ଅଙ୍ଗଦାନ କରିବେ କଳାହାଣ୍ଡିର ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର: ମୃତ୍ୟୁ ପରେ ନିଜର ବହୁମୂଲ୍ୟ ଅଙ୍ଗଦାନ କରିବେ ଥୁଆମୂଳ ରାମପୁରର ଯୁବ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ଦୁର୍ଗା (ଦୁର୍ଗା କୀର୍ତ୍ତି)। ଏନେଇ ସେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ଏନ.ଓ.ଟି.ଟି.ଓ. (National Organ & Tissue Transplant Organization) ନିକଟରେ ଶପଥ ଗ୍ରହଣ କରିଛନ୍ତି।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦର ଅନ୍ତର୍ଗତ ତାଳବନ୍ଧ ପଡ଼ାର ସ୍ବର୍ଗତ ଧବଳେଶ୍ଵର ଦୁର୍ଗାଙ୍କ କନିଷ୍ଠ ପୁତ୍ର ଦୁର୍ଗା କୀର୍ତ୍ତି ଜଣେ ନିର୍ଭିକ ଯୁବ ସାମ୍ବାଦିକ ଭାବେ ସାରା ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରି ପାରିଛନ୍ତି। ସେ ନିଜ ଖବର ମାଧ୍ୟମରେ ଅଞ୍ଚଳର ଅବହେଳିତ ଓ ନିଷ୍ପେସିତ ଲୋକଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜଣେ ନିର୍ଭୀକ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବାରୁ ଅନେକ ସମୟରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ମିଳିଛି, ମାତ୍ର ସେ କଦାପି ପଛଘୁଞ୍ଚା ଦେଇନାହାନ୍ତି। ତାଙ୍କ ମତରେ – “ବଞ୍ଚିଥିବା ଯାଏ କଲମ ମାଧ୍ୟମରେ ସମାଜ ସେବା କରିବି ଏବଂ ମୃତ୍ୟୁ ପରେ ମୋ ଶରୀର ଅନ୍ୟ କାହାର କାମରେ ଆସୁ, ଏହା ହିଁ ମୋର ଏକମାତ୍ର ଲକ୍ଷ୍ୟ।” ଅତି ଗରିବ ଶ୍ରେଣୀର ପରିବାରରୁ ଆସିଥିବା କୀର୍ତ୍ତିଙ୍କ ଜୀବନ ସଂଘର୍ଷମୟ। ପିଲାବେଳୁ ପିତାଙ୍କୁ ହରାଇବା ପରେ ମାଆ ଓ ଦୁଇ ଭାଇଙ୍କ ସହଯୋଗରେ ସେ ନିଜର ସାମ୍ବାଦିକତା କ୍ୟାରିୟର ଗଢ଼ିଛନ୍ତି। ମାନବିକତାର ପରିଚୟ ଦେଇ ସେ ନିଜର ଯକୃତ, ବୃକକ, ହୃଦୟ, ଫୁସଫୁସ, ଅଗ୍ନାଶୟ ସମେତ ଚକ୍ଷୁ ଓ ଅନ୍ୟାନ୍ୟ ପ୍ରମୁଖ ଟିସୁ ଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଏହି ସଂକଳ୍ପ ସମ୍ପର୍କରେ ସେ ଥୁଆମୂଳ ରାମପୁର ପୋଲିସ ଷ୍ଟେସନରେ ଏକ ଆବେଦନ ପତ୍ର ପ୍ରଦାନ କରି ପୋଲିସ ପ୍ରଶାସନକୁ ଅବଗତ କରାଇଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଯେପରି ତାଙ୍କର ଏହି ଶେଷ ଇଚ୍ଛା ପୂରଣ ହୋଇପାରିବ, ସେଥିପାଇଁ ସେ ସହଯୋଗ ଭିକ୍ଷା କରିଛନ୍ତି। “ଜୀବନ ପରେ ବି ବଞ୍ଚିବାର ସୁଯୋଗ” ନାରାକୁ କାର୍ଯ୍ୟରେ ପରିଣତ କରିଥିବା ଏହି ଯୁବ ସାମ୍ବାଦିକଙ୍କ ସାହସିକ ନିଷ୍ପତ୍ତିକୁ ସାରା ଜିଲ୍ଲାରେ ଭୂୟସୀ ପ୍ରଶଂସା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.