ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ପ୍ରଦେଶ କଂଗ୍ରେସ କମିଟି ଡ଼ାକରାରେ ଆଜି ରାଜ୍ୟସାରା କଂଗ୍ରେସ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି, ବ୍ୟାଙ୍କ, ଏଲଆଇସି ଘରୋଇକରଣ, ହିଡେନବର୍ଗ ରିପୋର୍ଟର ତଦାରଖ ପାଇଁ ଜେପିସି ଗଠନ ଦାବୀ, ବିଜେପି ସରକାରଙ୍କ ଲୋକ ମାରଣ ନୀତିକୁ ପ୍ରତିବାଦ କରି ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା, ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହି କ୍ରମରେ ନର୍ଲା ବ୍ଲକ କଂଗ୍ରେସ କମିଟି ତରଫରୁ ମଧ୍ୟ ସଭାପତି ସମୀର ଚାନ୍ଦଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, ବରିଷ୍ଠ ସଦସ୍ୟ ଭବାନୀ ପଧାନ, ଅଲେଖ ସେନାପତି, ଜନ୍ମେଜୟ ଭୋଇ, ଅଶୋକ ନାଏକ, କ୍ଷେତ୍ର ବିଶ୍ୱାଳ, ଶୁଭେନ ମହାନନ୍ଦ, ସନ୍ତୋଷ ମାଝୀ, ଶ୍ୟାମଘନ ନାଏକ ପ୍ରମୁଖଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ନର୍ଲା ଡାକ ବଙ୍ଗଳାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗ୍ୟାସ ଅଫିସ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦଳୀୟ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରବାଜୀ କରିଥିଲେ।