ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ: ମାର୍ଚ୍ଚ ୨୪ରେ ଭୋଟିଂ, ୨୬ରେ ଫଳାଫଳ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଚଳିତଥର ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ । ୨୦୧୮ ମସିହାରୁ ଅଧିକାଂଶ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଥିଲା । ଯେଉଁଥିପାଇଁ ପ୍ରତ୍ୟେକ ବୁଥରେ ୨ଟି ଲେଖାଏଁ ଇଭିଏମ ରହିବ । ଗୋଟିଏ ଇଭିଏମରେ କର୍ପୋରେଟର /କାଉନସିଲରଙ୍କ ପାଇଁ ଭୋଟ ପଡିବ । ଅନ୍ୟ ଇଭିଏମରେ ପୌରସଂସ୍ଥାର ଅଧ୍ୟକ୍ଷ/ମେୟର ପଦ ପାଇଁ ଭୋଟ ଦେବେ ଭୋଟର । ପ୍ରଥମ ଥର ପୌର ନିର୍ବାଚନରେ ଇଭିଏମରେ ନୋଟା ବିକଳ୍ପ ରହିବ । ଚଳିତ ଥର ପ୍ରାର୍ଥୀ ମାନେ ୨ଟି ସତ୍ୟପାଠ ଦେବା ବାଧ୍ୟତାମୂଳକ ।

● ନାମାଙ୍କନ ପତ୍ର ଦାଖଲ: ୨ ମାର୍ଚ୍ଚରୁ ୭ ମାର୍ଚ୍ଚ
● ପ୍ରାର୍ଥୀପତ୍ର ଯାଞ୍ଚ: ୯ ମାର୍ଚ୍ଚ
● ପ୍ରାର୍ଥୀପତ୍ର ପ୍ରତ୍ୟାହାର: ୧୪ ମାର୍ଚ୍ଚ ପର୍ଯ୍ୟନ୍ତ
● ଭୋଟ: ୨୪ ମାର୍ଚ୍ଚ
● ଫଳାଫଳ: ୨୬ ମାର୍ଚ୍ଚ
● ପୌର ଉପାଧ୍ୟକ୍ଷ ନିର୍ବାଚନ: ୭ ଏପ୍ରିଲ
● ଡେପୁଟି ମେୟର ନିର୍ବାଚନ: ୮ ଏପ୍ରିଲ

ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ନିମନ୍ତେ ଖର୍ଚ୍ଚସୀମା ଓ ପ୍ରଚାର ନିମନ୍ତେ ପୂର୍ବରୁ ନିର୍ବାଚନ କମିଶନ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ୫୦ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନଏସି ଓ ପୌର ପରିଷଦର କାଉନସିଲରଙ୍କ ନିର୍ବାଚନୀ ଖର୍ଚ୍ଚ ୫୦ହଜାର ଟଙ୍କା ଓ ଅଧ୍ୟକ୍ଷଙ୍କ ପାଇଁ ୨ଲକ୍ଷ ଟଙ୍କା, ୫୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନଏଏସି ଓ ପୌର ପରିଷଦର କାଉନସିଲରଙ୍କ ନିର୍ବାଚନୀ ଖର୍ଚ୍ଚ ୭୫ହଜାର ଟଙ୍କା ଓ ଅଧ୍ୟକ୍ଷଙ୍କ ସର୍ବାଧିକ ୩ଲକ୍ଷ ଟଙ୍କା, ୧ଲକ୍ଷରୁ ଊର୍ଦ୍ଧ୍ୱ ପୌର ସଂସ୍ଥାର କାଉନସିଲରଙ୍କ ପାଇଁ ୧ଲକ୍ଷ ଟଙ୍କା ଓ ଅଧ୍ୟକ୍ଷଙ୍କ ପାଇଁ ୫ଲକ୍ଷ ଟଙ୍କା ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିପାରିବେ । ସେହିପରି ୩ଟି ମହାନଗର ନିଗମରେ କର୍ପୋରେଟରମାନେ ୨ଲକ୍ଷ ଟଙ୍କା ଓ ମେୟର ସର୍ବାଧିକ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏହାସହିତ କାଉନସିଲ/କର୍ପୋରେଟରମାନେ ସର୍ବାଧିକ ୨ଟି ଗାଡ଼ି ଓ ଅଧ୍ୟକ୍ଷ ପ୍ରାର୍ଥୀ ୪ଟି ଗାଡ଼ି, ମେୟର ପ୍ରାର୍ଥୀ ୬ଟି ଗାଡ଼ି ଓ ରାଜନୀତିକ ଦଳଗୁଡ଼ିକ ୨ଟି ଗାଡ଼ି ପ୍ରଚାରରେ ଉପଯୋଗ କରିପାରିବେ । ସେହିପରି ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୨ଟି ଲେଖାଏଁ ସତ୍ୟପାଠ ଦେବାକୁ ପଡ଼ିବ । ଗୋଟିଏ ସତ୍ୟପାଠରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ କାର୍ଯ୍ୟକଳାପ ଓ ସମ୍ପତ୍ତି ବିବରଣୀ ଏବଂ ଅନ୍ୟ ସତ୍ୟପାଠରେ ପ୍ରାର୍ଥୀଙ୍କର ଜଣେ ଜୀବିତ ପତ୍ନୀ ଥିବା ଓ ସନ୍ତାନ ସଂଖ୍ୟା ୨ରୁ ଅଧିକ ହୋଇନଥିବ ବୋଲି ଜଣାଇବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.