ରୁଷିଆ ଠାରୁ ତେଲ ଓ ଗ୍ୟାସ ଆମଦାନୀ କରିବନି ଆମେରିକା -ବାଇଡେନ୍‌

ଓଡ଼ିଆ ବାର୍ତ୍ତା\ ୱାଶିଂଟନ: ରୁଷ-ୟୁକ୍ରେନ୍‌ ଯୁଦ୍ଧର ଘନଘଟା ମଧ୍ୟର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳବାର ରୁଷିଆ ଉପରେ ନୂଆ କଟକଣା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଦେଶ ରୁଷିଆ ଠାରୁ ତେଲ ଓ ଗ୍ୟାସ ଆମଦାନୀ କରିବ ନାହିଁ । ବାଇଡେନ୍ କହିଛନ୍ତି ଯେ, ତେଲ ଓ ଗ୍ୟାସ ଆମଦାନୀ ଉପରେ ରୋକ ଲଗାଯିବା ଦ୍ୱାରା ରୁଷିଆର ଅର୍ଥ ବ୍ୟବସ୍ଥା ଉପରେ ବ୍ୟାପକ ପ୍ରଭାବ ପଡ଼ିବ । ଅନେକ କଂପାନୀ ରୁଷିଆରେ ନିଜ କାମକାର୍ଯ୍ୟ ବନ୍ଦ କରିସାରିଛନ୍ତି । କଟକଣା ଯୋଗୁଁ ରୁଷିଆର ଅର୍ଥବ୍ୟବସ୍ଥା ଖରାପ ଆଡ଼କୁ ଗତିକରୁଛି । ସେ କହିଛନ୍ତି ଯେ, ଆମକୁ ୟୁକ୍ରେନ୍‌ର ବିସ୍ଥାପିତ ଲୋକଙ୍କୁ ସହଯୋଗ କରିବାକୁ ହେବ । ଆମକୁ ୟୁକ୍ରେନ୍‌ର ଶରଣାର୍ଥୀଙ୍କ ଦାୟିତ୍ୱ ନେବାକୁ ପଡ଼ିବ ।ବାଇଡେନଙ୍କ ପରେ ବ୍ରିଟେନ ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ, ରୁଷିଆରୁ ତେଲ ଆମଦାନୀ ୨୦୨୨ ଅର୍ଥାତ ଚଳିତ ବର୍ଷ ଶେଷ ଯାଏଁ ବନ୍ଦ କରାଯିବ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ବ୍ରିଟେନ ସରକାର କହିଛନ୍ତି ଯେ, ରୁଷିଆର ଆମଦାନୀ ବିକଳ୍ପ ପାଇଁ ବ୍ୟବସ୍ଥା କରାଯିବ । ଏଠାରେ ପ୍ରକାଶଯୋଗ୍ୟ ଯେ, ୟୁକ୍ରେନ ଉପରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଚାଲୁ ରହିଛି । ଯୁଦ୍ଧ ଯୋଗୁଁ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେଉଛି । ତେବେ ୟୁକ୍ରେନର ଅଧିକ କ୍ଷତି ହୋଇଛି । ଇତି ମଧ୍ୟରେ ବିଶ୍ବର ଅଧିକାଂଶ ରାଷ୍ଟ୍ର ରୁଷ ବିରୁଦ୍ଧରେ ମୁହଁ ଖୋଳିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.