ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତରିତ ପ୍ରସଙ୍ଗ: ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ

ଲାଞ୍ଜିଗଡ, (ଦୁଃଖିଶ୍ୟାମ ନାଗ): ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ସ୍ଥିତ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟ ଅନ୍ୟ ଗ୍ରାମ ହରେକୃଷ୍ଣପୁରକୁ ସ୍ଥାନାନ୍ତରିତ କରାଯିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଏନେଇ ରଘୁନାଥପୁର ଗ୍ରାମବାସୀ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି। ୧୯୭୯ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଳୋକର ବର୍ତ୍ତିକା ସାଜିଥିଲା। ପ୍ରଥମେ ଏହି ସ୍କୁଲରେ ଦୁଇ ଜଣ ଶିକ୍ଷକ ଓ ୩୫ ଜଣ ଛାତ୍ରଛାତ୍ରୀକୁ ନେଇ ପାଠପଢା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଜଣେ ଶିକ୍ଷକ ଓ ୨୪ ଜଣ ପିଲା ପଢୁଥିବା ଗାଁ ଲୋକେ କହିଛନ୍ତି। ସରକାରଙ୍କ ନୂତନ ଗାଇଡ଼ ଲାଇନ ଅନୁସାରେ ଯଦି ୧ କିଲୋମିଟର ପରିସରରେ ଯଦି ଦୁଇଟି ସ୍କୁଲ ଥାଏ ଓ ଯେଉଁ ସ୍କୁଲରେ ୨୫ ରୁ କମ ଛାତ୍ରଛାତ୍ରୀ ପାଠ ପଢୁଥିବେ ସେହି ସ୍କୁଲଙ୍କୁ ବନ୍ଦ କରିବା ପାଇଁ ଗାଇଡ଼ ଲାଇନ ଜାରି ହୋଇଛି।

ବର୍ତ୍ତମାନ ରଘୁନାଥପୁର ସ୍କୁଲରେ ୨୪ ପିଲା ଓ ହରେକୃଷ୍ଣପୁର ଠାରୁ ଦେଢ଼ କିଲୋମିଟର ଦୂର ହୋଇଥିଲେ ମଧ୍ୟ ପ୍ରଶାସନ ସ୍କୁଲ ଟିକୁ ବନ୍ଦ କରୁଥିବା ଗାଁ ଲୋକେ କହିଛନ୍ତି। ରଘୁନାଥପୁର ଗାଁ ଠାରୁ ହରେକୃଷ୍ଣପୁର ସ୍କୁଲକୁ ଯିବା ରାସ୍ତାରେ ୫୦ ଫୁଟ ଗଭୀର ଥିବା ନଦୀ ହିଡରେ ଯିବାକୁ ପଡ଼ିଥାଏ।ବର୍ଷା ଦିନେ ହିଡର ବିଭିନ୍ନ ସ୍ଥାନରେ ପାଣି ପ୍ରଭାବିତ ହୋଇଥାଏ। ଲୋକେ ବିପଦ ସଂକୁଳ ଦେଇ ଯାତାୟତ କରିଥାନ୍ତି। ଏହି ରାସ୍ତାରେ କୁନି କୁନି ଛାତ୍ରଛାତ୍ରୀ ଯିବା ସମ୍ଭବ ନୁହେଁ। ତେଣୁ ରଘୁନାଥପୁର ସ୍କୁଲ ଯଦି ଉଠିଯାଏ ତାହା ହେଲେ ପିଲାଙ୍କୁ ଗାଁ ବାହାରକୁ ଛାଡ଼ିବୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ ଗ୍ରାମର ୱାଡ଼ମେମ୍ବର ମୁରଲୀଧର ବେହେରା, ଉଦ୍ଧବ ବାଗ, ଭାଗ୍ୟବତୀ ପୁଝାରି, ଦ୍ରୁପତି ପୁଝାରି, ରାଜେନ୍ଦ୍ର ସାହୁ, ଚନ୍ଦ୍ରଭାନୁ ସାହୁ, ପରମାନନ୍ଦ ବାଗ ପ୍ରମୁଖ ବ୍ଲକ ମୁଖ୍ୟାଳୟ ଯାଇ ଲାଞ୍ଜିଗଡ ବିଡ଼ିଓ ଶ୍ରୀ ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଥିବା ରଘୁନାଥପୁର ଗ୍ରାମବାସୀ ପ୍ରକାଶ କହିଛନ୍ତି। ଏନେଇ ଲାଞ୍ଜିଗଡ ବିଡ଼ିଓ ଶ୍ରୀ ମିଶ୍ରଙ୍କୁ ପଚାରିବାରୁ ଗାଁ ଲୋକେ ମୋ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକୃତରେ କ’ଣ ହୋଇଛି ମୁଁ ବ୍ଲକ ଶିକ୍ଷାଧୀକାରୀଙ୍କ ସହିତ ଆଲୋଚନା କରିବି ବୋଲି ସେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.