କର୍ଲାଗୁଡା ସ୍କୁଲରେ ଶିକ୍ଷକଙ୍କ ଅନୁପସ୍ଥିତି, ଅସନ୍ତୋଷରେ ତାଲା ପକାଇ ଦେଲେ ଅବିଭାବକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଶିକ୍ଷା ବିଭାଗ ଅଧିନରେ ଥିବା କର୍ଲାଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମାନେ ମନ ଇଚ୍ଛା ସ୍କୁଲ ଆସୁଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ବିଦ୍ୟାଳୟର ଜଣେ ଶିକ୍ଷକ ବିଳମ୍ବରେ ସ୍କୁଲ ଆସିଥିବା ବେଳେ ଜଣେ ଶିକ୍ଷକ ବିନା ଛୁଟିରେ ସ୍କୁଲ ଆସି ନଥିଲେ। ଏହି ଘଟଣାକୁ ନେଇ ଅବିଭାବକ ଓ ଗ୍ରାମବାସୀମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ। ଘଟଣାର ଖବର ପାଇ ଟେମରା ସିଆରସିସି ସଞ୍ଜୟ ପୁଝାରୀ ସ୍କୁଲରେ ପହଞ୍ଚି ଦିର୍ଘ ସମୟ ଧରି ଆଲୋଚନା କରିଥିଲେ। ତେବେ ଶିକ୍ଷକ ସରୋଜ ପଟେଲ ୧୧ଟା ପରେ ସ୍କୁଲକୁ ଆସି ଥିବାବେଳେ ଅନ୍ୟ ଜଣେ ଶିକ୍ଷକ ବିରଞ୍ଚି ନାଏକ ସ୍କୁଲ ଆସି ନଥିଲେ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଓ ଅବିଭାବକମାନେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଦିର୍ଘ ସମୟ ଧରି ସିଆରସିସି ବୁଝାସୁଝା କରିବା ପରେ ସ୍କୁଲ ଖୋଲା ଯାଇ ପାଠ ପଢ଼ା ସ୍ବାଭାବିକ ହୋଇଥିଲା। ପ୍ରକାଶ ଥାଉ କି କର୍ଲାଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ମନଇଚ୍ଛା ସ୍କୁଲ ଆସୁଥିବା ଅଭିଯୋଗ ରହିଛି। ହେଲେ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା କରୁଥିବା ସମ୍ପୃକ୍ତ ଶିକ୍ଷକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବାରମ୍ବାର ଏଭଲି ଘଟଣା ବିଦ୍ୟାଳୟରେ ଦେଖିବାକୁ ମିଳୁଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଅବିଭାବକ ଓ ଗ୍ରାମବାସୀ ମହଲରେ ଅସନ୍ତୋଷ ଲାଗି ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.