ନୂଆପଡା, ୭|୯: ସଦର ବ୍ଲକ ଡ଼ୁମେରପାଣି ପଂଚାୟତରେ ମନରେଗା କାମରେ ଦୁର୍ନୀତି ନେଇ ଗାଁ ଲୋକେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏ ନେଇ ନିଜର ପାରିଶ୍ରମିକ ପାଇ ନ ଥିବା ଶ୍ରମିକମାନେ ସୋମବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଯେ, ଦୁଇ ବର୍ଷ ତଳେ ଡ଼ୁମେରପାଣି ପଂଚାୟତର ଡ଼ୁମେରପାଣି, ନନ୍ଦପୁର, କୋଲଦା ଗାଁ ରେ ମନରେଗା ପୋଖରୀ ଖନନ ଓ ମୁରୁମ ରାସ୍ତା କାମ ହୋଇଥିଲା। ଲକଡାଉନ ସମୟରେ ପେଟପାଟଣା ପାଇଁ ଶ୍ରମିକ ମାନେ ମନରେଗା କାମ କରି ପରିବାର ପ୍ରତିପୋଷଣ କରିବାକୁ ଆଶା ବାନ୍ଧି ଥିଲେ କିନ୍ତୁ ବିଭାଗୀୟ ଅଧିକାରୀ ଶ୍ରମିକ ମାନଙ୍କୁ କିଛି ଟଙ୍କା ଦେଇ ବକେୟା ଟଙ୍କା ସବୁ ଆତ୍ମସାତ କରିଦେଇଥିବା ଗାଁ ଲୋକେ ଅଭିଯୋଗ କରୁଛନ୍ତି। ନିଜର ପାରିଶ୍ରମିକ ପାଇଁ ଶ୍ରମିକ ମାନେ ବାରମ୍ବାର ପଂଚାୟତର ପି.ଇ.ଓ. ଏବଂ ଜି. ଆର.ଏସ.ଙ୍କୁ ଜଣାଇ ଥିଲେ ମଧ୍ୟ କେହି ବି ଶୁଣିବାକୁ ନାରାଜ ଥିଲେ। ମନରେଗା ପାଉଣା ସହିତ ପଂଚାୟତର କିଛି ଲୋକଙ୍କ ପ୍ରଧାନମନ୍ତୀ ଆବାସ ଯୋଜନାର ଟଙ୍କା ମଧ୍ୟ ମିଳି ନ ଥିବା ଅଭିଯୋଗ କରିଛନ୍ତି ଏବଂ କିଛି ଲୋକଙ୍କ ଆବାସ ଗୃହ ଆରମ୍ବ ହୋଇ ନ ଥିବା ବେଳେ ମଧ୍ୟ ସେମାନଙ୍କ ଟଙ୍କା ଉଠାଣ କରାଯାଇଥିବା ଗାଁ ଲୋକେ ଅଭିଯୋଗ କରୁଛନ୍ତି। ବାଧ୍ୟ ହୋଇ ଶେଷରେ ଗାଁ ଲୋକ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରି ନୂଆଖାଇ ପୂର୍ବ ରୁ ସମସ୍ତ ବକେୟା ଥିବା ପାଉଣାକୁ ଦିଆଯିବାର ବ୍ୟବସ୍ଥା କରାଯାଉ ନଚେତ ଶ୍ରମିକ ମାନେ ନିଜର ଛୁଆ ପିଲା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ରାମହୀନ ବାଇ ପଟେଲ, ଭରତ ପଟେଲ, ବୀଣା ପଟେଲ, ନେହେରୁ ପଟେଲ, ଥବିରାମ ପଟେଲ, ପ୍ରଦୀପ ପଟେଲ, ଇନତି ପଟେଲଙ୍କ ସହିତ ଶତିଧିକ ଶ୍ରମିକ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଭାବେ ଡାକ ବାକ୍ସ ଜରିଆରେ ଲିଖିତ ଭାବେ ଏହି ଦୁର୍ନୀତି ର ଅଭିଯୋଗ କରିଛନ୍ତି।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in