ଥଇଥାନ ହେଲେ ଚାରି ଅନାଥ ଶିଶୁ

ଓଡ଼ିଆ ବାର୍ତ୍ତା/ ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରରୁଆ ବ୍ଳକ ବୈଦ୍ୟନାଥ ପଞ୍ଚାୟତ ମୁକୁନା ଗାଁର ଲେମ୍ବୁ ମୁଣ୍ଡା ଓ ପାର୍ବତୀ ମୁଣ୍ଡା ଚାରିଜଣ ପୁଅ ଝିଅଙ୍କୁ ନେଇ ବେଶ ସୁଖରେ ଘର ସଂସାର ଚାଲିଥିଲା । ହେଲେ ଦଇବର ବିଚିତ୍ର ଲୀଳା । ହସଖୁସି ରେ ଚାଲୁଥିବା ପରିବାର କୁ ଯେମିତି କାହାର ନଜର ଲାଗିଗଲା । ହଠାତ ଗତବର୍ଷ ଯକ୍ଷ୍ମା ରୋଗରେ ପୀଡିତ ହୋଇ ଲେମ୍ବୁ ମୁଣ୍ଡା ପ୍ରାଣ ହରେଇଥିଲେ । ଏହାପରେ ତାଙ୍କର ସ୍ତ୍ରୀ ପାର୍ବତୀ ମୁଣ୍ଡାଙ୍କ ଉପରେ ସମସ୍ତ ଦାୟିତ୍ୱ ପଡିଲା । ସେ ମଧ୍ୟ ଚିନ୍ତାରେ ରହି ମାନସିକ ଅବସ୍ଥା ହରେଇ କେଉଁ ଆଡେ ଚାଲିଗଲେ ଜେ ତାଙ୍କର ଖବର ମିଳିଲା ନାହିଁ । ଫଳରେ ଚାରିଜଣ ଶିଶୁ ବେସାହାରା ହୋଇ ପଡ଼ିଥିଲେ । ବଡପୁଅ ଗହ୍ମା ମୁଣ୍ଡା (୧୫)ଙ୍କ ଉପରେ ସମସ୍ତଙ୍କ ଦାୟିତ୍ୱ ପଡିଲା । ସେ ଯେମିତି ସେମିତି ରେ ୩ ଭାଇ ଭଉଣୀଙ୍କୁ ପୋଷୁଥିଲେ । ହେଲେ ଗତ ମାସେ ତଳେ ତାଙ୍କର ଘର ପୋଡି ଯିବାରୁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପାଖରେ ଥିବା କ୍ଲବ ଘରେ ଆଶ୍ରୟ ନେଇଥିଲେ । ଏହି ଖବର କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ କଳାହାଣ୍ଡିର ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ମହିଳା ଓ ଶିଶୁ ବିକାଶ ବିଭାଗ, ମୟୁରଭଞ୍ଜ ଡିସିପିଓ, ମୟୁରଭଞ୍ଜ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ କୁ ଅଭିଯୋଗ କରି ସେମାନଙ୍କୁ ଥଇଥାନ କରିବାପାଇଁ ନିବେଦନ କରିଥିଲେ । ଏହି ସମସ୍ୟାକୁ ଗୁରୁତର ସହ ନେଇ ଡିସିପିଓ ତୁରନ୍ତ ସେମାନଙ୍କୁ ଥଇଥାନ କରିବାପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣେଇଥିଲେ । ଡିସିପିଓ ଙ୍କ ନିର୍ଦେଶରେ ସମସ୍ତ ଶିଶୁ ମାନଙ୍କୁ ବିଭିନ୍ନ ଜାଗାରେ ଥଇଥାନ କରାଯାଇଛି । ବଡପୁଅ ଗହ୍ମା ମୁଣ୍ଡା ନିଜର ମାମୁଁଙ୍କ ଘରେ ରହୁଥିବା ବେଳେ ମଝିଆ ଝିଅ ଆରତୀ ମୁଣ୍ଡା (୧୩) ବୈଶିଙ୍ଗା ଠାରେ ଥିବା ସ୍ନେହା ଭବନରେ ରହି ପାଠ ପଢୁଛନ୍ତି । ସେହିପରି ତୃତୀୟ ପୁଅ ମଙ୍ଗୁଲୁ ମୁଣ୍ଡା (୧୦) କରଞ୍ଜିଆ ଠାରେ ଥିବା ବିଶ୍ଵବନ୍ଧୁ ସେବକ ସଙ୍ଘ ସିରକୁଲି ଆଶ୍ରମ ରେ ରହିପାଢୁଛନ୍ତି ଓ ସବା ଶେଷ ପୁଅ (୮) ବୈଶିଙ୍ଗା ଠାରେ ଥିବା ସ୍ନେହା ଭବନରେ ରହୁଛନ୍ତି । ସେମାନଙ୍କ ସମସ୍ତ ପଢାପଢି ଦାୟିତ୍ୱ ଶିଶୁ ସୁରକ୍ଷା ସମିତି ନେଇଥିବା ମୟୁରଭଞ୍ଜ ଜିଲ୍ଲାପାଳ ସ୍ବେଛାସେବୀ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.