ପରାଜିତ ପ୍ରାର୍ଥୀଙ୍କ ଟଙ୍କା ଅସୁଲି ଅଭିଯାନ

ମୋ ଠୁ ଖାଇ ଅନ୍ୟକୁ ଦେଲ, ଏବେ ଟଙ୍କା ପେରସ୍ତ ଦିଅ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ସରିଯିବା ପରେ ବିଜୟୀ ପ୍ରାର୍ଥୀ ଅନନ୍ଦ ଉହ୍ଲାସର ସହ ବିଜୟ ଉତ୍ସବ ମନାଉଥିବା ବେଳେ ରକ୍ତମୁଖା ସାଜିଛନ୍ତି ପରାଜିତ ପ୍ରାର୍ଥୀ । ପରାଜିତ ପ୍ରାର୍ଥୀ ଏବଂ ସେମାନଙ୍କର ଘନିଷ୍ଠ ସହଯୋଗୀମାନେ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମକୁ ଯାଇ ଟଙ୍କା ଫେରସ୍ଥ ମାଗୁଥିବା ଭଳି ଖବର ଜାଣିବାକୁ ମିଳୁଛି । ଚଳିତ ନିର୍ବାଚନରେ ପ୍ରବଳ ଅର୍ଥ କାରବାର ହୋଇଥିବା ଜଣାପଡିଛି । ମାନ୍ୟବର ନିର୍ବାଚନ କମିଶନଙ୍କ ତରଫରୁ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ନିର୍ବାଚନୀ ଖର୍ଚ୍ଚ ସରପଞ୍ଚ ଓ ସମିତି ସଦସ୍ୟ ମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଓ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ମାନଙ୍କ ପାଇଁ ୫ ଲକ୍ଷ ରହିଛି । ତେବେ ୨୦୨୨ ପଞ୍ଚାୟତ ନିର୍ବାଚନରେ ପ୍ରତି ସରପଞ୍ଚ ପ୍ରାର୍ଥୀଙ୍କ ର ଅନୁ୍ୟନ ୧୦ ରୁ ୧୩ ଲକ୍ଷ ଟଙ୍କା ଓ ଜଣେ ସମିତି ସଦସ୍ୟଙ୍କ ଅନୁ୍ୟନ ୫ ରୁ ୭ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହୋଇଥିବା ଏକ ଆକଳନରୁ ଜଣାପଡିଛି । ଯନ୍ତ୍ରଣା ଦାୟକ ହେଲେ ମଧ୍ୟ ଏହା ଧୃବ ସତ୍ୟ ଯେ ପ୍ରାର୍ଥୀ ପୋଷ୍ଟର ବ୍ୟାନର, ପ୍ରଚାର ପ୍ରସାର ପାଇଁ ୧ ଲକ୍ଷ, ମଦ ମାଂସ ପାଇଁ ୨ ରୁ ଅଢେଇ ଲକ୍ଷ, ଭୋଟ ପ୍ରଦାନ ପାଇଁ ଦାବୀ ଅନୁଯାୟୀ ବିଭିନ୍ନ ଗ୍ରାମର ଯୁବକ ସଂଘଙ୍କୁ କ୍ରୀଡା ସରଞ୍ଜାମ କିଣିଦେବା, ଗାଁ କମିଟି ମାନଙ୍କୁ ଭୋଜି ଭାତ କରିବା ପାଇଁ ହଣ୍ଡା, ଡେକ, ମାଇକସେଟ ପ୍ରଭୃତି ପାଇଁ ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ, ବାକି ୪ ରୁ ୫ ଲକ୍ଷ ଟଙ୍କା ନିଜ ସପକ୍ଷରେ ଭୋଟ ପ୍ରଦାନ ନିମନ୍ତେ ପଡାକୁ ପଡା ଏପରିକି ଭୋଟର୍ସ ମୁଣ୍ଡ ପିଛା ବାଣ୍ଟିବା ଭଳି ଟ୍ରେଣ୍ଡ ଏଥରକ ନିର୍ବାଚନରେ ଦେଖିବାକୁ ମିଳିଥିଲା । ପୂର୍ବ ନିର୍ବାଚନ ଗୁଡିକରେ ମଧ୍ୟ ଭୋଟ ପାଇଁ ଟଙ୍କା କାରବାର ହେଉଥିଲା । ହେଲେ ଚଳିତ ନିର୍ବାଚନ ରେ ୯୦ ପ୍ରତିଶତ ଭୋଟର୍ସ କେବଳ ଟଙ୍କାକୁ ଚାହିଁ ବସିଥିଲେ । ରାତି ଅନିଦ୍ରା ରହି ପ୍ରାର୍ଥୀ/ପ୍ରାର୍ଥୀନୀ କିମ୍ବା ସେମାନଙ୍କ ସମର୍ଥକ ତାଙ୍କ ପଡାକୁ ଆସିବା ବାଟକୁ ରାତି ଅନିଦ୍ରା ହୋଇ ଚାହିଁ ବସୁଥିଲେ । କେତେବେଳେ ଆସିବେ ଟଙ୍କା ବାଣ୍ଟିବେ ? ତିନି ପ୍ରାର୍ଥୀଙ୍କ ଠୁଁ ପଇସା ଖାଇଲେ ଯେଉଁ ପ୍ରାର୍ଥୀ/ପ୍ରାର୍ଥୀନୀ ଅଧିକ ପରିମାଣରେ ମଦମାଂସ ଆଉ ଟଙ୍କା ଦେଲା ତାକୁ ଭୋଟ ଦିଆଗଲା । କେତେକ ୱାର୍ଡରେ ୱାର୍ଡ ସଭ୍ୟ ପଦବୀରେ ପ୍ରତିଯୋଗୀତା ପାଇଁ ପ୍ରାର୍ଥୀ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିବା ଖବରରୁ ଜଣା ପଡିଛି । ଭୋଟର୍ସ ଟଙ୍କା ଖାଇ ମଧ୍ୟ ଠକିଥିବାରୁ ପରାଜିତ ପ୍ରାର୍ଥୀ ମାନେ ରକ୍ତମୁଖା ସାଜି ନିଜ ସମର୍ଥକ ମାନଙ୍କ ସହ ଉକ୍ତ ପଡାକୁ ଯାଇ ଭୋଟ ପାଇଁ ପ୍ରଦତ୍ତ ଟଙ୍କା, ମଦ, ମାଂସ ପାଇଁ ଦେଇଥିବା ଟଙ୍କା ଅସୁଲି କରୁଥିବା ଜଣାପଡିଛି । ନର୍ଲା ବ୍ଲକର କେତେକ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଦସ୍ୟ ପଦବୀ ନିମନ୍ତେ ଦ୍ୱି-ମୁଖି ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଅନେକ ସ୍ଥାନରେ ତ୍ରୀ-ମୁଖି ପ୍ରତିଦ୍ୱନ୍ଦିତା ହୋଇଛି । ଭୋଟର୍ସ ମଧ୍ୟ କେବଳ ଜଣକଠୁ ନୁହଁ, ଭୋଟ ଦେବେ କହି ତନି ତିନି ଜଣ ପ୍ରାର୍ଥୀଙ୍କ ଠାରୁ ଟଙ୍କା ଖାଇଥିବା ଜାଣିବାକୁ ମିଳୁଛି । ମନା କଲେ ପ୍ରାର୍ଥୀ/ପ୍ରାର୍ଥୀନୀ ଖରାପ ଭାବିବେ ଓ ଟାରଗେଟ କରିବେ । ଏଣୁ କାହାର କାହିଁକି ମନଦୁଃଖ ? ଗାଁ ଗାଁ ରେ ଏଥରକ ଭୋଟର୍ସଙ୍କ ନାରା ରହିଥିଲା “ଯିଏ ଆଣିଦେଲା ତାର ଖାଅ, ଯିଏ ଅଧିକ ଦେଇଛି ତାକୁ ଦିଅ” । ଗାଁ ଗାଁ ରେ ସାହି ସାହି ରେ ଏହି ନାରା କୁ କାର୍ଯ୍ୟରେ ପରିଣତ କରିଛନ୍ତି ଭୋଟର୍ସ । ପରାଜିତ ପ୍ରାର୍ଥୀ ଟଙ୍କା ଅସୁଲିରେ ଲାଗି ପଡିଥିବା ବେଳେ ଏନେଇ ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମର ବିଭିନ୍ନ ପଡାରେ ପ୍ରାର୍ଥୀ/ପ୍ରାର୍ଥୀନୀ, ସେମାନଙ୍କ ସମର୍ଥକ ଭୋଟର୍ସଙ୍କ ସହ ବଚସା, କଥା କଟାକଟି ଓ ଶେଷରେ ଝଗଡା ପର୍ଯ୍ୟନ୍ତ କଥା ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ମୋ ଠାରୁ ଟଙ୍କା ନେଲ ଅଥଚ ମୋତେ ଠକିଲ ? ଏବେ ମୋ ଟଙ୍କା ଫେରାଅ ବୋଲି ପ୍ରାର୍ଥୀ ଟଙ୍କା ଫେରସ୍ତ ମାଗୁଥିବା ବେଳେ ଭୋଟର୍ସ କହୁଛନ୍ତି ଆମେ କଣ ତୋ ଘରକୁ ଟଙ୍କା ମାଗିବା ପାଇଁ ଯାଇଥିଲୁ ? ତୁ ଆଣି ଆମ ପଡାରେ, ଆମ ଘରେ ଆମକୁ ମଦ ମାଂସ ଖାଇବା ପାଇଁ ଟଙ୍କା ଦେଲୁ । ସେ ଟଙ୍କା କଣ ଆଉ ଆମ ପାଖରେ ଅଛି ଯେ ତମକୁ ଫେରସ୍ତ ଦେବୁ ? ଏନେଇ ଥାନା ପର୍ଯ୍ୟନ୍ତ ମଧ୍ୟ କଥା ଯାଉଥିବା ଜାଣିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.