ଭୁବନେଶ୍ଵର, (ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ନର୍ଲାର ଏକ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ସରକାର ରବି ଋତୁର ଧାନ କିଣିଛନ୍ତି। ଯାହାର ସଠିକ ତଥ୍ୟ ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ନାହିଁ କି ଧାନ କିଣିଥିବା ମିଲର୍ସ ପାଖରେ ନାହିଁ। କଳାହାଣ୍ଡି ଜିଲ୍ଲା ଧଅଁରାଖମନ ସ୍ଥିତ (ଦଉଲଗୁଡି ଛକ ପାର୍ଶ୍ଵସ୍ଥ) ସମଲେଶ୍ଵରୀ ରାଇସ ମିଲ ଏହି ଧାନକୁ ଉଠାଇଛି। ତେବେ ମିଲର୍ସ ଓ ଏସ୍ଏଚଜିର ଆକଳନ ଠିକ ଥିବାବେଳେ କୂଲି କହୁଛନ୍ତି ଅଲଗା କଥା। ପରିତାପର ବିଷୟ ଏହିକି ଯେ, କୂଲିଙ୍କ କହିବାକଥା ଓ ସେମାନଙ୍କ ଲେବର ଖାତା ଅନୁଯାୟୀ ରବି ଚାଷରେ ୨୩୯୩କ୍ବିଣ୍ଟାଲ ୨୫କେଜି ଧାନ ଲୋଡ୍ ହୋଇଥିବାବେଳେ ଏସ୍ଏଚଜି ପ୍ରମୁଖଙ୍କ ବୟାନ ଅନୁସାରେ ସମୁଦାୟ ଧାନ କିଣା ଯାଇଛି ୪୯୯୯କ୍ବିଣ୍ଟାଲ ୯୪କେଜି। ତେବେ କୂଲିଙ୍କ ଅଜାଣତରେ ୨୬୦୬କ୍ୟୁଣ୍ଟାଲ ୬୯କେଜି ଧାନ ଲୋଡ୍ ହେଲା କେଉଁଠି? କେଉଁ କେଉଁ ଚାଷୀ ଦେଲେ ଧାନ? କୂଲି ପଇସା କାହାକୁ ଦିଆଗଲା? କେଉଁ ସ୍ଥାନରେ ଏହି ଧାନ କିଣାଗଲା? ଏ ସମସ୍ତ ତଥ୍ୟ ସଂପୃକ୍ତ ଏସ୍ଏଚଜି ଓ ମିଲର୍ସଙ୍କୁ ମାଗିଥିଲେ ହେଁ ସନ୍ତୋଷଜନକ ଉତ୍ତର ମିଳି ପାରିନାହିଁ କି କୌଣସି ଲିଖିତ ରେକର୍ଡ ଏସଏଚଜି ପାଖରେ ନାହିଁ । କେଉଁ ଆଧାରରେ ସଂପୃକ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସରକାରଙ୍କୁ କିଣା ଯାଇଥବା ଚାଷୀଙ୍କ ଧାନର ଟାର୍ଗେଟ ଦର୍ଶାଇଛନ୍ତି ତାହା ତଦନ୍ତସାପେକ୍ଷ। କାଗଜପତ୍ରରେ ଗୋଟିଏ କଥା ବୟାନରେ ଜଣାପଡୁଛି ଆଉ ଗୋଟିଏ କଥା। ଏହା ସମ୍ଭବ ହେଲା କିପରି ? ବିଭାଗୀୟ ଅଧିକାରୀ ଏହାକୁ ଜାଣି ପାରିଲେନାହିଁ କିପରି ? ଏପରି ଅନେକ ଅସମାହିତ ପ୍ରଶ୍ନରେ ଅନିୟମିତତାର ଆଶଙ୍କା ହେଉଛି। ସରକାରୀ ହିସାବରେ ଧାନ କିଣା ଓ ବେସରକାରୀ ହିସାବରେ ଧାନକିଣା ଅଲଗା ଅଲଗା କରାଯାଇଛି କି? ପ୍ରଶାସନ ଜାଣିଶୁଣି ଆଖିବୁଜି ଦେଇଥିବା ଅନୁମାନ ହୁଏ। ତେବେ ସମସ୍ତ ବିବରଣୀକୁ ମନ୍ଥନ କଲେ ଏହାରି ଭିତରେ ଅଭିସନ୍ଧିର ଗନ୍ଧ ବାରି ହୋଇ ପଡ଼ୁଛି। ଯାହା ବାହାରକୁ ଆସି ପାରୁନାହିଁ। ତେବେ ଏହାକୁ ନେଇ ଆମର ସ୍ବତନ୍ତ୍ର ଅନୁସନ୍ଧାନ ଜାରୀ ରହିଛି। ଆଗକୁ ଏହାର ଭିତିରି ରହସ୍ୟ ପର୍ଦ୍ଦାଫାଶ ହେବ। ଯଦି ରାଜ୍ୟ ଯୋଗାଣ ବିଭାଗ ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ରବି ଧାନ କିଣା ଉପରେ ତଦନ୍ତ କରନ୍ତେ ତେବେ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।