୬୦ ଟଙ୍କାରେ ପେଟପୁରା ଖାଆନ୍ତୁ, ଖାଦ୍ୟ ନଷ୍ଟ କଲେ ଭରିବେ ଜରିମାନା

ଓଡ଼ିଆ ବାର୍ତ୍ତା/ ଇନ୍ଦୋର: ୬୦ ଟଙ୍କାରେ ପେଟ ଭରି ଖାଆନ୍ତୁ । କିନ୍ତୁ ଖାଦ୍ୟ ନଷ୍ଟ କଲେ ଜରିମାନା ଭରିବାକୁ ପଡ଼ିବ । ଏମିତି ଅଜବ ନିୟମ ରଖିଛି ଇନ୍ଦୋର ସହରରେ ଥିବା ଏକ ହୋଟେଲ, ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଜରିମାନା ସମ୍ବନ୍ଧୀୟ ସୂଚନା ମଧ୍ୟ ହୋଟେଲ କାନ୍ଥରେ ଉଲ୍ଲେଖ ରହିଛି । ଖାଦ୍ୟ ନଷ୍ଟ କରିବା ଉଚିତ୍ ନୁହେଁ । ଏହା ସମସ୍ତେ ଜାଣିକି ବି ହୋଟେଲରେ ଖାଇବା ସମୟରେ ଅନେକ ଲୋକ ଖାଦ୍ୟ ନଷ୍ଟ କରିଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଇନ୍ଦୋରର ଏହି ହୋଟେଲ ମାଲିକ ଏକ ଅଜବ ନିୟମ ଆପଣାଇଛନ୍ତି । ହୋଟେଲ ମାଲିକ ଅରବିନ୍ଦ ସିଂ କୁହନ୍ତି, ଜଣେ କୃଷକ ବହୁତ ପରିଶ୍ରମ କରି ଫସଲ ଉତ୍ପାଦନ କରିଥାଏ । ସେହିଭଳି ଦୁୂନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ ଓଳି ଖାଇବାକୁ ପାଆନ୍ତି ନାହିଁ । କିନ୍ତୁ ଅନ୍ୟପକ୍ଷେ ଅନେକ ଲୋକ ହୋଟେଲରେ ଖାଇବା ସମୟରେ ଖାଦ୍ୟ ନଷ୍ଟ କରିଥାନ୍ତି । ତେବେ ଖାଦ୍ୟ ଅପଚୟକୁ ରୋକିବା ପାଇଁ ମୋତେ ଏହି ପଦକ୍ଷେପ ନେବାକୁ ପଡ଼ିଛି । ଯାହାଦ୍ୱାରା ଏହି ବାର୍ତ୍ତା ଲୋକଙ୍କ ପାଖକୁ ଯାଉଛି ଏବଂ ସେମାନେ ଖାଦ୍ୟ ନଷ୍ଟ କରିବା ବନ୍ଦ କରୁଛନ୍ତି । ଅରବିନ୍ଦ ତାଙ୍କ ହୋଟେଲରେ ମାତ୍ର ୬୦ ଟଙ୍କାରେ ପେଟ ଭରି ଖାଦ୍ୟ ଖାଇବାକୁ ଦେଇଥାନ୍ତି । କିନ୍ତୁ ସର୍ତ୍ତ ରଖିଥାନ୍ତି, ଯେଭଳି ଖାଦ୍ୟର ଗୋଟିଏ ଶସ୍ୟ ମଧ୍ୟ ନଷ୍ଟ କରିବେ ନାହିଁ ଗ୍ରାହକ । ଯେଉଁ ଗ୍ରାହକ ଖାଦ୍ୟ ନଷ୍ଟ କରିବେ ସେମାନଙ୍କଠାରୁ ୫୦ ଟଙ୍କା ଜରିମାନା ଆଦାୟ କରାଯିବ । ଖୁସିର କଥା ଏହି ନିୟମକୁ କିଛି ଲୋକ ନାପସନ୍ଦ କରୁଥିଲେ ବି ଏଠାରେ କେହି ଖାଦ୍ୟ ନଷ୍ଟ କରିବାକୁ ସାହସ କରନ୍ତି ନାହିଁ ବୋଲି ଅରବିନ୍ଦ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.