ନେତାଜୀ ସୁବାଷ ଚ଼ନ୍ଦ୍ର ବୋଷ

ଭାରତର ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଥିଲେ ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ। ନେତାଜୀ ନାମରେ ସୁପରିଚିତ ସୁବାଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜାନକୀ ନାଥ ବୋଷ ଓ ମାତାଙ୍କ ନାମ ପ୍ରଭାବତୀ ଦେବୀ।ତାଙ୍କ ପିତା ଥିଲେ ଜଣେ ଦକ୍ଷ ଆଇନଜୀବି। ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ।ନେତାଜୀଙ୍କୁ ପାଞ୍ଚବର୍ଷ ସମୟ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ। ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ। ସେହି ସମୟରେ ପ୍ରୋଟେଷ୍ଟାଣ୍ଡ ସ୍କୁଲର ନିୟମ ଅନୁସାରେ ଭାରତରେ ଜନ୍ମ ଗ୍ରହଣ କରିଥିବା ଯେ ଛାତ୍ର ଯେତେ ଅଧିକ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ବୃତ୍ତି ଦେବା କ୍ଷେତ୍ରରେ ପାତର ଅନ୍ତର ପ୍ରଥା ଅବଲମ୍ବନ କରାଯାଉଥିଲା। ତାହା ହିଁ ଥିଲା ସୁଭାଷଙ୍କ ମନରେ ବିଦ୍ରୋହତା। ପିତା ସୁଭାଷଙ୍କର ମନକଥା ବୁଝି ସୁଭାଷଙ୍କର ଶିକ୍ଷାକୁ ଦେଶୀୟ ହିସାବରେ ଶିକ୍ଷାଦାନ ନିମନ୍ତେ ୧୯୦୯ ମସିହାରେ ପରବର୍ତ୍ତି ଶିକ୍ଷା ବ୍ୟବସ୍ଥା ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ।

୧୯୦୮ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କଦ୍ୱାରା ଫାସି ଦିଆଯାଇଥିଲା। ସୁଭାଷଙ୍କ ପ୍ରତି ଏହାର ପ୍ରଭାବ ପଡ଼ିଲା। ଛାତ୍ର ଜୀବନ କାଳରେ ୧୯୧୧ ମସିହାରେ ସୁଭାଷ ହେଲେ ବିଶ୍ୱବିଦ୍ୟାଳୟର ଶ୍ରଦ୍ଧାର ପାତ୍ର। ଜଣେ ଦକ୍ଷ ସଂଗଠକ, ସୁଭାଷ ବୋଷଙ୍କଦ୍ୱାରା ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରାଗଲା। ପୁନଶ୍ଚ ୧୯୧୧ ମସିହା ଅଗଷ୍ଟ ମାସରେ ରେଭେନ୍ସା କଲେଜିଏଟ ସ୍କୁଲ ଛାତ୍ରାବାସରେ ଚୁଲି ଜଳାଗଲା ନାହିଁ। ସମସ୍ତେ ଉପବାସ ରହି ତାହା ପାଳନ କଲେ। ସ୍ମୃତି ସଭାରେ ସୁଭାଷଙ୍କର ବକ୍ତୃତା ସମସ୍ତ ମର୍ମସ୍ପର୍ଶୀ ହେଲା। ସେ ଦିନ ସୁଭାଷ ତାଙ୍କର ସମସ୍ତ ଛାତ୍ର ବନ୍ଧୁଙ୍କୁ ଉଦ୍ୱୋଧନ ଦେଇ କହିଥିଲେ ଦେଶର ଲୋକମାନଙ୍କୁ ଦେଶାତ୍ମକ କରିବାକୁ ହେଲେ ସେମାନଙ୍କୁ ଦେଶାତ୍ମକ ଧର୍ମରେ ଦୀକ୍ଷିତ କରିବାକୁ ହେବ।

ସହୀଦ ଖୁଦୀରାମଙ୍କର ସ୍ମୃତି ଦିବସ ପାଳନ ହେବାର ସମ୍ବାଦ ଇଂରେଜ ସରକାରଙ୍କ ନିକଟକୁ ପହଞ୍ଚିଲା। ସେଥିଯୋଗୁଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କେତେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା ପ୍ରଧାନ ଶିକ୍ଷକ ବେଣିମାଧବ ଦାସଙ୍କୁ। ଏହି କାରଣରୁ ବେଣୀମାଧବ ଦାସଙ୍କ ନଦୀଆ ଜିଲ୍ଲା ଅନ୍ତର୍ଗତ କୃଷ୍ଣଗେରକୁ ଯିବାକୁ ଆଦେଶ ଆସିଲା। ଶିକ୍ଷକଙ୍କ ବଦଳିର ଆଦେଶ ଶୁଣି ଚୁପ ରହିପାରିଲେ ନାହିଁ, ସମସ୍ତ ଛାତ୍ରମାନଙ୍କୁ ନେଇ ଆନ୍ଦୋଳନ କରିଥିଲେ ମଧ୍ୟ ଶେଷରେ ଶିକ୍ଷକଙ୍କ ବଦଳି ହୋଇଥିଲା। ୧୯୧୩ ମସିହାରେ ସୁଭାଷଙ୍କର ମେଟ୍ରିକୁଲେସନ ପରୀକ୍ଷା ଫଳ ପ୍ରକାଶ ପାଇଲା। ସୁଭାଷ ସମସ୍ତଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପିତା ଜାନକୀନାଥଙ୍କ ଇଛାରେ ୧୯୧୩ ମସିହାରେ ସେ କଲିକତା ବଙ୍ଗଳା ଶ୍ରେଷ୍ଠ କଲେଜ ପ୍ରେସିଡେନ୍ସି କଲେଜରେ ଯୋଗଦେଲେ। ୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହରେ ଆଇ. ସି. ଏସ. ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ।

୧୯୨୧ ମସିହା ଜୁଲାଇ ୧୬ରେ ସୁଭାଷ ବୋଷ କେମ୍ବ୍ରିଜ ପରିତ୍ୟାଗକରି ବମ୍ବେ ଆସିଥିଲେ। ସେ ଯେଉଁ ଜାହାଜରେ ଆସୁଥିଲେ ସେ ଜାହାଜରେ ରବିନ୍ଦ୍ରନାଥ ଟାଗୋର ମଧ୍ୟ ଭାରତ ଆସୁଥିଲେ। ତାଙ୍କ ସହ ଅଲୋଚନା କରି ସେ ଜାଣିଥିଲେ ଯେ ନିଜେ ରବିନ୍ଦ୍ରନାଥ ଗାନ୍ଧିଜୀଙ୍କର ଆନ୍ଦୋଳନ ପ୍ରତ୍ୟାହାର ନୀତିକୁ ସମର୍ଥନ କରୁଥିଲେ। ସେ ବମ୍ବେରୁ ଓହ୍ଲାଇ ମହାତ୍ମାଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେତେବେଳେ ଗାନ୍ଧିଜୀ ଥିଲେ ବାସ୍ତବରେ କଂଗେସର ଅପ୍ରତିଦ୍ୱନ୍ଦୀ ଓ କର୍ଣ୍ଣଧାର ମାତ୍ର ୧୯୧୪ ମସିହାରେ ଭାରତକୁ ଫେରି ଆସିବା ସମୟରେ ଦକ୍ଷିଣ ଆଫ୍ରିକାରେ ପାର୍ଲିଆମେଣ୍ଟ ବିରୁଦ୍ଧରେ ଭାରତୀୟମାନଙ୍କ ଅଧୀକାରର ସୁରକ୍ଷା ଆଣିବା ନିମନ୍ତେ ସତ୍ୟାଗ୍ରହଦ୍ୱାରା ସଫଳ ହୋଇଥିଲେ। ସେତେବେଳେ ଗାନ୍ଧିଜୀ ବମ୍ବେର ମଣିଭବନରେ ବସ କରିଥିଲେ। ସେଠାରେ ସେ ସ୍ୱାଧୀନତା ସଂଗ୍ରାମର ପରିକଳ୍ପନା କଣ ଏବଂ ରୂପାୟନ ସଂପର୍କରେ ସ୍ପଷ୍ଟ ଧାରଣ କଣ ତାହା ଜାଣିବାକୁ ପାଇଲେ। ସେ ଗାନ୍ଧିଜୀଙ୍କୁ ପଚାରିଥିଲେ ଯେ, କାହିଁକି ବିଦେଶୀ ଅମଲାତନ୍ତ୍ରମାନଙ୍କ ଠାରୁ କ୍ଷମତା ଛଡାଇନେବାକୁ ଚାହୁଁଛନ୍ତି।

ସୁଭାଷଙ୍କର ଆଉଗୋଟିଏ ପ୍ରଶ୍ନ ଥିଲା ଗୋଟିଏ ବର୍ଷ ମଧ୍ୟରେ କେଉଁ ପ୍ରକାର ଉପାୟକୁ ଅବଲମ୍ବନ କରି ଭାରତ ସ୍ୱାଧିନତା ପାଇବ ? ଗାନ୍ଧିଜୀ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ ଏହା ଅସମ୍ଭବ। ସେଠାରେ ସେ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ତାହର ସନ୍ତୋଷ ଜନକ ଉତ୍ତର ପାଇ ପାରିନଥିଲେ। ଗାନ୍ଧିଜୀ କହିଥିଲେ ତୁମେ ଚିତ୍ତରଞ୍ଜନଙ୍କୁ ସାକ୍ଷତ କରି ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କର। ଏହା ପରେ ସେ କଲିକତାର ରସାରୋଡ଼ରେ ଯାଇ ଚିତ୍ତରଞ୍ଜନଙ୍କ ବାସଗୃହରେ ସାକ୍ଷାତ କଲେ। ଏହା ଥିଲା ତାଙ୍କର ଚିତ୍ତରଞ୍ଜନଙ୍କ ସହ ପ୍ରଥମ ସାକ୍ଷାତ। ଏହା ପରେ ଉଭୟଙ୍କ ବିରାଟ ଓ ମହତ ତ୍ୟାଗ ନିଷ୍ପତ୍ତିର ମିଶ୍ରଣଦ୍ୱାରା ସ୍ୱାଧୀନତା ସଂଗ୍ରାମର ରାଜନୈତିକ ଇତିହାସ ମଧ୍ୟମ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଥିଲା।

ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ। ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ। ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ୱାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ୱାଧୀନତା ଚାହିଁଥିଲେ। ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ। ୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ।ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ।ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାର୍ଜିନିଙ୍କଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ।ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ। ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ। ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ। ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ। ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ।ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ। ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ। ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ। ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ। ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା। ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା।‌ ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବେ ନିରୁପିତ ହୋଇପାରିନାହିଁ। ଆଜି ତାଙ୍କର ଜୟନ୍ତୀ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।

✍🏼 ବିଶ୍ବବିଜୟୀ ଦାଶ
ଯୁବ ସ୍ତମ୍ଭକାର
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ ନଂ: ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.