✒️ପ୍ୟାରୀ ଲାଲ ଦୁର୍ଗା
କଳାହାଣ୍ଡି ଜିଲାର ଭବାନୀପାଟଣାକୁ ବୁଲି ଆସୁଥିବା ଲୋକେ ପ୍ରଥମେ ମା’ ମାଣିକେଶ୍ଵରୀଙ୍କ ଦର୍ଶନ କରିବା ପାଇଁ ଇଚ୍ଛା କରିଥାନ୍ତି। ମା’ଙ୍କ ଦର୍ଶନ ପରେ ସେଠାରେ ଥିବା ରାଜପ୍ରାସାଦ ଦେଖଣାହାରୀଙ୍କୁ ଆକୃଷ୍ଟ କରେ। ଏହାର ଆକାର ଏବଂ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମୋହିତ କରିଥାଏ। ଶତାଧିକ ବର୍ଷ ତଳେ ନିର୍ମିତ ଏହି ରାଜପ୍ରାସାଦର ଇତିହାସ ଯେତିକି ରୋଚକ ତା’ର ଐତିହ୍ୟ ସେତିକି ମୂଲ୍ୟବାନ। ଲୋକଶ୍ରୁତି ଅନୁସାରେ ୧୮୪୯ ପର୍ଯ୍ୟନ୍ତ କଳାହାଣ୍ଡି ଗଡଜାତ ରାଜ୍ୟର ରାଜଧାନୀ ଥିଲା ଜୁନାଗଡ। ୨୬ଜଣ ରାଜା ସେଠାରେ ରାଜତ୍ଵ କରିଥିଲେ। ୧୮୪୯ରେ ଜୁନାଗଡରେ ପ୍ରବଳ ମହାମାରୀ ବ୍ୟାପୀ ଥିଲା। ଜଣେ ରାଜକୁମାରଙ୍କ ସମେତ ବହୁ ଲୋକ ସେଥିରେ ପ୍ରାଣ ହରାଇବାରୁ ତତ୍କାଳନୀ ୨୭ତମ ନାଗବଂଶୀ ଶାସକ ରାଜା ଫତେନାରାୟଣ ଦେଓ ଭଣ୍ଡେଶ୍ୱର (ବର୍ତ୍ତମାନର ଭବାନୀପାଟଣା) ଠାରେ ଥିବା ମାଣିକେଶ୍ୱରୀଙ୍କ ନିକଟରେ ଶରଣାପନ୍ନ ହୋଇଥିଲେ। ତାଙ୍କ କରୁଣାରୁ ମହାମାରୀ କବଳରୁ ରାଜ୍ୟ ରକ୍ଷା ପାଇଥିଲା। ଫଳରେ ମହାରାଜ ଆଉ ଜୁନାଗଡ ପ୍ରତ୍ୟାବର୍ତ୍ତନ ନକରି ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରେ ରାଜପ୍ରାସାଦ ନିର୍ମାଣ କରି ରାଜଧାନୀ ପ୍ରତିଷ୍ଠା କଲେ। ଭବାନୀଶଙ୍କର ମହାଦେବଙ୍କ ନାମ ଅନୁସାରେ ନୂତନ ରାଜଧାନୀର ନାମକରଣ କଲେ ଭବାନୀପାଟଣା। ତାଙ୍କ ପୁତ୍ର ୨୮ତମ ନାଗବଂଶୀ ଶାସକ ମହାରାଜା ଉଦିତ ପ୍ରତାପ ଦେଓଙ୍କ ଦ୍ୱାରା ଭବାନୀପାଟଣାଠାରେ ଏକ ସୁନ୍ଦର ରାଜପ୍ରାସାଦ ୧୮୬୫ରୁ ୧୮୭୫ ମଧ୍ୟରେ ନିର୍ମିତ ହୋଇଥିଲା। ଏହି ରାଜପ୍ରାସାଦଟି ଶତାଧିକ ବର୍ଷ ପରେ ବି ଆଜି ଯାଏ ସୁରକ୍ଷିତ ଅବସ୍ଥାରେ ଅଛି। ୧୮୪୯ରୁ କଳାହାଣ୍ଡି ଗଡଜାତର ରାଜଧାନୀ ଭବାନୀପାଟଣାରେ ୫ଜଣ ନାଗବଂଶୀ ଶାସକ ରାଜୁତି କରିଥିଲେ। ମହାରାଜ ପ୍ରତାପକେଶରୀ ଦେଓଙ୍କ ଦେହାନ୍ତ ପରେ ମହାରାଜା ଉଦିତ୍ପ୍ରତାପ ଦେଓ ଏବଂ ତାଙ୍କ ପରେ ଯୁବରାଜ ଅନନ୍ତ ପ୍ରତାପ ଦେଓ ଉତ୍ତରାଧିକର ସୂତ୍ରରେ ଏଠାରେ ରହିବା ସହ ଏହାର ରକ୍ଷଣାବେକ୍ଷଣ କରି ଆସୁଛନ୍ତି। ବିଶ୍ୱାସ ରହିଛି ଯେ ମା’ ମାଣିକେଶ୍ୱରୀଙ୍କୁ ଭକ୍ତି ମନୋଭାବରେ ଡାକିଲେ ମା’ ସମସ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି। ମା’ଙ୍କ ଛତର ଯାତ୍ରା ଉତ୍ସବ ପ୍ରତିବର୍ଷ ଦଶହରାରେ ପାଳିତ ହୋଇଥାଏ। ଏହି ଯାତ୍ରାରେ ମା’ଙ୍କ ଛତରକୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଯିଏ ମା’ଙ୍କୁ ଭକ୍ତି ମନରେ ଡାକି ଥାଏ ମା’ ତାଙ୍କ ସବୁ ଦୁଖଃ ଦୂର କରିଥାନ୍ତି। ଏହି ବିଶ୍ୱାସ ନେଇ ମାଙ୍କ ଦର୍ଶନ କରିବା ପାଇଁ ଭକ୍ତ ବିଭୋର ହୋଇଥାନ୍ତି।