ଓଡ଼ିଆ ଭକ୍ତି ସଂଗୀତରେ ଜଗନ୍ନାଥ ଚେତନା: ଏକ ସଂକ୍ଷିପ୍ତ ଆଲୋଚନା

ଜଗନ୍ନାଥ ଭକ୍ତିର ଠାକୁର। ସେ ରୂପ ହୋଇ ମଧ୍ୟ ଅରୂପ, ଆକାର ପରି ଦିଶୁଥିଲେ ମଧ୍ୟ ନିରାକାର। ସେ ନିର୍ଗୁଣ ହୋଇ ବି ସଗୁଣ। ସେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ହୋଇ ମଧ୍ୟ ମହାକାରୁଣ୍ୟ। ତେଣୁ ସେ କରୁଣା ସାଗର କୃପାସିନ୍ଧୁ। ସେ ଭକତ ଭାବରେ ବନ୍ଧା। ଭକ୍ତ ତାଙ୍କ ଜୀବନ। ଜଗନ୍ନାଥ ଓଡ଼ିଆ ପ୍ରାଣର ଦେବତା। ପୁଣି ସେ ଜଗତର ନାଥ।

ରଥ ତିନି ରୂପ ତିନି ହେଲେ ମଧ୍ୟ ଗୋଟିଏ ରୂପ – ସେ ଜଗନ୍ନାଥ, ଗୋଟିଏ ନାମ – ସେ ଜଗନ୍ନାଥ ସମସ୍ତଙ୍କୁ ବିମୋହିତ କରେ। ଚାରୋଟି ଦେବତା -ଚାରୋଟି ରୂପ, କୃଷ୍ଣ, ଶ୍ବେତ, ପୀତ ଓ ଲୋହିତ। ଏହି ଚାରୋଟି ବର୍ଣ୍ଣ ତ ବିଶ୍ବର ସମସ୍ତ ମଣିଷମାନଙ୍କ ବର୍ଣ୍ଣ। ସତେ ଯେପରି ଏହି ଦେବତାଙ୍କ ଭିତରେ ସବୁ ମଣିଷ ମିଳିଯାଇଛନ୍ତି।

ଭେଦରେ ଅଭେଦ ଏହି ମୂର୍ତ୍ତି ଚତୁଷ୍ଟୟଙ୍କ ବାଣୀ-ମନ୍ତ୍ର। ମୂର୍ତ୍ତି ଚାରି। ଅଥଚ ସବୁ ସେହି ଜଗନ୍ନାଥ। ଚାରି ବର୍ଣ୍ଣରେ ଚଉବର୍ଗ ଦେବାକୁ ସେ ସମର୍ଥ। ସେ ଜଗତ ଓ ନାଥ, ଜୀବ ଓ ପରମ, ରାଧା ଓ କୃଷ୍ଣ, ଗୋପାଙ୍ଗନା ଓ ଗୋପିନାଥଙ୍କର ମଧୁମୟ ମିଳନ। ଭକ୍ତିରେ ହିଁ ତାଙ୍କୁ ଜାଣିହୁଏ, ତର୍କରେ ନୁହେଁ।

ସେଥିପାଇଁ ତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର ପ୍ରଥମ ଛାନ୍ଦରେ ଗାଇଉଠିଛନ୍ତି-
“ସେ କମ୍ବୁକଟକ ରାଜା ନାମ ଜଗନ୍ନାଥ
ଚାରିବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ ହେ।
ଭକ୍ତି ଦେବା ଗୁପ୍ତ ହୋଇଅଛି ଯୁକ୍ତାକ୍ଷରେ
ବୈଷ୍ଣବ ବିହୁନେ କେହୁ ବୁଝିବ ସଂସାରେ ହେ।”

ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ଯେତେଗୁଡିଏ ଓଡିଆ ଭକ୍ତି ସଂଗୀତ ରଚନା କରାଯାଇଛି ତନ୍ମଧ୍ୟରୁ ଭଜନ ଓ ଜଣାଣର ସଂଖ୍ୟା ସର୍ବାଧିକ। ଏହାକୁ ମୂଲ୍ୟାୟନ କରିବା ଅସମ୍ଭବ ବ୍ୟାପାର। ଜଗନ୍ନାଥଙ୍କ ପରି ସଂଗୀତ ପ୍ରିୟ ଦେବତା ପୃଥିବୀରେ ବିରଳ। ପ୍ରତିଦିନ ସଂଗୀତ ନଶୁଣିଲେ ତାଙ୍କ ଆଖିକୁ ନିଦ ଆସେ ନାହିଁ। ସେଥିପାଇଁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଉତ୍କଳର ପ୍ରାଚୀନ କବିମାନଙ୍କ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସଂଖ୍ୟାଧିକ କବି ବହୁ ଭଜନ, ଜଣାଣ, ଛାନ୍ଦ, ଚଉତିଶା ଆଦି ଭକ୍ତି ସଂଗୀତ ରଚନା କରି ଚାଲିଛନ୍ତି।

ପଞ୍ଚାଦଶ ଶତାବ୍ଦୀରୁ ସାଂପ୍ରତିକ କାଳ ପର୍ଯ୍ୟନ୍ତ ଉଦ୍ଧାର କରାଯାଇଥିବା ଭକ୍ତି ସଂଗୀତର କବି ମାନଙ୍କର ମଧ୍ୟରେ ଅଧିକ ଲୋକପ୍ରିୟ ଭକ୍ତି ସଂଗୀତ ରଚନା କରିଛନ୍ତି ସାରଳା ଦାସ, ମାଧବୀ ଦାସୀ, ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଶ୍ରୀଚନ୍ଦନ, ଦୀନକୃଷ୍ଣ ଦାସ, ସାଲବେଗ, ସାରିଆ ଭିକ, ଭିକାରୀ, ବୈଦ୍ୟନାଥ ଦ୍ବିଜ, ଉପେନ୍ଦ୍ର ଭଞ୍ଜ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା,

ଭକ୍ତଚରଣ ଦାସ, ପିଣ୍ଡିକ ଶ୍ରୀଚନ୍ଦନ, ହାଡି ଦାସ, ଅଭିମନ୍ୟୁ ସାମନ୍ତସିଂହାର, ଗଜପତି ବୀରକିଶୋର ଦେବ, କବିସୂର୍ଯ୍ୟ ବଳଦେବ ରଥ, ଗୋପାଳକୃଷ୍ଣ ପଟ୍ଟନାୟକ, ବନମାଳୀ ଦାସ, ନିତ୍ୟାନନ୍ଦ ଦାସ, ଗୈାରଚରଣ ଅଧିକାରୀ, ଚନ୍ଦନ ହଜୁରୀ, ଚଣ୍ଡି ଦାସ, ବିକ୍ରମ ନରେନ୍ଦ୍ର, କଳ୍ପଲତା ଜେମା, ଆର୍ତ୍ତ ଦାସ, ଗଜପତି ମୁକୁନ୍ଦଦେବ, ସାନନ୍ଦ ଦ୍ବିଜ, ଭରତ ଦାସ, ଗୋପାଳ ଦାମୋଦର ଦ୍ବିଜ, ପଦ୍ମନାଭ ପଟ୍ଟନାୟକ, ବାଙ୍କନିଧି ଦାସ, ଭଗବାନ ବାମନ ଦାସ,

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ବୈଷ୍ଣବ ପାଣି, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ବୈକୁଣ୍ଠ ନାଥ ବ୍ରହ୍ମଚାରୀ, ହରିପ୍ରିୟା ଦେବୀ, ବ୍ରହ୍ମୋତ୍ରୀ ମହାନ୍ତି, ତୁଳସୀ ଦାସ, କ୍ଷୀରୋଦ ଚନ୍ଦ୍ର ପୋଥାଳ, ନଗେନ୍ଦ୍ର ମହାପାତ୍ର, ଅଳେଖ ବିଶ୍ବାଳ, ସାରଦା ପ୍ରସନ୍ନ ନାୟକ, ପ୍ରଫୁଲ୍ଲ କର ପ୍ରଭୃତି ପ୍ରାଚୀନ ଓ ମଧ୍ୟଯୁଗୀୟ ତଥା ବିଂଶ ଶତାବ୍ଦୀର କାବ୍ୟ କବିତାରେ ଜଗନ୍ନାଥଙ୍କୁ କେନ୍ଦ୍ରକରି ଯେଉଁ ଭକ୍ତି ସଂଗୀତ ରଚିତ ହୋଇଅଛି ତାହା ଅତ୍ୟନ୍ତ ଭକ୍ତିରସାପ୍ଲୁତ ଓ ମର୍ମସ୍ପର୍ଶୀ।

ସେହି ଭକ୍ତି ସଂଗୀତ ଗୁଡିକୁ ଯେତେ ଗାନ କଲେ ତାହା କେବଳ ଯେ କାନକୁ ସୁଖକର ମନେହୁଏ ତାହା ନୁହେଁ, ଦେହକୁ ପବିତ୍ର ଗଙ୍ଗୋତ୍ରୀରେ ସ୍ନାନ କରାଇ ଦେଇଥାଏ। ଜଗନ୍ନାଥ ଯେ କେତେ ମହାନ ଦେବତା ତାହା ସଂଗୀତ ଶ୍ରବଣରେ ଆପେ ଆପେ ବାରି ହୋଇପଡନ୍ତି। ତାଙ୍କୁ ଯେତେ ଦର୍ଶନ କଲେ ଯେପରି ମନ ବୁଝେନାହିଁ, ସେହିପରି ତାଙ୍କ ସଂଗୀତକୁ ଯେତେ ଶୁଣିଲେ ଶ୍ରବଣର ଆସକ୍ତିରୁ ଦୂରେଇବା ଅସମ୍ଭବ ହୁଏ।

ଷୋଡଶ ଶତାବ୍ଦୀ ଓଡ଼ିଆ ସାହିତ୍ୟର ସନ୍ଥ ସାହିତ୍ୟର ଯୁଗ ଭାବେ ପରିଚିତ। ଏହି ସମୟରେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଏବଂ ଶିଶୁ ଅନନ୍ତ ଦାସଙ୍କ ସମେତ ଆହୁରି ଅନେକ କବି ପୁରାଣ, ସଂଗୀତ ଏବଂ ଯୋଗଭକ୍ତିର ସାହିତ୍ୟ ରଚନା କରି ଓଡ଼ିଶାର ଆଧ୍ୟାତ୍ମିକ ପରିଧିକୁ ପ୍ରସାରିତ କରିଥିଲେ। ସର୍ବୋପରି ଶ୍ରୀଜଗନ୍ନାଥଙ୍କୁ ଭିତ୍ତି କରି କବିମାନେ ସେମାନଙ୍କ ଲେଖନୀକୁ ବଳବତ୍ତର କରିଥିଲେ।

ଅତିବଡି ଜଗନ୍ନାଥ ଦାସଙ୍କର ଏକ ଲୋକପ୍ରିୟ ଭଜନ ହେଲା-
“ଶ୍ରୀପୁରୁଷୋତ୍ତମ ଯିବା ମନ।
ସାଙ୍ଗ ହୋଇଥିବ ପାଞ୍ଚଜଣ।
ତୁନି ହୋଇଥିବ କେହି ନଜାଣିବେ
ବସି ଭାବୁଥିବ ମନେମନେ
ପ୍ରଭୁ ପାଞ୍ଚଜଣ।।”
ଏହି ଭକ୍ତି ସଂଗୀତରେ ସେ ଶ୍ରୀକ୍ଷେତ୍ର ସିଂହଦ୍ଵାର, ବାଇଶି ପାବଚ୍ଛ, କଳ୍ପବଟ ଏବଂ ତିନି ରଥ ଆଦିର ଉଲ୍ଲେଖ କରିଛନ୍ତି।

ଷୋଡଶ ଶତାବ୍ଦୀର କବି ଅଚ୍ୟୁତାନନ୍ଦ ଦାସ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଯେତେଗୁଡିଏ ଭକ୍ତି ସଂଗୀତ ଲେଖିଛନ୍ତି ତନ୍ମଧ୍ୟରେ ‘ଦୀନବନ୍ଧୁ’ ଭଜନଟି ଅତ୍ୟନ୍ତ ଭାବଗର୍ଭକ।
“ଦୀନବନ୍ଧୁ! ମୋ ଦୁଃଖ ନଗଲାଯେ
ତୁମେ ଦୀନବନ୍ଧୁ ମୋ ବନ୍ଧୁ ନୋହିଲେ
ମୋ ବନ୍ଧୁ ହୋଇବ କେ।”

କବି ଅଚ୍ୟୁତାନନ୍ଦ ଦାସ ଜଗନ୍ନାଥଙ୍କୁ ଦୀନଦରିଦ୍ରର ବନ୍ଧୁ ଭାବରେ ଜାଣିଛନ୍ତି। ସେ ପରମ ଯୋଗୀ, ଦୁଃଖୀ ଦୁଃଖର ଅପହରଣକାରୀ। ତାଙ୍କ ଦୁଃଖ ପାଇଁଁ ଅଚ୍ୟୁତାନନ୍ଦ ଆର୍ତ୍ତ ଭାବରେ କଣ୍ଠ ଫଟାଇ ପ୍ରାର୍ଥନା କରିଛନ୍ତି।

ମାଧବୀ ଦାସୀ ଏହି ସମୟର ଜଣେ ବିଶିଷ୍ଟ ଭକ୍ତ ଓ କବି। ଉତ୍କଳର ପ୍ରାଚୀନ ନାରୀ କବି ମାନଙ୍କ ମଧ୍ୟରେ ସେ ଥିଲେ ଅସାଧାରଣ ପ୍ରତିଭାର ଅଧିକାରିଣୀ। ମାଧବୀ ଏକାଧାରରେ ବ୍ରଜବୋଲି ବଙ୍ଗଳା ଓ ଓଡ଼ିଆ ଭାଷାରେ ବହୁ ପଦ୍ୟ ରଚନା କରିଛନ୍ତି। ତାଙ୍କର ଓଡ଼ିଆ ଭଜନ –
“ଚକାନୟନ ହୋ! ଜଗୁଜୀବନ ହରି
କାତରେ ଜଣାଣ କରୁଛି ଛାମୁରେ
ଶୁଣ ପ୍ରଭୁ କାନ ଡ଼େରି।”
ଜଗନ୍ନାଥ ପ୍ରାଣତାର ସର୍ବୋତ୍କୃଷ୍ଠ ପରିଚୟ। ନାରୀ କବି ଭାବରେ ମାଧବୀ ଦାସୀ ଏହି ଭଜନରେ ଅହଲ୍ୟା, ଦ୍ରୈ।ପଦୀ, ମୃଗୁଣୀ, ମୀରା, କରମା, ପିଙ୍ଗଳା ଆଦିଙ୍କୁ ସଙ୍କଟରୁ ରକ୍ଷା କରିବା ଦୃଷ୍ଟାନ୍ତ ଦେଇଛନ୍ତି।

ରୀତି ଯୁଗୀୟ କବିମାନଙ୍କର ଭକ୍ତି ଚେତନାରେ ଅନେକତ୍ର ରାମ କୃଷ୍ଣ ଓ ଜଗନ୍ନାଥ ଏକ ଓ ଅଭିନ୍ନ। ଭକ୍ତକବି ଦୀନକୃଷ୍ଣ ଦାସଙ୍କର ରସକଲ୍ଲୋଳ କାବ୍ୟରେ କୃଷ୍ଣ ହିଁ ସ୍ବୟଂ ଜଗନ୍ନାଥ। ତାଙ୍କର ଲୋକପ୍ରିୟ ଭକ୍ତି ସଂଗୀତ ମଧ୍ୟରେ-
“ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ
ଚଉଦ ଭୁବନ ବାରତା ଜାଣନ୍ତି
ଚକ୍ରରେ ଛେଦନ୍ତି ଆରତ।”


ସେହିପରି କୃପାସିନ୍ଧୁ ବଦନ କରି ଅବଲୋକନ କେଉଁ କରମହୀନ ଜନ। ଚଉତିଶାର ପଦ ଅତ୍ୟନ୍ତ ଲଳିତ ଓ ମର୍ମସ୍ପର୍ଶୀ। କଥିତ ଅଛି କବି ଏହି ଚଉତିଶାକୁ ଯୋଡହସ୍ତରେ ଗରୁଡଖମ୍ବ ନିକଟରେ ରହି ଗାନ କରି ଜଗନ୍ନାଥଙ୍କୁ ବିଚଳିତ କରି ପକାଇଥିଲେ। ଫଳରେ ଶ୍ରୀଜଗନ୍ନାଥ ତାଙ୍କ ସ୍ତୁତିରେ ମୁଗ୍ଧ ହୋଇ ଦୀନକୃଷ୍ଣଙ୍କୁ କୁଷ୍ଠ ରୋଗରୁ ମୁକ୍ତ କରିଥିଲେ।

ସପ୍ତାଦଶ ଶତାବ୍ଦୀର ଜଣେ ପ୍ରତିଭାଶାଳୀ ସଂଗୀତଜ୍ଞ ହେଉଛନ୍ତି ସାଲବେଗ। ତାଙ୍କର ପିତା ମୁସଲମାନ ଲାଲବେଗ ଓ ମାତା ବ୍ରାହ୍ମଣୀ। ସେ ଅନେକ ହୃଦୟସ୍ପର୍ଶୀ ଭଜନ ଓ ଜଣାଣର ରଚୟତା ଏବଂ ପ୍ରତିଟି ରଚନା ମୂଲ୍ୟବୋଧଭିତ୍ତିକ। 

ଭକ୍ତ ସାଲବେଗଙ୍କ ସଂଗୀତ ମାନଙ୍କ ମଧ୍ୟରେ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ, ଏକା ତୋ ଭକତ ଜୀବନ, ଜଗବନ୍ଧୁ ହେ ଗୋସାଇଁ, ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ, ଆହେ ନୀଳଗିରି, ତୁମ୍ଭ ଶ୍ରୀଭୁଜ ଦୟଣା କେରି କେରି ପ୍ରଭୃତି ଭକ୍ତି ସଂଗୀତ ଓଡ଼ିଆ ପ୍ରାଣତନ୍ତ୍ରୀକୁ ଦୋହଳାଇ ଦିଏ।

ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଓଡ଼ିଆ ଲୋକପ୍ରିୟ ଭକ୍ତି ସଂଗୀତର ସଂଖ୍ୟା ଏତେ ବିପୁଳ ଯେ, ଏହାକୁ ସାମଗ୍ରୀକ ଭାବରେ ବ୍ୟାଖ୍ୟା କରିବା ଖୁବ୍ କଠିନ, ଅସମ୍ଭବ ମଧ୍ୟ। ତାଙ୍କ ପ୍ରତି ଅର୍ଘ୍ୟ ଅର୍ପଣ କରିବାରେ ମୂର୍ଖ, ପଣ୍ଡିତ, ରାଜା ପ୍ରଜା କାହା ମଧ୍ୟରେ ବାଛବିଚାର ନଥାଏ। ଓଡ଼ିଆ ଲୋକପ୍ରିୟ ଶ୍ରୀଜଗନ୍ନାଥ ଭକ୍ତି ସଂଗୀତଗୁଡିକ ସମର୍ପଣ ଭାବକୁ ନେଇ ରଚିତ। ନାମର ମହାତ୍ମ୍ୟ, ଗୁଣର ମହିମା ବିଭିନ୍ନ ରୂପରେ ଏହା ବପୁଷ୍ମାନ।

ଶ୍ରୀଜଗନ୍ନାଥଙ୍କ ଠାରେ ଅଟଳ ବିଶ୍ବାସ ସ୍ଥାପନ କରି ଓଡିଆ ଜାତି ବହୁ ବିପଦ ଆପଦ ଓ ବିପର୍ଯ୍ୟୟରୁ ରକ୍ଷା ପାଇଛି ଏବଂ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ମଧ୍ୟ। ପ୍ରଭୁ ଭାବକୁ ନିକଟ ଅଭାବକୁ ଦୂର। ତଥାପି ଶ୍ରୀଜଗନ୍ନାଥ ଏ ଜାତିର ଗତିମୁକ୍ତିଦାତା ଓ ଭାଗ୍ୟ ବିଧାତା।

ଉପସ୍ଥାପନା:
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.