ରାୟଗଡ, ୭|୯ (ଶିବ ନାରାୟଣ ଗୈାଡ): ଯୁବଜ୍ୟୋତି ଯୁବକ ସଂଘ ଭୁବନେଶ୍ୱର ଦ୍ୱାରା ପରିଚାଳିତ ରାୟଗଡ ୱାନଷ୍ଟପ୍ ସେଂଟର “ସଖୀ” ର ଦ୍ୱିତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କେନ୍ଦ୍ରର ଆଇନ ପରାମର୍ଶଦାତା ତଥା କାର୍ଯ୍ୟକ୍ରମର ସଭାପତି ଆଇନଜୀବି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ଯାଞସେନୀ ବେହେରା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ (ମେଡିକଲ) ଡାକ୍ତର ବରଦାକାନ୍ତ ମିଶ୍ର, ମୁଖ୍ୟ ବକ୍ତା ଭାବେ ସୁରକ୍ଷା ଅଧିକାରିଣୀ ଶ୍ରୀମତି କାମାକ୍ଷୀ ମଂଜରୀ ପାଢୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଖୀ କେନ୍ଦ୍ରର ଏଡମିନ୍ ଶ୍ରୀମତି ଗୀତାରାଣୀ ମିଶ୍ର ବାର୍ଷିକ ବିବରଣୀ ପଠନ କରି ୱାନଷ୍ଟପ୍ ସେଂଟର ସଖୀ’ର ୨ବର୍ଷର ସଫଳତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଗତ ୨୦୨୦-୨୧ବର୍ଷର ଏକ ବାର୍ଷିକ ରିପୋର୍ଟ ଅନୁସାରେ ସଖୀ କେନ୍ଦ୍ରରେ ମୋଟ ୧୭୧ଟି ମାମଲା ପଂଜୀକୃତ ହୋଇଛି । ସେଥିମଧ୍ୟରୁ ଘରୋଇ ହିଂସା ବାବଦକୁ ୧୩୪ଟି ସର୍ବାଧିକ ମାମଲା ରହିଥିବା ବେଳେ ୯୪ଟି ମାମଲାର କାଉନସେଲିଂ ମାଧ୍ୟମରେ ସମାଧାନ ହୋଇପାରିଛି ଏବଂ ୪୪ଟି ମାମଲା ବିଚାରଧୀନ ରହିଥିବା ବେଳେ ୨୧ଟି ମାମଲା ଉପରେ ଅଧିକତର କାର୍ଯ୍ୟ ଜାରି ରହିଥିବା ଶ୍ରୀମତି ମିଶ୍ର ସୂଚନା ପ୍ରଦାନ କରିଥିଲେ । ସେହିପରି ୯ଟି ଯୈାନ ଉତ୍ପୀଡନ ମାମଲା ସହ ଗୋଟିଏ ମହିଳା ଚାଲାଣ, ଗୋଟିଏ ଶିଶୁ ନିର୍ଯ୍ୟାତନା, ୫ଟି ନିଖୋଜ ଓ ୨ଟି ଯୈାତୁକ ଜନୀତ ମାମଲା ସହ ୯ଟି ବିବାହ ଚୁକ୍ତି, ୭ଟି ପରିବାର ବିବାଦ ଏବଂ ୩ଟି ମିଥ୍ୟା ମାମଲାକୁ ମିଶାଇ ମୋଟ ୧୭୧ଟି ମାମଲା ପଂଜୀକୃତ ହୋଇଥିବା ବିବରଣୀରେ ପାଠ କରିଥିଲେ । ସେହିପରି ୧୭୧ଟି ମାମଲା ମଧ୍ୟରୁ ୯୪ଟି ମାମଲା ସମାଧାନ ହୋଇଥିବା ବେଳେ ୫୪ଟି ବିଚାରଧୀନ ଓ ୨୨ଟିର ଅଧିକତର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି । କେନ୍ଦ୍ର ତରଫରୁ ୧୪ଟି ମାମଲାରେ କ୍ଷେତ୍ର ପରିଦର୍ଶନ କରି ସମସ୍ୟାର ସମାଧାନ କରାଯାଇଥିବା ବେଳେ ୫୮ଜଣଙ୍କୁ ଉଦ୍ଧାର ସହ ଆଶ୍ରାସ୍ଥଳରେ ରଖାଯିବାର ବ୍ୟବସ୍ଥା କରାଯାଇପାରିଛି । ବର୍ତମାନ କେନ୍ଦ୍ରରେ ୧୭ଜଣ କର୍ମଚାରୀ କାର୍ଯ୍ୟରତ ରହି ପୀଡିତା ମହିଳାମାନଙ୍କୁ ଉପଯୁକ୍ତ କାଉନସେଲିଂ ଦ୍ୱାରା ପୁର୍ନବାର ମିିଳିମିଶି ଚଳିବାର ଏକ ସୁଗମ ବାଟ ସଖୀ କେନ୍ଦ୍ର ଦ୍ୱାରା ଉଦ୍ୟମ କରାଯାଉଛି ବୋଲି ଶ୍ରୀମତି ମିଶ୍ର ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତି ବେହେରା ଜଣେ ମହିଳା ହିଁ ଆଉ ଜଣେ ମହିଳାଙ୍କ ଅସୁବିଧାକୁ ବୁଝିପାରିବ ତେଣୁ ପୀଡିତ ମହିଳାଙ୍କ ମାମଲାରେ ସଖୀ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି କହିବା ସହ ରାୟଗଡ ଜିଲ୍ଳାରେ ବାଲ୍ୟ ବିବାହ ଜନୀତ ମାମଲା ଅଧିକ ରହିଥିବାରୁ ଏ ସଂପର୍କୀତ ମାମଲାଗୁଡିକରେ ପୀଡିତାକୁ ଯେତେ ସମ୍ଭବ ସେତେ ସାହାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । ସେହିପରି ପୀଡିତାମାନଙ୍କୁ ସାହାର୍ଯ୍ୟ ଓ ସହାନୁଭୂତି ଦେଇ ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ଫେରାଇ ଆଣିବାକୁ ପଡିବ ବୋଲି ଶ୍ରୀମତି ବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଡାକ୍ତର ଶ୍ରୀ ମିଶ୍ର ଏବଂ ମୁଖ୍ୟବକ୍ତା ଶ୍ରୀମତି ପାଢୀ ମଧ୍ୟ ସଖୀ କେନ୍ଦ୍ରର କାର୍ଯ୍ୟକର୍ତାଙ୍କ ଦାୟିତ୍ୱ ଓ କର୍ତବ୍ୟକୁ ପ୍ରଶଂସା କରିଥିଲେ । ଶେଷରେ ସଭାପତି ଶ୍ରୀ ଦାସ ରାୟଗଡ ଜିଲ୍ଳା ସଖୀ ୱାନଷ୍ଟପ୍ ସେଂଟର ରାଜ୍ୟ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରର ସାମାଜିକ କର୍ମୀ ଶ୍ରୀମତି ସେନାପତି ସନ୍ତୋଷୀ, ସଂଯୋଜକ ରାଜେଶ ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।