ହଜାରେ ବର୍ଷର ବୁଢିପଦର ଭାଲୁଡୁଙ୍ଗରି ହାଟ: ନାହିଁ କିଛି ସୁବିଧା, ଯିବାକୁ ନାହିଁ ଭଲ ବାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୂର୍ବ କାଳରେ ହାଟ ଜିନିଷ କ୍ରୟ ବିକ୍ରୟର ମୁଖ୍ୟ ମାଧ୍ୟମ ଥିଲା । ଲୋକେ ନିଜର ଆବଶ୍ୟକୀୟ ସାମଗ୍ରୀ ଏଠାରୁ କିଣି ନେଇ ଯାଉଥିଲେ । ସେହି ସମୟରେ ଶଗଡ଼ ଗାଡ଼ି ଦ୍ବାରା ହାଟକୁ ମାଲ୍ ଆସୁଥିଲା । ଏକ ବୃହତ ଜନବସତିକୁ ନେଇ ଗୋଟିଏ ହାଟ ବସୁଥିଲା । ସମୟ ବଦଳିଛି ଏହାସହ ବଦଳିଛି ହାଟର ରୂପରେଖ । କିନ୍ତୁ ପରିତାପର ବିଷୟ ଏହିକି ହଜାରେ ବର୍ଷ ତଳର ବୁଢିପଦରର ଭାଲୁଡୁଙ୍ଗରି ହାଟ ଯେଉଁ ତିମିରକୁ ସେହି ତିମିରେ ପଡ଼ି ରହିଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ସାପ୍ତହର ଶନିବାର ଦିନ ବସେ ଭାଲୁଡୁଙ୍ଗରି ହାଟ । ଏଠାରେ ପନିପରିବା, କପଡ଼ା, ବାସନ ବର୍ତ୍ତନ, ଘରକରଣା ସାମଗ୍ରୀ ସହ ଛେଳି, କୁକୁଡ଼ା ମଧ୍ୟ ବିକ୍ରୀ ହୋଇଥାଏ । ଐତିହାସିକ ଦେବଗିରି ପାହାଡ଼ର ପାଦଦେଶରେ ବସୁଥିବା ଏହି ହାଟ ଚରମ ଅବହେଳାର ଶିକାର ହୋଇଛି । ହାଟରେ ପିଣ୍ଡି ନିର୍ମାଣ ହୋଇନାହିଁ । ଯାହା ଫଳରେ ବର୍ଷାଦିନେ ବ୍ୟବସାୟୀ ଓ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ହାଟକୁ ଯିବାପାଇଁ ସବୁ ଦିନିଆ ପକ୍କା ରାସ୍ତା ଖଣ୍ଡିଏ ନାହିଁ । ବର୍ତ୍ତମାନ ଯେଉଁ ମାଟି ରାସ୍ତା ଖଣ୍ଡିକ ଅଛି ତାହା ଗମନାଗମନ ଅନୁପଯୁକ୍ତ ହୋଇ ପଡ଼ିରହିଛି । ହାଟରେ ପାନୀୟ ଜଳର ସୁବିଧା ନାହିଁ କିମ୍ବା ପାଚେରୀ ନାହିଁ । ଏହି ହାଟ ପଞ୍ଚାୟତକୁ ବାର୍ଷିକ ଲକ୍ଷାଧିକ ଟଙ୍କା ଟିକସ ହିସାବରେ ଦେଇଥାଏ । କିନ୍ତୁ ପଞ୍ଚାୟତ କିମ୍ବା ପ୍ରଶାସନ ପକ୍ଷରୁ ଏହି ହାଟର ବିକାଶ ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ । ଏହି ହାଟ ସହ ଅନେକ ଐତିହାସିକ ଘଟଣାବଳୀ ସଂପୃକ୍ତ ହୋଇ ରହିଛି । ହାଟ ପାଖରେ ଥିବା ଦେବଗିରିର ମଧ୍ୟ ପୌରାଣିକ, ଐତିହାସିକ ଓ ପ୍ରତ୍ନତାତ୍ବିକ ଉପାଦାନରେ ଭରପୁର । ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଥିବା ଦେବଗିରି କାଳର କରାଳ ଗର୍ଭରେ ଲୀନ ହେବାପରେ ୧୮୦୦ ମସିହାରୁ କଳାହାଣ୍ଡି ନାଗବଂଶୀ ମହାରାଜମାନେ ଏହାର ପୁନଃରଦ୍ଧାର କରିଥିଲେ । ଏଠାରେ ଏକ ରାଜ ବଙ୍ଗଳା ଥିଲା ଯେଉଁଠି ରାଜ କର୍ମଚାରୀମାନେ ରହୁଥିଲେ । ଭାଲୁଡୁଙ୍ଗରି ହାଟରୁ ସେମାନେ ତଥା ଦୁର ଦୁରାନ୍ତରୁ ଲୋକମାନେ ଜିନିଷ ପତ୍ର କ୍ରୟ କରୁଥିଲେ । ତେଣୁ ଏହି ଐତିହାସିକ ହାଟର ସର୍ବାଙ୍ଗୀନ ବିକାଶ କରିବା ନିମିତ୍ତ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.