ଟ୍ରାକ୍ଟର ଟ୍ରଲି ଉପରୁ ପଡି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ

ଲାଞ୍ଜିଗଡ଼: ନର୍ଲା ଥାନା ଓ ସିକେରକୁପା ଫାଣ୍ଡି ଅନ୍ତର୍ଗତ ଲାଞ୍ଜିଗଡରୋଡ-ମାହେଶ୍ୱରୀପୁର ରେଳ ଫାଟକ ନିକଟରେ ଟ୍ରାକ୍ଟର ଟ୍ରଲି ଉପରୁ ପଡି ଜଣେ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ପୁଲିସ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁରର ଶଙ୍କର ତାଣ୍ଡି (୬୩) ଆଜି (ଗୁରୁବାର) ସକାଳ ୯ଟା ସମୟରେ ଏକ ଟ୍ରାକ୍ଟର ନେଇ ଲାଞ୍ଜିଗଡରୋଡ ନିକଟସ୍ଥ ଗଜରାଜପୁରକୁ ଇଟା ଆଣିବାକୁ ଯାଇଥିଲେ । ଇଟା ଆଣି ଫେରିବା ସମୟରେ ଦିନ ଗୋଟାଏ ସମୟରେ ଫାଟକ ନିକଟରେ ଥିବା ଏକ ଛୋଟ ଖାଲରେ ଟ୍ରାକ୍ଟରଟି ଦୋହଲି ଯିବାରୁ ସେ ଟ୍ରାକ୍ଟର ଉପରୁ ଖସି ପଡିଥିଲେ । ଗୁରୁତର ଆହତ ହୋଇ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, କନଷ୍ଟେବଲ ଭୁବନେଶ୍ୱର ସାହୁ, ନରସିଂହ ନାଗ ପ୍ରମୁଖ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, କମର୍ଦ୍ଧା ସମିତି ସଭ୍ୟ ଜଗଦୀଶ ବେନିଆଁଙ୍କ ସହଯୋଗ ତଥା ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଭବାନୀଶଙ୍କର ଲେଙ୍କାଙ୍କ ତତ୍ବାବଧାନରେ ଡା. ନିହାରରଞ୍ଜନ ସାହୁଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ଓ ହସ୍ତାନ୍ତର କରାଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଫେରାର ହୋଇଯାଇଥିବାବେଳେ ପୁଲିସର ତଦନ୍ତ ଜାରି ରହିଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.