷ୍ଠ । ତାକୁ ଆପଣ ହିଁ ସାବାଡ କରିପାରିବେ ।

ବଳରାମ କନ୍ଦରାକୁ ଖୋଜିଲେ, ତା ସହ ଘୋର ଲଢେଇ ହେଲା । କନ୍ଦରାସୁର ନିହତ ହେଲା । ( ଯିଏ ଆସୁରୀକ କାର୍ଯ୍ଯ କରୁଥିଲା ତାକୁ ଅସୁର କୁହାଯାଉଥିଲା, ତେଣୁ କନ୍ଦରାକୁ କନ୍ଦରାସୁର କୁହାଯାଉଥିଲା ) । ମୃତ୍ଯୁ ଆସନ୍ନ ଦେଖି କନ୍ଦରା ବଳରାମଙ୍କୁ ଅନୁରୋଧ କଲା – ହେ ଈଶ୍ୱରଙ୍କ ଅଷ୍ଟମ ଅବତାର ରୋହୀଣୀ ନନ୍ଦନ ବଳରାମ, ମୋର ଏକମାତ୍ର କନ୍ଯା ତୁଳସୀ । ମୁଁ ସିନା ପରିସ୍ଥିତିରେ ପଡି ଅବାଟକୁ ଚାଲିଯାଇଥିଲି, ଅନ୍ଯାୟ କୁକର୍ମ କରୁଥିଲି, ହେଲେ ମୋ ବଂଶ ପରିବାର ସରଳ, ମୋର କନ୍ଯା ନ୍ଯାୟ ପରାୟଣା, ସୁଶୀଳା, ଗୁଣବତୀ, ସୁନ୍ଦରୀ । ସେ ହିଁ ମୋର ବଂଶ ରକ୍ଷା କରିବ, ମୋର ଇଚ୍ଛା ଆପଣ ମୋର କନ୍ଯାର ପାଣି ଗ୍ରହଣ କରିବେ, ମୋ ବଂଶକୁ କାଳ କାଳକୁ ଯଶସ୍ୱୀ କରିବେ ।

ବଳରାମ ସମ୍ମତି ଦେଲେ ଏବଂ କହିଲେ, ଏ କ୍ଷେତ୍ର ତୁଳସୀଙ୍କ ନାମରେ ନାମିତ ହୋଇ କାଳ କାଳକୁ ତୁଳସୀ କ୍ଷେତ୍ର ନାମରେ ପ୍ରସିଦ୍ଧ ହେବ । ଭୋଳା ବଳରାମ କରୁଣା କଲେ । କନ୍ଦରାର କନ୍ଯା ତୁଳସୀଙ୍କ ବିବାହ କରିଥିଲେ । ବଳରାମ ଓ ତୁଳସୀଂକ ଔରସରୁ କନ୍ଯା ସନ୍ତାନଟିଏ ଜାତ ହୋଇଥିଲା, ତା’ର ନାମ ସୁଲେଖା ।

କନ୍ଦରା ନିହତ ହେଲାପରେ ପ୍ରଭୁ ବଳରାମ କନ୍ଦରାର ପାର୍ଥୀବ ଶରୀରର ସଂସ୍କାର ଉପଯୁକ୍ତ ମର୍ଯ୍ଯାଦାର ସହ ସମ୍ପନ୍ନ କରିଥିଲେ । ଯେଉଁଠାରେ କନ୍ଦରାର ଶରୀରକୁ ପୋଡା ଯାଇଥିଲା, ତାହା ଜନ ମାନସରେ କନ୍ଦରା ପୋଡା ପଡିଆ ବୋଲି ସ୍ମୃତିବଦ୍ଧ ହୋଇ ରହିଲା । କାଳକ୍ରମେ ଉଚ୍ଚାରଣ ବକ୍ରତାରେ କନ୍ଦରା ପୋଡ଼ା, ପରେ କେନ୍ଦ୍ରାପଡା ହେଲା ।

ବହୁକାଳ ଅତିକ୍ରାନ୍ତ ହୋଇଗଲା । ଏ କଥା କେବଳ ଲୋକଙ୍କ ସ୍ମୃତିରେ ରହିଗଲା । ଏ କ୍ଷେତ୍ରକୁ ପ୍ରସିଦ୍ଧି ଦେଲେ କେଦ୍ରାପଡା ଅଞ୍ଚଳର ସିଦ୍ଧ ଦାସ ନାମକ ଜଣେ ଗୋପାଳ । ସେ ସେଠାରେ ଥିବା ଏକ ବିରାଟ ନିଘଞ୍ଚ ତୁଳସୀ ଗଛ ଶୋଭିତ ପଡିଆରେ ବଳଦେବ ଓ ତୁଳସୀଙ୍କ ମୂର୍ତ୍ତୀ ସ୍ଥାପନା କରି ପୂଜା ଅର୍ଚନା ଆରମ୍ଭ କଲେ । ସିଦ୍ଧ ଦାସଙ୍କ ଦ୍ଵାରା ପୂଜିତ ହେଉଥିବାରୁ ବଳଦେବ କାଳ କ୍ରମେ ଲୋକ ମୁଖରେ ସିଦ୍ଧ ବଳରାମ ନାମରେ କଥିତ ହେଲେ ।

ଅନେକ ଦିନ ଉତ୍ତାରେ ସ୍ୱପ୍ନେଶ୍ୱର ମହାପାତ୍ର ନାମକ ଜଣେ ବ୍ରାହ୍ମଣ ସେଠାରେ ଏକ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ କରି, ମନ୍ଦିର ନିର୍ମାଣ ଦାୟିତ୍ୱର ନେତୃତ୍ୱ ନେଲେ । କହିଲେ ଏଠାରେ ଏକ ମନ୍ଦିର ନିର୍ମାଣ କରିବାକୁ ସିଦ୍ଧ ବଳରାମ ମୋତେ ସ୍ୱପ୍ନାଦେଶ କରିଛନ୍ତି । ସେପରି ସ୍ୱପ୍ନାଦେଶ ହୋଇଥାଏ । ବିଜ୍ଞାନ ଏହାକୁ ଅବାସ୍ତବ କହୁ କି ମତିଭ୍ରମ । ସ୍ୱପ୍ନେଶ୍ୱର ମହାପାତ୍ରଂକ ପ୍ରଚେଷ୍ଟାରେ ସେଠାରେ ସିଦ୍ଧ ବଳଦେବଙ୍କର ପ୍ରଥମ ମନ୍ଦିର ତୋଳା ହେଲା । କେନ୍ଦ୍ରାପଡା ସିଦ୍ଧ ବଳଦେବ ଜୀଉ ଭୂବନ ବିଦିତ ହେଲେ । କୌଣସି ଏକ ସମୟରେ ଅତିବଡୀ ଜଗନ୍ନାଥ ଦାସ ଏହି ମନ୍ଦିରରେ ପ୍ରଭୁ ଜଗନ୍ନାଥଂକ ମୂର୍ତ୍ତୀ ପ୍ରତିଷ୍ଠା ସହ ତୁଳସୀଙ୍କ ବଦଳରେ ସୁଭଦ୍ରା ମୂର୍ତ୍ତୀ ସ୍ଥାପନ କରାଇଥିଲେ ।

ଶ୍ରୀ ବଳଦେବ ସହସ୍ରନାମରେ କୁହାଯାଇଛି –

‘‘ଧ୍ଯାୟେ ବ୍ରହ୍ମାଣ୍ଡନାଥ ଶୁଭ୍ର ଧବଳ ତନୁ ରତ୍ନସିଂହାସନସ୍ଥଂ
ବାମେ ଭଦ୍ରଦାତ୍ରୀ ରୁଚିରୁଚିରତରା ଭାଗ୍ଯଦାତ୍ରୀ ସୁଭଦ୍ରା
ତଦ୍ ବାମେ ଜଗନ୍ନାଥ ନୀଳ ନୀରଦ ତନୁ ଶଙ୍ଖ ଶୋଭିତ ପାଣୌ ତୁଳସୀ, ରେବତୀ ଦ୍ୱେ ଚିରବତୁ ମଣି ବିଗ୍ରହଂ ନମାମି ।।’’

ଏ କନ୍ଦରା ( KANDARA ) ଶବ୍ଦରୁ ଆଉ ଗୋଟାଏ କଥା ମନକୁ ଆସୁଛି । କେନ୍ଦ୍ରାପଡା, ଯାଜପୁର ଅଂଚଳରେ କଣ୍ଡରା ନାମରେ ଏକ ଜାତି ଦେଖିବାକୁ ମିଳନ୍ତି । ସେମାନଂକୁ ସାମାଜିକ ବ୍ଯବସ୍ଥାରେ ଅଛୁତ୍ ଏବଂ ସରକାରୀ ବ୍ଯବସ୍ଥାରେ ଅନୁସୂଚୀତ ଜାତି ତାଲିକାରେ ସ୍ଥାନୀତ କରାଯାଇଛି ।

ମୋ ମନରେ ଯେଉଁ ପ୍ରଶ୍ନଟି ଉଙ୍କି ମାରୁଛି ତାହା ହେଲା – ଏ କଣ୍ଡରା ବା କନ୍ଦରା ଜାତି ସେ କନ୍ଦରା ରାଜା ବା କନ୍ଦରାସୁରର ବଂଶ ବିରାଦରୀ ନୁହନ୍ତି ତ ?
କନ୍ଦରାର ଦୁଷ୍କର୍ମର ଦଣ୍ଡ ସ୍ୱରୁପ ଯେଉଁମାନଂକୁ ସେତେବେଳେ ନିଆଁ ପାଣି, ଚୁଳକଟା, ଶୌଚ, ପୂଜାପାଠ, କ୍ରୀୟା କର୍ମାଣି ଇତ୍ଯାଦି ସାମାଜିକ ବାସନ୍ଦ କରାଯାଇଥିବ, ଫଳରେ ସେମାନେ ଅଛୁତ୍ ଆଖ୍ଯା ପାଇ ଯାଇଥିବେ !

ସେ ଯାହାହେଉ ଶ୍ରାବଣ ପୂର୍ଣ୍ଣିମା ଦିନ ବଡ ଭାଇ ପ୍ରଭୁ ବଳରାମଂକ ଜନ୍ମଦିନ, ସେଦିନ ସବୁ ସୁଭଦ୍ରା ଭଉଣୀମାନେ ଭାଇମାନଂକୁ ପ୍ରଭୁ ବଳରାମଂକ ପ୍ରତିନିଧି ଜ୍ଞାନରେ ରାକ୍ଷୀ ବାନ୍ଧିବେ, ପ୍ରଭୁ ବଳରାମଂକ କୃପା ଓ ପ୍ରେରଣାରେ ସେମାନେ ସଂସାରର ସବୁ ଭଉଣୀମାନଂକୁ ଦୁଷ୍ଟ ଜନଂକ ଦାଉରୁ ରକ୍ଷା କରିବେ । ନାରୀମାନେ ତ ସୁଭଦ୍ରା, ସେମାନେ ରାକ୍ଷୀ ବାନ୍ଧିବେ, ପୁଅ ପିଲାମାନେ ସେଦିନ ବଳରାମଂକୁ ବଡଭାଇ ଜ୍ଞାନରେ ନିଶ୍ଚୟ Happy Birthday କହିବେ । ଭୁଲିବେ ନାହିଁ ।

 

ଲକ୍ଷ୍ମୀଧର ନାୟକ

ସମ୍ପାଦକ ସ୍ବାଧିନ, ସୁଲେଖା
ଭୁବନେଶ୍ବର

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.