ଜାତୀୟ ବିଜ୍ଞାନ ଦିବସର ବାର୍ତ୍ତା

✍🏾ସନ୍ତୋଷ କୁମାର କର

“ସାତଟି ରଙ୍ଗର ସମାହାର ରେ ଧଳା ରଙ୍ଗ ସୃଷ୍ଟି ହେଇଥାଏ” ଏ କଥା ସାର୍ ଆଇଜାକ ନିଉଟନ ପ୍ରତିପାଦିତ କରିଥିଲେ କିନ୍ତୁ “ଧଳା ରଙ୍ଗ ମଧ୍ୟ ବିଛୁରିତ ହେଲେ ଅନ୍ୟ ରଙ୍ଗ ଦୃଶ୍ୟମାନ ହେଇଥାଏ”, ଏ କଥା ପ୍ରମାଣିତ କରିଥିଲେ ଭାରତୀୟ ବୈଜ୍ଞାନିକ “ଚନ୍ଦ୍ରଶେଖର ଭେଙ୍କଟ ରମଣ” । ଥରେ ଲଣ୍ଡନ୍ ରୁ ଏକ ଆଲୋଚନା ଚକ୍ର ରେ ଯୋଗଦେଇ ପାଣି ଜାହାଜ ରେ ଫେରିବା ବେଳେ ନୀଳ ଆକାଶ ଓ ନୀଳ ସମୁଦ୍ର କୁ ସେ ଦେଖି ବିମୋହିତ ହେଲେ ଓ ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲା “ଏଭଳି ନୀଳ ରଙ୍ଗର କାରଣ କଣ? ” ସତରେ ଆକାଶର ରଙ୍ଗ/ ପାଣିର ର ରଙ୍ଗ କଣ ନୀଳ? ତାହା ଉପରେ ସେ ଅନବରତ ଗବେଷଣା କଲେ ଓ ପରିଶେଷରେ ସେ ସେଥିରେ ସଫଳ ମଧ୍ୟ ହେଲେ। ତାଙ୍କର ଗବେଷଣା ଲବ୍‌ଧ ତଥ୍ୟ (ରମଣ ପ୍ରଭାବ) ବିଜ୍ଞାନ ଜଗତକୁ ଏକ ନୂତନ ବାଟ ଦେଖାଇଲା । ତାଙ୍କ ଦ୍ୱାରା ଆବିଷ୍କୃତ “ରମଣ ପ୍ରଭାବ” ବା “ଆଲୋକର ବିଛୁରଣ” ଯୋଗୁଁ ସେ ୧୯୩୦ ମସିହାରେ ପ୍ରଥମ ଏସୀୟ ବୈଜ୍ଞାନିକ ଭାବରେ ପଦାର୍ଥ ବିଜ୍ଞାନରେ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ନୋବେଲ ପୁରସ୍କାର ପାଇଥିଲେ । ଆଲୋକ ସଂପର୍କିତ ତାଙ୍କ ତଥ୍ୟ ୧୯୨୮ ମସିହା ଫେବୃୟାରୀ ୨୮ ତାରିଖରେ ଉପସ୍ଥାପିତ ହେଇ ଥିଲା । ତାଙ୍କର କୃତିତ୍ଵକୁ ସମ୍ମାନ ଦେବା ପାଇଁ ୧୯୮୭ ମସିହା ଠାରୁ ପ୍ରତି ବର୍ଷ ଫେବୃୟାରୀ ୨୮ ତାରିଖକୁ ଭାରତରେ “ଜାତୀୟ ବିଜ୍ଞାନ ଦିବସ” ରୂପେ ପାଳନ କରାଯାଉଅଛି । ଜାତୀୟ ବିଜ୍ଞାନ ଦିବସ ପାଳନର ଉଦ୍ଧେଶ୍ୟ ଗୁଡିକ ହେଲା ନିତିଦିନିଆ ଜୀବନ ରେ ବିଜ୍ଞାନର ଉପାଦେୟତାକୁ ଉପଲବ୍‌ଧି କରିବା ସହ ତାକୁ ଜନସାଧାରଣଙ୍କର ହିତ ସାଧନ ପାଇଁ ବହୁଳ ଭାବେ ପ୍ରୟୋଗ କରିବା, ନୂଆ ନୂଆ ବୈଜ୍ଞାନିକ କୌଶଳର ଉଦ୍ଭାବନ ଓ ଆବିଷ୍କାର କରିବା, ବିଜ୍ଞାନ ପ୍ରେମୀ ତଥା ବିଜ୍ଞାନ ଧର୍ମୀ ମାନଙ୍କୁ ଆଗକୁ ସୁଯୋଗ ପ୍ରଦାନ କରିବା, ସର୍ବୋପରି ଦେଶର ଜନସାଧାରଣଙ୍କ ମନରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ କରିବା । ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ ପାଇଁ ଭାରତ ସରକାରଙ୍କ ତରଫରୁ ଭିନ୍ନ ଭିନ୍ନ ବିଷୟବସ୍ତୁ ରଖା ଯାଇଥାଏ । ଜାତୀୟ ବିଜ୍ଞାନ ଦିବସ- ୨୦୨୨ର ବିଷୟବସ୍ତୁ ହେଲା “ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଏକୀକୃତ ଆଭିମୁଖ୍ୟ ” । ବର୍ତମାନ ଯୁଗରେ ବିଜ୍ଞାନର ବହୁଳ ବ୍ୟବହାର ହେଉଛି । ଦୈନନ୍ଦିନ ଜୀବନରେ ବିଜ୍ଞାନର ପ୍ରୟୋଗ ତଥା ବୈଜ୍ଞାନିକ ଉପକରଣ ଜନସାଧାରଣଙ୍କ ନିକଟରେ ସହଜରେ ଉପଲବ୍ଧ ତଥା ବ୍ୟବହୃତ ହେଉଥିବାରୁ ବିଜ୍ଞାନ ଦିନକୁ ଦିନ ଜନାଦୃତ ହେବାରେ ଲାଗିଛି । ଆମେ ନିଜର ସମସ୍ତ ଆବଶ୍ୟକତା ପୁରଣ କରିବାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ ଦେଇ ଆସିଅଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ରୋଗ ନିରାକରଣ,ମୋବାଇଲ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଯୁଗାନ୍ତକାରୀ ଉଦ୍ଭାବନ ଓ ଆବିଷ୍କାର ସମସ୍ତଙ୍କର ଗ୍ରହଣ ଯୋଗ୍ୟ ହୋଇ ପାରିଛି । ଆମ ସମ୍ବିଧାନର ମୌଳିକ କର୍ତ୍ତବ୍ୟରେ ଭାରତୀୟ ମାନେ ବୈଜ୍ଞାନିକ ମନୋଭାବ, ମାନବବାଦ, ଅନୁସନ୍ଧିତ୍ସୁ ଓ ସଂସ୍କାର ମନୋଭାବ ପୋଷଣ କରିବା ଉଚିତ ବୋଲି ଉଲ୍ଲେଖ କରାହେଇଛି । ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଜନସାଧାରଣଙ୍କର ଭୂମିକା ଗୁରୁତ୍ୱପୂର୍ଣ ଅଟେ । ବର୍ତମାନ ଆମେ ଗୋଟିଏ ପଟେ ବିଜ୍ଞାନକୁ ବ୍ୟବହାର କରି ସମସ୍ତ ସୁବିଧା ସୁଯୋଗ ହାସଲ କରୁଥିବାବେଳେ ଅନ୍ୟପଟେ ଅବୈଜ୍ଞାନିକ ବିଷୟ ବସ୍ତୁରେ ପ୍ରଚାର କରୁଛୁ । ଆମର ଏହି ଦୈତ ମାନସିକତା ଆଜି ସୁସ୍ଥ ସମାଜ ଗଠନରେ ପ୍ରତିବନ୍ଧକ ପାଲଟିଛି । ଅଜ୍ଞତା ଓ ଅବୈଜ୍ଞାନିକ ବ୍ୟକ୍ତିଙ୍କର କାର୍ଯ୍ୟ କଳାପ ଯୋଗୁଁ ସମାଜରେ ଅନ୍ଧବିଶ୍ଵାସ ର ଚେର ଦିନକୁ ଦିନ ମାଡିବାରେ ଲାଗିଛି। ତେଣୁ ଯେଉଁ ବିଜ୍ଞାନ ମଣିଷ ଆଖିରୁ ଅନ୍ଧକାର ଦୂର କରି ନୂତନ ଆଶା, ବିଶ୍ୱାସ ଓ ପ୍ରେରଣା ସୃଷ୍ଟି କରି ପାରିଛି, ତାକୁ ଠିକ ଦିଗରେ ଲଗେଇବା ଆମ ସମସ୍ତଙ୍କ ଦାୟିତ୍ଵ ଓ କର୍ତବ୍ୟ ହେବ ଉଚିତ । ତେଣୁ ସମାଜରେ ବୈଜ୍ଞାନିକ ଦୃଷ୍ଟି କୋଣର ପ୍ରଚାର ପ୍ରସାର କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବାପାଇଁ ଆମେ ସମସ୍ତେ ବିଜ୍ଞାନ ଦିବସରେ ଶପଥ ନେବା ଏବଂ ବିଜ୍ଞାନ ର ଜୟ ଯାତ୍ରା ରେ ସାମିଲ ହେବା ।

ବିଜ୍ଞାନ ଶିକ୍ଷକ, ଜୟ ଦୁର୍ଗା ହାଇସ୍କୁଲ
ନର୍ଲାରୋଡ, କଳାହାଣ୍ଡି

ODIABARTA

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.