ରାୟଗଡ,(ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲାରେ ରାୟଗଡ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ, ଆକ୍ସନଏଡ ଓ ୟୁଏନଏଫପିଏଙ୍କ ମିଳିତ ସଂଯୋଜନାରେ ଜିଲ୍ଲାପାଳ ମହୋଦୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରେ ବାଲ୍ୟ ବିବାହ ଘଟଣାଗୁଡିକୁ ରୋକିବା ପାଇଁ ଏବଂ ଶିଶୁ, କିଶୋର ଓ କିଶୋରୀଙ୍କ ସୁରକ୍ଷା ପାଇଁ ଆଦ୍ଵିକା ନାମରେ ଏକ ସ୍ଵତନ୍ତ୍ର ଅଭିଯାନ ଜାନୁୟାରୀ ମାସ ଠାରୁ ଆରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଶନିବାର ଦିନ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ୧୦ ରୁ ୧୯ ବର୍ଷର ସମସ୍ତ କିଶୋରୀ ମାନଙ୍କୁ ସାମିଲ କରି ପୁଷ୍ଟି, ରକ୍ତହୀନତା, ଜୀବନ କୌଶଳ, ଶିଶୁ ସୁରକ୍ଷା, ଲିଙ୍ଗଗତ ଭେଦଭାବ, ଲିଙ୍ଗଭିତ୍ତିକ ହିଂସା, ଯୌନ ସ୍ୱାସ୍ଥ୍ୟ, ଆର୍ଥିକ ସାକ୍ଷରତା, ଶିକ୍ଷା ଓ ଦକ୍ଷତା ବିକାଶ ଭଳି ବିଷୟ ଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ପ୍ରକାଶ ଥାଉକି ଯେ, ରାଜ୍ୟ ସରକାରଙ୍କ ତରଫରୁ ଆଦ୍ଵିକା ନାମରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜାନୁୟାରୀ ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଏକ କିଶୋରୀ କାଲେଣ୍ଡର ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ମାସ ପାଇଁ ଏକ ନିର୍ଦ୍ଧିଷ୍ଟ ବିଷୟ ବସ୍ତୁ ସ୍ଥିର କରାଯାଇଛି। ଜାନୁୟାରୀ ମାସ ପାଇଁ ପୋଷଣ ଓ ରକ୍ତହୀନତା ବିଷୟକୁ ସ୍ଥିର କରାଯାଇଛି।

ଏହି କାର୍ଯ୍ୟଖସଡାକୁ ଆଧାର କରି ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କିଶୋର, କିଶୋରୀ, ଶିଶୁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଜାତି ସମାଜର ମୁଖ୍ୟ ମାନଙ୍କୁ ନେଇ ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି। ସପ୍ତାହର ପ୍ରତି ଶନିବାର ଦିନ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ କିଶୋରୀ ବାଳିକା ମାନଙ୍କୁ ଆଇଏଫଏ ଟାବଲେଟ ବଣ୍ଟନ କରିବା, ବାଳିକା ମଣ୍ଡଳର ବୈଠକରେ କିଶୋରୀ ସ୍ୱାସ୍ଥ୍ୟ, ସ୍କୁଲ ଖୋଲିଲେ ନିୟମିତ ବିଦ୍ୟାଳୟ ଯାଇ ପାଠ ପଢିବା, କିଶୋରୀ ମାନଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ରହିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବାଲ୍ୟ ବିବାହର କୁ-ପରିଣାମ ବିଷୟରେ ନିୟମିତ ଆଲୋଚନା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତଦାରଖ କ୍ରମେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ସୁପରଭାଇଜର ମାନଙ୍କ ସହାୟତାରେ ଅଙ୍ଗନୱାଡି କର୍ମୀ ମାନେ ନିଜ ଅଞ୍ଚଳର କିଶୋରୀମାନଙ୍କୁ ନେଇ କିଶୋରୀ ବାଳିକା ମଣ୍ଡଳର ନିୟମିତ ବୈଠକ, କିଶୋରୀ ବାଳିକା ମାନଙ୍କୁ ଆଇଏଫଏ ଟାବଲେଟ ବଣ୍ଟନ ଓ ନିଜ ଉପସ୍ଥିତିରେ ଖାଇବା ପାଇଁ ଉତ୍ସାହିତ କରିବା, କୋଭିଡ ବିଷୟରେ ସଚେତନତା ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମମାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଜିଲ୍ଲା ସ୍ତରରେ ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ନିରଞ୍ଜନ ମଲ୍ଲିକ, ମମତା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ମହାପାତ୍ର, ପୁଷ୍ଟି କାର୍ଯ୍ୟକ୍ରମର ଜିଲ୍ଲା ପରିଚାଳିକା ସ୍ନେହଲତା ପାଢୀ, ବାଲ୍ୟ ବିବାହ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ, ସମାଜ ମଙ୍ଗଳ ବିଭାଗର ଗାୟତ୍ରୀ ମିଶ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସତ୍ୟପ୍ରିୟା ପ୍ରଧାନ ପ୍ରମୁଖ ତଦାରଖ କରୁଛନ୍ତି।





