ୱେବ୍‌ସାଇଟ୍ parameswarmund.in ଲୋକାର୍ପିତ

କଳାହାଣ୍ଡି (କ୍ଷମାନିଧି ମହାକୁଡ଼): ବିଶିଷ୍ଟ ଲୋକସଂସ୍କୃତି ଗବେଷକ, ନାଟ୍ୟକାର, ନିର୍ଦ୍ଦେଶକ, ଭାଷାବିତ୍‌, କବି, ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କ ପୋର୍ଟଫୋଲିଓ ୱେବ୍‌ସାଇଟ୍ ପରମେଶ୍ୱରମୁଣ୍ଡ.ଇନ୍ (www.parameswarmund.in) ଲୋକାର୍ପିତ ହୋଇଯାଇଛି । ଭବାନୀପାଟଣା ହିଲ୍‌ଟାଉନ୍‌ରେ ଏକ ନିରାଡମ୍ବର ସମାରୋହରେ ଏହା ଲୋକାର୍ପିତ ହୋଇଥିଲା । ଏଥିରେ ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ଡିଲେଶ୍ୱର ରଣା, ଜିତେନ୍ଦ୍ର କୁମାର ସାହୁ, ଦୟା ସିଂ ମାଝୀ, ସୁଧାଂଶୁ ଶେଖର ପଣ୍ଡା, ଶ୍ରୀ ମୁଣ୍ଡଙ୍କ ଧର୍ମପତ୍ନୀ ସନ୍ଧ୍ୟା ମୁଣ୍ଡ, ପୁତ୍ର ଏକାନ୍ତ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ମୁଣ୍ଡ ଏକାଧାରରେ କବିତା ଓ ନାଟକ ରଚନା, ନିର୍ଦ୍ଦେଶନା ସହ ଆଦିବାସୀ ଲୋକସଂସ୍କୃତି ତଥା ଓଡ଼ିଆ ଓ ଆଞ୍ଚଳିକ ଭାଷା ଉପରେ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିସାରିଛନ୍ତି । ତାଙ୍କର ୨୦ରୁ ଉର୍ଦ୍ଧ୍ୱ ନାଟକ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇ ଅଜସ୍ର ଲୋକପ୍ରିୟତା ହାସଲ କରିଥିବା ବେଳେ ଆକାଶବାଣୀ ଓ ଦୂରଦର୍ଶନରୁ ଜାତୀୟ ସ୍ତରର ପୁରସ୍କାର ପାଇଛି । ଏକଦା ଆକାଶବାଣୀରେ ଉଦ୍‌ଘୋଷକ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମୁଣ୍ଡଙ୍କର ଆର୍‌କାଇଭ୍ ମୂଲ୍ୟ ଥିବା ଦୁଇଟି ଧାରାବାହିକ ଆକାଶବାଣୀରୁ ପ୍ରସାରିତ ହୋଇଥିବା ବେଳେ ଦୂରଦର୍ଶନରେ ପଚାଶରୁ ଉର୍ଦ୍ଧ୍ୱ ବୃତ୍ତଚିତ୍ର ପ୍ରସାରିତ ହୋଇଛି । ତାଙ୍କ ନାଟକମାନଙ୍କରେ ଆଦିବାସୀ ଜନଜୀବନର ସମସ୍ୟା ତଥା ସାଂପ୍ରତିକ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ସ୍ଥାନୀତ ହୋଇଥାଏ । ୧୯୯୯ରେ ତାଙ୍କର ପ୍ରଥମ କବିତା ସଂକଳନ ‘ସନ୍ଧିବିଚ୍ଛେଦ’ ପ୍ରକାଶ ପାଇଥିବା ବେଳେ ତାଙ୍କ ରଚିତ ଓ ସମ୍ପାଦିତ ଅନେକ ପୁସ୍ତକ ପ୍ରକାଶିତ ହୋଇସାରିଛି । ନିକଟ ଭବିଷ୍ୟତରେ ତାଙ୍କର ‘କଳାହାଣ୍ଡିଆ ଶବ୍ଦକୋଷ’ ପ୍ରକାଶ ପାଇବାକୁ ଯାଉଥିବା ବେଳେ ବର୍ତ୍ତମାନ ସେ ‘ପଶ୍ଚିମ ଓଡ଼ିଶା ଏନ୍‌ସାଇକ୍ଲୋପିଡିଆ’ ପ୍ରସ୍ତୁତିରେ ସାଧନାରତ । ୱେବ୍‌ସାଇଟ୍‌ରେ ଶ୍ରୀ ମୁଣ୍ଡଙ୍କ କୃତି ସମ୍ପର୍କରେ ତଥ୍ୟ ରହିଥିବା ବେଳେ ଆଗକୁ ଅନ୍ୟାନ୍ୟ ବିବରଣୀ ଯୋଗ କରାଯିବ ବୋଲି ୱେବସାଇଟ୍ ଡେଭଲପର୍ ‘କୋଡ୍‌କେନନ୍‌’ ପକ୍ଷରୁ ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.