ଆରବି ନାଳ କେନାଲର ପାଣି କେବେ ପଂହଚିବ ଚାଷଜମିକୁ ?
ରାୟଗଡ,୩୦/୭: ଶେଷ ହେଲାଣି ଶ୍ରାବଣ ମାସ । ହେଲେ ମୈାସୁମୀର ଲୁଚକାଳିରେ ଚାଷିଙ୍କ ଆଖିରୁ ଲୁହ ଝରୁଛି । କେନାଲ ଅଛି ହେଲେ ପାଣି ନାହିଁ । ଫଳରେ ଶୁଖିଲା ପଡିଛି ଏକର ଏକର ଚାଷ ଜମି । ସମ୍ଭାବ୍ୟ ବୃଷ୍ଟିପାତ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ହେଉ ନ ଥିବାରୁ ରାୟଗଡ ଜିଲ୍ଳାର କୋଲନରା ବ୍ଳକ ସୁରୀ ପଂଚାୟତ ସହ ଅନେକ ପଂଚାୟତରେ ମରୁଡି ଭଳି ପରିସ୍ଥିତି ଦେଖା ଦେବାକୁ ଲାଗିଲାଣି । ଚାଷୀଙ୍କ ଜମିକୁ ଜଳ ସେଚିତ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ରାୟଗଡ ଜିଲ୍ଳାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । କୋଲନରା ବ୍ଳକରେ କ୍ଷୁଦ୍ର ଜଳ ସେଚନ ବିଭାଜନ, ରାୟଗଡର ଆରବି ନାଳ ଏକ ବଡ ପ୍ରକଳ୍ପ ରହିଛି । ଲକ୍ଷାଧିକ ଟଙ୍କାରେ ନିର୍ମାଣଧୀନ କେନାଲ ରହିଛି ହେଲେ ପ୍ରବାହିତ ହେଉନି ପାଣି । ଯେଉଁ ନାଳ ପାଣି ପ୍ରବାହିତ ହେଉଛି ତାହା ନାଳରେ ହିଁ ଯାଉଛି କିନ୍ତୁ କେନାଲ ଚଟାଣକୁ ଛୁଇଁ ପାରୁନି ।
ଆରବି ନାଳର ଡାହାଣ ମୁଖ୍ୟ କେନାଲରେ ୨ଟି ଶାଖା ଓ ବାମ ମୁଖ୍ୟ କେନାଲରେ ୪ଟି ଶାଖା କେନାଲ ରହିଛି । ଏହି ଆରବି ନାଳ ପ୍ରକଳ୍ପ ଦ୍ୱାରା ଅଂଚଳର ୮୫୦ ହେକ୍ଟର ଚାଷ ଜମିକୁ ଜଳ ସେଚିତ କରିବା ପାଇଁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ କେନାଲ ଥାଇ ମଧ୍ୟ ଦୀର୍ଘ ବର୍ଷ ଧରି ଚାଷଜମିକୁ ଜଳ ସେଚିତ ହେଉ ନ ଥିବା ଅଭିଯୋଗ କରିଛନ୍ତି ଅଂଚଳର ଚାଷୀଭାଇମାନେ । କେବଳ ବର୍ଷା ଉପରେ ହିଁ ନିର୍ଭର କରୁଛନ୍ତି ଏ ଅଂଚଳର ଚାଷୀକୂଳ । ତେବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଡ୍ୟାମ ଓ କେନାଲ ମରାମତି ନାମରେ ଠିକା ସଂସ୍ଥାକୁ ବଂଚେଇ ରଖି ଚାଷୀଙ୍କୁ ଦୁଃଖରେ ପକାଇବା ଜଳ ସଂପଦ ବିଭାଗର ଏପରି କାର୍ଯ୍ୟକୁ ଚାଷୀମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି ।
ବିଭାଗୀୟ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ କ୍ରିଟିକାଲ ଗ୍ରାଂଟ ଅନୁଦାନରେ ୭୩ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ୧୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତି ନେଇ ବିଭାଗୀୟ ତରଫରୁ ବିଲ କରାଯାଇଛି । ସେହିପରି ଇଆରଏମ ଗ୍ରାଂଟରେ ମଧ୍ୟ ୪୮ଲକ୍ଷ ୮୬ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏଥିରୁ ମଧ୍ୟ ୬ଲକ୍ଷ ଟଙ୍କା କାର୍ଯ୍ୟ ଖର୍ଚ୍ଚ କରାଯାଇ ବିଲ୍ ହୋଇଛି ବୋଲି ଜଣାପଡିଛି । ଏହି ଆରବି ନାଳ ପ୍ରକଳ୍ପର ଡାହାଣ ପାଶ୍ୱର୍ ମୁଖ୍ୟ କେନାଲ ଡୁକୁଲଗୁଡା ଶାଖାରୁ ବଡ ପଦିଆ, ମୁନିସିଂ, କୁମୁଗୁଡା, ମାଉଡିଗୁଡା ମାଇନର କେନାଲ ଦ୍ୱାରା ଚାଷଜମିକୁ ଜଳ ସେଚିତ କରିବା ଲକ୍ଷ୍ୟ ରହିଥିବା ବେଳେ ବାମପାଶ୍ୱର୍ ମୁଖ୍ୟ କେନାଲ ଯୋଗେ କାଳିଆଗୁଡା, ଲାକଟିଗୁଡା, ସୁରୀ, ଖମାସିଂ ମାଇନର କେନାଲ ଯୋଗେ ଜଳ ସେଚନ ପାଇଁ ବିଭାଗ ଲକ୍ଷ୍ୟ ରଖିଥିଲା ।ତେବେ କେନାଲ ଗୁଡିକର ନିମ୍ନମାନର ମରାମତି କାର୍ଯ୍ୟ ଯୋଗୁଁ କେନାଲ ପାଚେରୀଗୁଡିକ ଭାଙ୍ଗିରୁଜି ପଡିଥିବା ବେଳେ ଶାଖା କେନାଲଗୁଡିକ ଅନାବନା ଗଛଲତାରେ ଓ ମାଟିରେ ପୋତି ହୋଇଗଲାଣି । କେବଳ ଡକୁଲଗୁଡା ମୁଖ୍ୟ କେନାଲ ଯୋଗେ ଆଂଶିକ ମାତ୍ରାରେ ୩୦ପ୍ରତିଶତ ଚାଷ ଜମିରେ ଚାଷିମାନେ ରୁଆ ଓ ବୁଣା କାର୍ଯ୍ୟ ସାରିଥିବା ବେଳେ ବାମପାଶ୍ୱର୍ କେନାଲରେ ପାଣି ନ ଥିବା ଯୋଗୁଁ ଏସବୁ ଅଂଚଳରେ ଥିବା ଚାଷ ଜମିଗୁଡିକ ଶୁଖିଲା ପଡିଛି ।
ମହାମାରୀ କରୋନା ବିପତି ସମୟରେ ସରକାରଙ୍କ ଲକଡାଉନ ଘୋଷଣା ତା ସହିତ କେନାଲରେ ପାଣି ନ ପଂହଚିବା ଏବଂ ମୈାସୁମୀର ଲୁଚକାଳିରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀକୂଳ । ଆରବି ନାଳ ଡ୍ୟାମରେ ମଧ୍ୟ ମାଟି ପୋତି ହୋଇଯାଇଥିବା ଯୋଗୁଁ ପାଣି ସଂରକ୍ଷିତ ହେଉ ପାରୁ ନ ଥିବା ବେଳେ ଆଉଟଲେଟ୍ ମଧ୍ୟ ୧ଫୁଟ ଉଚ୍ଚରେ ଥିବାରୁ କେନାଲ ମୁହଁକୁ ପାଣି ପଂହଚିପାରୁନି । ଅପରପକ୍ଷେ ଚଳିତ ମାସରେ କୋଲନରା ବ୍ଳକରେ ବର୍ଷା ପରିମାଣ ମଧ୍ୟ ବହୁତ କମ ରହିଛି । ଜୁଲାଇ ମାସ ୨୯ତାରିଖ ସୁଦ୍ଧା ମାତ୍ର ୨୫୩.୮୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ । ଲକଡାଉନ ଯୋଗୁଁ ବହୁ ପ୍ରବାସୀମାନେ ଘରକୁ ଫେରି କାମଧନ୍ଦା ନ ପାଇ ଚାଷ କରିବା ପାଇଁ ସଜାଗ ହେଉଥିବା ବେଳେ କେନାଲର ଦୂରବସ୍ଥା ଦେଖି ପୁଣି ଦାଦନ ଖଟିବାକୁ ମୁହାଁଉଥିବା ଜଣାପଡୁଛି । ଆରବି ନାଳ ପ୍ରକଳ୍ପରୁ ଚାଷ ଜମିକୁ ପାଣି ପଂହଚୁ ନ ଥିବା ଅଭିଯୋଗ ନେଇ ଅଂଚଳବାସୀ ସ୍ଥାନୀୟ ପ୍ରଶାସନ ଠାରୁ ଜିଲ୍ଳା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁ ନ ଥିବା ରମେଶଚନ୍ଦ୍ର ମିଶ୍ର, ହୁଇକା ସତ୍ୟମ, ଟି.ଗୋବିନ୍ଦ ରାଓ, ଏସ.ଶଙ୍କର, ବାପି ମିଶ୍ର ପ୍ରମୁଖ ସ୍ଥାନୀୟ ଅଂଚଳର ଚାଷୀମାନେ ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in