କଳାହାଣ୍ଡି,୩୦|୮ (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର, ବଉଦ, କନ୍ଧମାଳ ଓ ଫୁଲବାଣୀ ଜିଲ୍ଲାର ପ୍ରାୟତଃ ଜଙ୍ଗଲରେ ବାଉଁଶ ବହୁଳ ଭାବରେ ଉପଲବ୍ଧ ହୋଇଥାଏ । ଏଣୁ ଏହି ଜିଲ୍ଲା ଗୁଡିକର ଲୋକେ ଘର ତିଆରିରେ ଚାଳ, ବାଉଁଶା, କୁଲସା ଭାବରେ ବ୍ୟବହାର କରିବା ସାଙ୍ଗେ ସଙ୍ଗେ ବାଡ ଦେବାପାଇଁ ମଧ୍ୟ ବାଉଁଶକୁ ବ୍ୟବହାର କରିଥାନ୍ତି । କଳାହାଣ୍ଡି ଜିଲ୍ଲାର ନର୍ଲା, ମଦନପୁର ରାମପୁର, ଲାଞ୍ଜିଗଡ, ଥୁଆମୂଳ ରାମପୁର, ଜୟପାଟଣା, ଜୁନାଗଡ, କୋକସରା ପ୍ରଭୃତି ବ୍ଲକ୍ ଅଞ୍ଚଳର ସମସ୍ତ ଜଙ୍ଗଲରେ ବାଉଁଶ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବାରୁ ଏହିସବୁ ଅଞ୍ଚଳରେ କଣ୍ଡରା ବୋଲି ଏକ ସମ୍ପ୍ରଦାୟ ବାଉଁଶରେ କୁଲା, ଟୋକେଇ, ଡଲା, ଭୁଗିଆ ସାଙ୍ଗକୁ ମାଛ ଧରିବାରେ ବ୍ୟବହାର କରିବା ପାଇଁ ଖଲେଇ, ଥପା, ବେନ୍ଦା, ବିସର ପ୍ରଭୃତି ସାମଗ୍ରୀ ତିଆରି କରି ବଜାରରେ ବିକ୍ରୟ କରି ଲୋକଙ୍କ ଆବଶ୍ୟକତା ପୁରଣ କରିବା ସହିତ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ବିଶେଷ କରି ବିବାହ, ବ୍ରତୋପନୟନ ଏବଂ ପୂଜାପାଠ ସମୟରେ ଟୋକେଇ, କୁଲା, ଛେଟ୍ନା, ଡଲା ପ୍ରଭୃତି ବାଉଁଶ ତିଆରି ଉପକରଣର ଅତ୍ୟାବଶ୍ୟକତା ପଡିଥାଏ । ବିଶେଷ କରି ଚାଷୀ ପରିବାର ଗୁଡିକରେ ଧାନ ବୁଣିବା ସମୟ ଠୁ ଆରମ୍ଭ କରି ଧାନ ଅମଳ ସମୟରେ ଧାନ ଉଡେଇବା ପାଇଁ କୁଲା, ଧାନ ମାପିବା ଓ ରଖିବା ପାଇଁ ବଡ ଟୋକେଇ (ଡଲା)ର ଆବଶ୍ୟକ ହୋଇଥାଏ । ମାଟିକାମ ସମୟରେ ମଧ୍ୟ ଶ୍ରମିକ ମାନେ ବାଉଁଶରେ ତିଆରି ଛେଟନା ବା ଝୁଡିକୁ ବ୍ୟବହାର କରିଥାନ୍ତି । ଏଣୁ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ପ୍ରାୟତଃ ସମସ୍ତ ଗ୍ରାମରେ ବାଉଁଶରେ ବିଭିନ୍ନ ଉପକରଣ ତିଆରି ପାଇଁ ଏହି କଣ୍ଡରା ସମ୍ପ୍ରଦାୟ ରହିଆସୁଥିବା ଦେଖିବାକୁ ମିଳିଥାଏ । ଏହି ସମ୍ପ୍ରଦାୟ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବାଉଁଶକୁ ଆବଶ୍ୟକତା ଅନୁଯାୟୀ ପତଲା ପତଳା ଭାବରେ ଛେଲି ଏହି ସବୁ ଉପକରଣ ତିଆରି କରି ଚାଷୀ ତଥା ବିବାହ, ବ୍ରତୋପନୟନ, ଦୁର୍ଗାପୂଜା, ଗଣେଶ ପୂଜା, ଗୃହ ପ୍ରତିଷ୍ଠା ପ୍ରଭୃତି ସମୟରେ ଯୋଗଇ ଥାନ୍ତି । ଆଉ ମଙ୍ଗଲ କାର୍ଯ୍ୟରେ ଏହା ନିତୟାନ୍ତ ଆବଶ୍ୟକ ହେଉଥିବା ବେଳେ ଗତ ବର୍ଷରୁ କରୋନା ପାଇଁ ବିବାହ, ବ୍ରତ ସବୁ ବନ୍ଦ ହୋଇ ପଡିଛି । ଫଳରେ ବାଉଁଶ କାରିଗର ମାନେ ବେଉସା ହରାଇ ହାତ ବାନ୍ଧି ବସିଛନ୍ତି ।
୧୩ ବର୍ଷ ତଳେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରହିଥିବା ଜୟରାମ ରମେଶ ବାଉଁଶ ଉପରୁ ଟିକସ୍ ଛାଡ କରି ଜନସେବାରେ ବାଉଁଶକୁ ଉସôର୍ଗ କରିବା ପରେ ଜଙ୍ଗଲ ଓ ଗିରିକନ୍ଦର ବାସୀ ଟ୍ରାଇବାଲ ସମ୍ପ୍ରଦାୟ ଏବଂ ଏହି କଣ୍ଡରା ପରିବାର ସବୁ ଆନନ୍ଦିତ ହୋଇଥିଲେ । ଏହାପରେ ଜଙ୍ଗଲ ବିଭାଗ ବାଉଁଶ ଉପରୁ କଟକଣା ଉଠାଇ ନେଇଥିଲେ । ଫଳରେ ବାଉଁଶକୁ ନେଇ ମୁକ୍ତ ଭାବରେ କାମ କରି ପାରିଲେ ବାଉଁଶ କାରିଗର ମାନେ । କେନ୍ଦ୍ର ସରକାରଙ୍କର ଏହି ଘୋଷଣା କୁ ନେଇ ବାଉଁଶ କାରିଗର ମାନେ ସିନା ଖୁସି ଅନୁଭବ କଲେ । ହେଲେ ଆଉ ଏକ ବିରାଟ ସମସ୍ୟା ଦେଖା ଦେଇଛି ବାଉଁଶ କାରିଗର ମାନଙ୍କ ଜୀବନ ଜୀବିକା ଉପରେ । ବାଉଁଶ ପିଲ ବା କଷି ବାଉଁଶକୁ କଳାହାଣ୍ଡି ସମେତ ପଶ୍ଚିମ ଓଡିଶାର ଅନେକ ଜିଲ୍ଲାରେ ସୁସ୍ୱାଦ ତରକାରୀ ଭାବରେ ବ୍ୟବହାର କରିଥାନ୍ତି । ବର୍ଷା ଋତୁ ଆରମ୍ଭ ହେବା ପରେ ବାଉଁ ବୁଦାରେ ବାଉଁଶ ପିଲ ଗଜାହୁଏ । ଜୁନ ଶେଷ ସପ୍ତାହ ବେଳକୁ ବଜାର, ରାସ୍ତାକଡ, ହାଟରେ,ବାଟରେ ବାଉଁଶ ପିଲ (କରିଡ) ଉପଲବ୍ଧ ହୋଇଥାଏ । ଆଗରୁ ଦୀନ, ଦୁଃଖି , ଦରିଦ୍ର ପରିବାର ଓ ଜଙ୍ଗଲି ସମ୍ପ୍ରଦାୟର ଲୋକେ ଖାଦ୍ୟାଭାବରେ ଏହି ବାଉଁଶ ପିଲ କରିଡକୁ ଖାଦ୍ୟ ଭାବରେ ବ୍ୟବହାର କରୁଥିଲେ । ଏହା ସୁସ୍ୱାଦ ଖାଦ୍ୟ ହୋଇଥିବାରୁ କ୍ରମେ କ୍ରମେ ଆଭିଜାତ୍ୟ ସମ୍ପନ୍ନ ପରିବାର ଗୁଡିକ ଏହି କରିଡକୁ ଓ ଏହାର ଗୁଣ୍ଡ ( ହଣ୍ଡୁଆ) କୁ ତରକାରୀ ଖାଦ୍ୟ ଭାବରେ ଗ୍ରହଣ କରିବା ପରେ ଏହାର ଚାହିଦା ବଢିବାରେ ଲାଗିଲା ଓ ଲୋକେ ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଆଣି ବଜାରରେ ବିକ୍ରୟ କରିବା ଆରମ୍ଭ କଲେ । ଫଳରେ ଜଙ୍ଗଲରୁ ବାଉଁଶ ବୁଦା କ୍ରମଶଃ ଅବକ୍ଷୟ ହେବା ଆରମ୍ଭ ହେବାରେ ଲାଗିଲା । ଏବେ କଳାହାଣ୍ଡିର ଜଙ୍ଗଲ ଗୁଡିକରେ ଆଉ ବାଉଁଶ ବୁଦା ସବୁ ଦେଖିବାକୁ ମିଳୁନି । ଆଉ ଏଥିପାଇଁ ବିଶେହ କରି ବାଉଁଶ କାରିଗରଙ୍କ ଜୀବନରେ ଜୀବିକାରେ ସଙ୍କଟ ଦେଖା ଦେବାରେ ଲାଗିଛି । ସମ୍ବଲପୁର, ବଲାଙ୍ଗୀର, ବରଗଡ ଓ ସୋନପୁର ଜିଲ୍ଲାରେ କରିଡ ଉତ୍ପାଦନ ହେଉନଥିଲେ ମଧ୍ୟ ଏହି ଜିଲ୍ଲାବାସୀଙ୍କ କରିଡ ପ୍ରତି ସ୍ୱତନ୍ତ୍ର ଋଚି କୁ ଆଖି ଆଗରେ ରଖି କଳାହାଣ୍ଡି ଜିଲ୍ଲାରୁ ବିଶେଷ କରି ନର୍ଲା, କେସିଙ୍ଗା ଓ ଲାଞ୍ଜିଗଡରୁ କରିଡ ଏବଂ ହଣ୍ଡୁଆ ରପ୍ତାନୀ ହୋଇଥାଏ । ସେଠାରେ ଚଢାଦରରେ କରିଡ ଓ ହଣ୍ଡୁଆ ବିକ୍ରୟ କରି ବେଶ୍ ଭଲ ଦୁଇପଇସା ପାଇଥାନ୍ତି କରିଡ ବ୍ୟବସାୟୀ ମାନେ । ଆଗରୁ ବସ୍ ଓ ଟ୍ରେନ୍ ଯୋଗେ କରିଡ ଓ ହଣ୍ଡୁଆ ରପ୍ତାନୀ ପ୍ରତି ବିଶେଷ କଟକଣା ରହିଥିଲା । କେନ୍ଦ୍ର ସରକାର ବାଉଁଶକୁ ଟ୍ୟାକ୍ସ୍ ଫ୍ରି କରିଦେବା ପରେ ଏବେ ଆଉ ବନ ବିଭାଗ ତରଫରୁ କରିଡ ଓ ହଣ୍ଡୁଆ ରପ୍ତାନୀ ପ୍ରତି ସେତେଟା କଟକଣା ରହୁନି । ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବରଗଡ ରେ କରିଡ ଓ ହଣ୍ଡୁଆ ତରକାରୀ କରିକି ଖାଇବା ସହ କରିଡକୁ ସ୍ୱତନ୍ତ୍ର ଢଙ୍ଗରେ ଗଚ୍ଛିତ ରଖି ବର୍ଷ ତମାମ ତରକାରୀ ଭାବରେ ବ୍ୟବହାର କରି ଖାଇଥାନ୍ତି । ତରକାରୀ ବ୍ୟତୀତ କରିଡରୁ ଖୁବ୍ ସୁନ୍ଦର ଓ ସୁମିଷ୍ଟ କରିଡ ଆମ୍ବିଲ ପ୍ରସ୍ତୁତ କରାଯାଇଥାଏ । ଏହାବାଦ୍ ଏହି ସବୁ ଜିଲ୍ଲାର ଲୋକେ କରିଡରେ ସୁମିଷ୍ଟ ଆଚାର ପ୍ରସ୍ତୁତ କରି ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ । ହେଲେ କରିଡ ତରକାରୀ ଓ କରିଡତ ତଥା ହଣ୍ଡୁଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରତି ଧିରେ ଧିରେ ଲୋକଙ୍କ ଚାହିଦା ବଢିବା ଯୋଗୁଁ ଏବେ ନିକଟସ୍ଥ ଜଙ୍ଗଲ ଗୁଡିକରେ ବାଉଁଶ ଉତ୍ପାଦନ କମିବା ଯୋଗୁଁ ବାଉଁଶ କାରୀଗର ମାନଙ୍କୁ ଚିନ୍ତା ଘାରିବାରେ ଲାଗିଛି । ବାଉଁଶ ବଢିବା ଆଗରୁ କରିଡ ବ୍ୟବସାୟୀ ମାନେ ବାଉଁଶ ପିଲକୁ କାଟିନେଇ କରିଡ ଓ ହଣ୍ଡୁଆ ପ୍ରସ୍ତୁତ କରୁଥିବାରୁ ବାଉଁଶ କ୍ରମଶଃ ଲୋପ ପାଇବାକୁ ବସିଲାଣି । ବିଶେଷଜ୍ଞ ମାନଙ୍କ ମତାନୁଯାୟୀ ଏଭଳି ଯଦି ଲଗାତାର ଆଉକିଛି ବର୍ଷ ଏହି ପରିମାଣରେ କରିଡ ଓ ହଣ୍ଡୁଆର ବ୍ୟବହାର ଚାଲିଲେ ତାହେଲେ ବାଉଁଶ ଯେ ସମ୍ପୂର୍ଣ୍ଣ ଲୋପ ପାଇଯିବ ଏଥିରେ ତିଳେହେଲେ ସନେ୍ଦହ ନାହିଁ । ଏଣୁ ସରକାର ବାଉଁଶ ର ସୁରକ୍ଷା ପାଇଁ ଏବଂ ବାଉଁଶ କାରିଗର ମାନଙ୍କ ଜୀବନ ଜୀବିକା ପାଇଁ ବେଳହୁଁ ସଜାଗ ହେବା ବାଞ୍ଛନୀୟ ବୋଲି ମତ ପ୍ରକାଶ ପାଉଛି । ନହେଲେ ବାଉଁଶ ଉପକରଣ ଆଗାମୀ ପିଢୀ ପାଇଁ ମୁ୍ୟଜିୟମର ଏକ ଦର୍ଶନ ସାମଗ୍ରୀ ବସ୍ତୁ ଭାବରେ ରହିଯିବ ।