ତୁଳାପଡାଠାରେ ସଡକ ଦୁର୍ଘଟଣା: ଗଛରେ ପିଟିହୋଇ ଟାଟା ପିକଅପ ଭ୍ୟାନ ଚୁରମାର, ଜଣେ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ତୁଳାପଡା ବୁଲାଣି ଠାରେ ଶୁକ୍ରବାର ଭୋର ୪ ଟା ସମୟରେ ଭୁବନେଶ୍ୱରରୁ ଆସୁଥିବା ଏକ ଟାଟା ପିକଅପ୍ ଭ୍ୟାନ ଗଛରେ ପିଟିହୋଇ ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି । ହେଲପର ସିଟରେ ବସିଥିବା ମେକାନିକ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ ଭୁବନେଶ୍ୱରରୁ ନବରଙ୍ଗପୁର ଏଗ୍ରୋ ଅଫିସକୁ ମିଲେଟ ମିଶନର ବାକ୍ସ, ଟ୍ରେ ଓ ହୁଡିଂ ନେଇକି ଯାଉଥିବା ଟାଟା କମ୍ପାନୀର ନୂଆ ମୋଡେଲ ପିକଅପ୍ ଭ୍ୟାନ ଗାଡି ନଂ- ଓଡି ୩୪ ଏନ୍- ୧୪୬୪ ତୁଳାପଡା ବୁଲାଣିରେ ରାସ୍ତା କଡରେ ରହିଥିବା ଏକ ବଡ ଗଛରେ ପିଟି ହୋଇଯିବା ଫଳରେ ଗାଡିର ହେଲପର ସାଇଡଟି ଚୁରମାର ହୋଇଯାଇଛି । ହେଲପର ସାଇଟରେ ବସିଥିବା ମେକାନିକ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହି ମିଲେଟ ମିଶନ ଗାଡିଟି ସହ ଆଉ ୪ ଗୋଟି ଗାଡି ମଧ୍ୟ ଆଗରେ ଯାଉଥିଲା । ଡ୍ରାଇଭର ସ୍ମୃତି ରଞ୍ଜନ ସାମଲଙ୍କୁ ସେମିତି କିଛି ବିଶେଷ ଆଘାତ ଲାଗିନଥିବା ବେଳେ ସେ ଫୋନ କରି ବାକି ସମସ୍ତ ଷ୍ଟାଫଙ୍କୁ ଡାକିଥିଲେ । ଖବର ପାଇ ନର୍ଲା ପୋଲିସ୍ ଆଇଆଇସି ଗଙ୍ଗାଧର ମେହେର ପୋଲିସ୍ ଟିମ ସହିତ ଯାଇ ଗାଡିଟିକୁ ଉଦ୍ଧାର କରିବା ସହ ମେକାନିକ ଶ୍ରୀ ମହାରଣାଙ୍କୁ ନର୍ଲା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ । ନର୍ଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ମେଡିକାଲକୁ ପଠାଯାଇଥିବା ବେଳେ ଗାଡିରେ ବୋଝେଇ ସାମଗ୍ରୀ ସବୁକୁ ନର୍ଲା ପୋଲିସ୍ ଜବତ କରି ଥାନାକୁ ଆଣିଥିବା ଜଣାପଡିଛି । ମୃତ ପୂର୍ଣ୍ଣଚନ୍ଦ୍ର ମହାରଣା କଟକ ଜିଲ୍ଲା ବ୍ରାହ୍ମଣ ସାହି ଗ୍ରାମର ବୋଲି ଜଣାପଡିଛି । ତାଙ୍କ ସହ ଆଗରୁ ବୋଲେରୋ ଗାଡିରେ ଆସୁଥିବା ତାଙ୍କ ଗ୍ରାମର ଷ୍ଟାଫ୍ ରଶ୍ମୀରଞ୍ଜନ ମହାନ୍ତି ନର୍ଲା ଥାନାରେ ଏନେଇ ଏକ ଏଫଆଇଆର ଦେଇଥିବା ଜଣାପଡିଛି । କିଛି ସହକର୍ମୀ ଭୋର ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବା କଥା କହୁଥିବା ବେଳେ ଡ୍ରାଇଭର ଶ୍ରୀ ସାମଲ ପାହାନ୍ତାରୁ କୁହୁଡି ଯୋଗୁଁ ରାସ୍ତା ଧୂଆଁଳିଆ ଦେଖାଯିବାରୁ ଦୁର୍ଘଟଣା ଘଟିଥିବା କହୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.