ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍କୁଲକୁ ପାଠ ପଢ଼ାଇବାକୁ ଯାଇ ଫେରିବାକୁ ବସ୍ ଧରିବାକୁ ଛକକୁ ଯାଉଥିବାବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ଜୋରଜବରଦସ୍ତ ଅପହରଣ କରିନେବା ଭଳି ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ । ତେବେ ପୁଲିସ ଶିକ୍ଷୟିତ୍ରୀ ଅପହରଣ ଘଟଣାରେ ଆଦୌ ତତ୍ପରତା ପ୍ରକାଶ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ କିଡି଼ଙ୍ଗ ପ୍ରାଥମିକ ସ୍କୁଲରେ ଭବାନୀପାଟଣା ସହରର ଲୀଳାବତୀ ନାଗ ନାମକ ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବାକୁ ଆସନ୍ତି । ନିତି ପ୍ରତିଦିନ ସେ ଭବାନୀପାଟଣାରୁ ବସରେ ଆସି ଭବାନୀପାଟଣା-ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ଛକରେ ଓହ୍ଲାଇ ସେଠାରୁ ସେ ତିନିଶହ ମିଟର ଦୂରରେ ଥିବା ସ୍କୁଲକୁ ଯାଆନ୍ତି । ସବୁ ଦିନ ଭଳି ଶୁକ୍ରବାର ଦିନ ସେ ସ୍କୁଲକୁ ଆସି ପାଠ ପଢ଼ାଇବା ସହିତ ସ୍କୁଲ ଛୁଟି ହେବା ପରେ ନିଜ ଘରକୁ ଫେରିବା ଓ ବସ୍ ଧରିବା ପାଇଁ ପାଦରେ ଚାଲିଚାଲି କିଡିଙ୍ଗ ଛକକୁ ଯାଉଥିବାବେଳେ ସେଇ ଛକ ନିକଟରୁ ତାଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇଥିବା ଲୀଳାବତୀଙ୍କ ମାଆ ବାସନ୍ତୀ ନାଗ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଝିଅର ଅପହରଣରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳର ପ୍ରତାପ ପାତ୍ରୀ ନାମକ ଜଣେ ବ୍ୟକ୍ତି ସଂପ୍ରୁକ୍ତ ଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଶିକ୍ଷୟିତ୍ରୀଙ୍କ ଅପହରଣକୁ ୨ଦିନ ବିତି ସାରିଥିବାବେଳେ ଏ ପର୍ଯ୍ୟନ୍ତ ପୁଲିସର ତଦନ୍ତ ଆଗକୁ ବଢ଼ିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଝିଅ କେଉଁ ଅବସ୍ଥାରେ ଥିବ, କେଉଁଠି ଥିବ ସେନେଇ ପରିବାର ଲୋକେ ସନ୍ଦିହାନ ହୋଇ ପଡ଼ିଥିବାବେଳେ ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ସହିତ ଝିଅକୁ ଉଦ୍ଧାର କରିବାକୁ ଦାବି କରିଛନ୍ତି । ଏହାସହିତ ଏଇ ଘଟଣାରେ କଳାହାଣ୍ଡି ଏସପି ଅଭିଳାଷ ଜୀ ସ୍ବତନ୍ତ୍ର ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବାକୁ ପରିବାର ଲୋକେ ଦାବି କରିଛନ୍ତି ।