ଗୁଣିଗାରେଡ଼ି ସନ୍ଦେହରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ପାଷ୍ଟର

ମୋହନା, (ଏସ୍. ତ୍ରିପାଠୀ): ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଫୁଟିଛି ଗୁଳି । ଅଳ୍ପକେ ମରଣ ମୁହଁରୁ ବଞ୍ଚିଯାଇଛନ୍ତି ପାଳକ (ପାଷ୍ଟର) । ଏଭଳି ଏକ ଘଟଣା ଘଟିଛି ଅଡ୍‌ବା ଥାନା ଅଞ୍ଚଳରେ। ଜୁଡ଼ୁଙ୍ଗ ଗ୍ରାମର ପାଷ୍ଟର ଡମ୍ବରୁଧର ମାଝୀ(୩୩) ନିଜ ଗ୍ରାମରୁ ନିକଟସ୍ଥ କରଡାବାଡି ଚର୍ଚ୍ଚକୁ ପ୍ରାର୍ଥନା କରିବା ପାଇଁ ଯାଉଥିବା ବେଳେ ଆଗରୁ ସାରୁମେରା ନିକଟରେ ଛପି ରହିଥିବା ୩ ଜଣ ଯୁବକ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ। କିନ୍ତୁ ଗୁଳି ତାଙ୍କୁ ନ ବାଜି ତାଙ୍କ ବାଇକରେ ବାଜିଥିଲା।


ସେ ଗାଡି ଛାଡ଼ି ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଦଉଡ଼ିଥିଲେ । ଦୁଇ ଜଣ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଧରି ନପାରି ତାଙ୍କ ମୁଣ୍ଡକୁ ପଥର ମାରିଥିଲେ । ସେ ଆହତ ହୋଇ ମଧ୍ୟ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ଫେରି ଅଡବା ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ପୁଲିସ ଦଳ ଘଟଣା ସ୍ଥଳରୁ ଯାଇ ସେଠାରୁ ୨ଟି ଗୁଳିର ଖୋକା, ବାଇକ ଜବତ କରିବା ସହ ମାମଲା ରୁଜ୍ଜୁ କରିଛି ।

ତମ୍ବୁରୁଙ୍କ ଅଭିଯୋଗ ପ୍ରକାରେ ସେ ଚର୍ଚ୍ଚକୁ ଯିବା ସମୟରେ ତାଙ୍କ ଗ୍ରାମର ପ୍ରମୋଦ ଆଲିସ, ସାଗର ମାଝୀ ଓ ତାଙ୍କ ସହ ଅନ୍ୟ ଦୁଇଜଣ ମିଶି ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ । ସୂଚନା ଥାଉ କି ଅଭିଯୁକ୍ତ ସାଗର ମାଝୀଙ୍କ ୯ ମାସର ପୁଅ ୨୦୨୦ ମସିହା ଅଗଷ୍ଟ ମାସ ୨୭ ତାରିଖରେ ଦେହ ଅସୁସ୍ଥ ହୋଇ ମରିଯାଇଥିଲେ। କିନ୍ତୁ ତମ୍ବରୁଧର ଓ ତାଙ୍କ ବାପା ଗୁଣିଗାରେଡ଼ି କରି ସାଗରର ପୁଅକୁ ମାରିଦେଇଥିବା ସନ୍ଦେହ କରି ସାଗର ମନରେ କ୍ରୋଧ ଜାତ ହୋଇଥିଲା । ଏ ବିଷୟକୁ ନେଇ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଭୋଜିଭାତ ଦେବା ପାଇଁ ଡମ୍ବରୁ ଘର ପରିବାରଙ୍କୁ କୁହାଯାଇଥିଲା । ପରେ ଗ୍ରାମବାରୀ ଏହାକୁ ବାରଣ କରିଥିଲେ, ଗୁଣିଗାରେଡିକୁ ସନ୍ଦେହ କରି ତମ୍ବୁରୁକୁ ଜୀବନରେ ମାରିଦେବା ପାଇଁ ସାଗର ବନ୍ଧୁକ ଫୁଟାଇଥିଲେ । କିନ୍ତୁ ମରୁମରୁ ଅଳ୍ପକେ ବର୍ତ୍ତିଗଲେ ପାଳକ ଡମ୍ବରୁ । ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବା ବୋଲି ଅଡବା ଆଇଆଇସି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.