ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ମନରେଗା ଶ୍ରମିକମାନେ ନିଖିଳ ଓଡ଼ିଶା ଏନ୍ଆର୍ଇଜିଏ ଶ୍ରମିକ ସଂଘ ନେତୃତ୍ବରେ ଆଜି ବିଧାନସଭା ଅଭିଯାନରେ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ ସହ ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାମହିମ ରାଜ୍ୟପାଳଙ୍କଠାରେ ଦାବିପତ୍ର ଉପସ୍ଥାପନ କରିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ପଞ୍ଚାୟତରାଜ ମନ୍ତ୍ରୀଙ୍କଠାରେ ପାଞ୍ଚଦଫା ଦାବିପତ୍ର ଉପସ୍ଥାପନ କରିଛନ୍ତି। ଆଜି ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ୍ଠାରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପି.ଏମ୍.ଜି. ଠାରେ ପହଞ୍ଚିବା ପରେ ନିଖିଳ ଓଡ଼ିଶା ଏନ୍ଆର୍ଇଜିଏ ଶ୍ରମିକ ସଂଘ ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏ.ଆଇ.ଟି.ୟୁ.ସି.ର ସର୍ବଭାରତୀୟ ଉପସଭାପତି କମ୍ରେଡ ବିଦ୍ୟାସାଗର ଗିରି, ଏ.ଆଇ.ଟି.ୟୁ.ସି. ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ବି.କେ.ଏମ୍.ୟୁ. ରାଜ୍ୟ ସମ୍ପାଦକ ସୁର ଜେନା, ସଂଘର ସାଧାରଣ ସମ୍ପାଦକ ସୋମନାଥ ଗିରି, ପ୍ରବୀଣ ଦାଶ, ଶେଖ ଅମଜାଦ୍ ଅଲ୍ଲୀ, ହରିହର ମହାନ୍ତି, ଆଲୋକ ବିଶ୍ଵାଳ, ମାଲିକ୍ ସୁଲେମାନ୍ ଅଲ୍ଲୀ, ବିନ୍ଦୁସାଗର ଓଝା, ଇଲାକାନ୍ତ ମଲ୍ଲିକ, ଉମାକାନ୍ତ ରାଉତ, ଜଗବନ୍ଧୁ ବେହେରା, ଦୁର୍ଯ୍ୟୋଧନ ବିଶ୍ଵାଳ, ତପନ କୁମାର ସିଟ୍, ମନୋଜ ପରିଡ଼ା, ବଳରାମ କୁସଲିଆ, ଶିଶିର ମଲ୍ଲିକ, ହୃଷିକେଶ ପଣ୍ଡା, ରାଜକିଶୋର ଜେନା, ପୁରୁଷୋତ୍ତମ ଜେନା, ସୀମାଞ୍ଚଳ ବାରିକ, ଅଳକନାଥ ମିଶ୍ର, ଗଗନ ଜେନା, ହୃଷିକେଶ ସାହୁ, ଅଜିତ ବାରିକ, ଜଗବନ୍ଧୁ ମିଶ୍ର ଓ ଜ୍ୟୋତିର୍ମୟ ମହାନ୍ତି ପ୍ରମୁଖ ନେତୃବୃନ୍ଦ ଉଦ୍ବୋଧନ ଦେଇଥିଲେ। ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଜବ୍ କାର୍ଡ ପାଇଥିବା ଶ୍ରମମିକଙ୍କୁ ପ୍ରଚଳିତ ବ୍ୟବସ୍ଥାରେ ୧୦୦ ଦିନ କାମ ମଧ୍ୟ ମିଳୁନାହିଁ। କେତେକ ଗ୍ରାମପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଜବ୍ କାର୍ଡଧାରୀଙ୍କ ବ୍ୟାଙ୍କ ଖାତାର ଏଟିମ୍ ଗାଁ କଣ୍ଟ୍ରାକ୍ଟର ପାଖରେ ରହୁଛି। ମେସିନ୍ କାମ କରୁଛି, ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଶ୍ରମିକ ବେରୋଜଗାର ହୋଇ ପ୍ରବାସ ଗମନ ପାଇଁ ବାଧ୍ୟ ହେଉଛି। ତେଣୁ ସଂଘ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ କେତେକ ଦାବି ଉପସ୍ଥାପନ କରାଯାଇଛି। ଦାବିଗୁଡ଼ିକ ହେଉଛି – ଏନ୍ଆର୍ଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୫୦ ଦିନ ନିଶ୍ଚିତ କର୍ମନିଯୁକ୍ତି ପ୍ରଦାନ କରାଯାଉ। ଏନ୍ଆର୍ଇଜିଏ ଶ୍ରମିକଙ୍କ ଦୈନିକ ମଜୁରୀ ଟ. ୭୦୦/- ପ୍ରଦାନ ବ୍ୟବସ୍ଥା କରାଯାଉ।ଏନ୍ଆର୍ଇଜିଏ ଶ୍ରମିକମାନଙ୍କ ସାମାଜିକ ନିରାପତ୍ତା ପାଇଁ ଗ୍ରାମ ଉନ୍ନୟନ ସଂସ୍ଥା, ପଞ୍ଚାୟତିରାଜ ଓ ଏନ୍ଆର୍ଇଜିଏର ବ୍ୟୟ ରାଶିର ୨% ସେସ୍ ଆକାରରେ ଆଦାୟ କରି “ ଏନ୍ଆର୍ଇଜିଏ ଶ୍ରମିକ କଲ୍ୟାଣ ବୋର୍ଡ଼” ଗଠନ କରି ଏହି ନିଶ୍ଚିତ କର୍ମନିଯୁକ୍ତ ଶ୍ରମିକ ପରିବାରବର୍ଗଙ୍କ ଚିକିତ୍ସା ବ୍ୟୟ, ଛାତ୍ରବୃତ୍ତି, ଝିଅ ବାହାଘର, ଗୃହ ନିର୍ମାଣ, ୬୦ ବର୍ଷ ହେଲେ ମାସିକ ୩ ହଜାର ଟଙ୍କା ପେନ୍ସନ୍, ବିୟୋଗ ହେଲେ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ବ୍ୟବସ୍ଥା କରାଯାଉ। ଏନ୍ଆଇଇଜିଏ ପାଇଁ କେନ୍ଦ୍ର ବଜେଟ୍ରେ ବାର୍ଷିକ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରନ୍ତୁ। ଏନ୍ଆର୍ଇଜିଏ ଅର୍ଥରେ ମେସିନ୍ କାମ କରିବା ବନ୍ଦ କରି ନିଶ୍ଚିତ କର୍ମନିଯୁକ୍ତି ବ୍ୟବସ୍ଥାରେ ଗ୍ରାମୀଣ ଶ୍ରମିକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ବ୍ୟବସ୍ଥା କରାଯାଉ ବୋଲି ଦାବିପତ୍ର ଉପସ୍ଥାପିତ ହୋଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।