ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ନୂତନ ଅନୁଦାନ ଦାବିରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦିଆଯାଇଛି। ସଂଘ ସଭାପତି ବିଶ୍ୱ ରଞ୍ଜନ ଦାସଙ୍କ ମାର୍ଗଦର୍ଶନରେ ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବେହେରା ଓ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ହେମନ୍ତ ରଣା, ଅଧ୍ୟାପିକା ସୁସ୍ମିତା ପଣ୍ଡା, ରାଜେଶ୍ୱରୀ ରାଜପାଏଲୋ, ସୁଚିସ୍ମିତା ପଣ୍ଡା, ଅଧ୍ୟାପକ ଦୀନେଶ ପଟେଲ, ରୋହିତ ସୁନା, ଥବିର ରାଉତ ଓ ଅଣ ଶିକ୍ଷା କର୍ମଚାରୀଙ୍କ ନେତୃତ୍ୱରେ ଦାବିପତ୍ର କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ପ୍ରଦାନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାର ସମସ୍ତ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ୦୧.୦୬.୨୦୦୮ରୁ ୦୧.୦୬.୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱରା ନିଯୁକ୍ତି ପାଇଥିବା ଶତାଧିକ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ନୂତନ ଅନୁଦାନ ଦାବିରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୦୨୫ ଜୁଲାଇ ମାସରେ ଲୋୟର ପିଏମଜିରେ ସଂଘ ତରଫରୁ ହୋଇଥିବା ଆମରଣ ଅନଶନ ମାଧ୍ୟମରେ ସଂଘ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଗୋଚର କରିଥିଲା। ଏହା ପରେ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇ ଏକ ଉଚ୍ଚସ୍ତରୀୟ ବିଭାଗୀୟ ବୈଠକ ବସିଥିଲା। ମାତ୍ର ପରବର୍ତ୍ତୀ ଅବସ୍ଥାରେ ବିଧାନସଭାରେ ଶିକ୍ଷକ ସମାଜଙ୍କ ବିଭିନ୍ନ ଦାବୀ ତଥା ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଅଶୋକ ତ୍ରିପାଠୀଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରି ଛଅ ମାସ ମଧ୍ୟରେ ସଂଘ ଦାବୀ ସମ୍ୱନ୍ଧରେ ତଥ୍ୟ ଦେବା ପାଇଁ ଘୋଷଣା କରିଥିଲେ। ମାତ୍ର ଉକ୍ତ କମିଟି ୬ ମାସ ଅବଧି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସଂଘର ଦାବୀ ସମ୍ୱନ୍ଧୀୟ ତଥ୍ୟ ପ୍ରେରଣ କରିଥିବା ବେଳେ ସରକାର ଅଧ୍ୟାପକ ମାନଙ୍କ ସମସ୍ୟାକୁ ସମାଧାନ ନ କରି ‘ଜ୍ଞାନୋଦୟରୁ ଶିକ୍ଷାର ସମୃଦ୍ଧି’ ଯୋଜନାକୁ ସରକାର ତରବରିଆ ଭାବେ କରିବା ଦ୍ୱାରା ଏହି ଅଧ୍ୟାପକ ଏବଂ କର୍ମଚାରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଉଛି । ତେଣୁ ସଂଘ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ମୌସମୀ ଅଧିବେଶନ ପୂର୍ବରୁ ୨୦୦୮-୧୮ ସରକାରୀ ଅନୁଦାନ ଘୋଷଣା ନିମନ୍ତେ ଦାବୀପତ୍ର ପ୍ରଦାନ କରାଯାଉଛି। ଯଦି ସରକାର ଏହାର ସମାଧାନ ନ କରନ୍ତି ତେବେ ମୌସମୀ ଅଧିବେଶନରେ ସଂଘ ଲୋୟର ପିଏମଜି ଗଣତାନ୍ତ୍ରିକ ପଦ୍ଧତିରେ ଜୋରଦାର ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଂଯୋଜକ ସୂଚନା ଦେଇଛନ୍ତି।





