କଳାହାଣ୍ଡି ଲେଖକ କଳା ପରିଷଦର ବନାନୀ କବି ସମ୍ମିଳନୀ

“ପ୍ରକୃତି ଓ ସାହିତ୍ୟ ଜୀବନକୁ ମୁକ୍ତ ଆକାଶ ଦିଅନ୍ତି”

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରାକୃତିକ ସବୁଜିମାରେ ସାହିତ୍ୟ ବିଭୋର ହୋଇଉଠେ। ଶାନ୍ତ, ସରଳ ଓ କମନୀୟ ପରିବେଶ ସାରସ୍ୱତ ସାଧନା ପାଇଁ ବେଦୀ ପାଲଟିଯାଏ। ପ୍ରକୃତି ଓ ସାହିତ୍ୟ ଉଭୟେ ପରିବର୍ତ୍ତନର ଦୀପ ଜାଳନ୍ତି ବୋଲି କଳାହାଣ୍ଡି ଲେଖକ କଳା ପରିଷଦର ‘ବନାନୀ କବି ସମ୍ମିଳନୀ’ଅବସରରେ ମତ ପ୍ରକାଶ ପାଇଛି।

ଭବାନୀପାଟଣା ନିକଟସ୍ଥ ଭବାନୀପୁର ଆମ୍ରକୁଞ୍ଜଠାରେ ଅନୁଷ୍ଠିତ ଏଇ ସାରସ୍ୱତ କାର୍ଯ୍ୟକ୍ରମରେ ଉମେଶ ଚନ୍ଦ୍ର ପଣ୍ଡା ପୌରୋହିତ୍ୟ କରିଥିବାବେଳେ ଟିଟିଲାଗଡ଼ର ବିଶିଷ୍ଟ ସାହିତ୍ୟିକ ଗଜାନନ ମିଶ୍ର ମୁଖ୍ୟ ଅତିଥି, ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର ଓ ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡ଼ତ୍ୟା ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇଥିଲେ।

ଏଇ ଅବସରରେ ଗୀତିକାର ଯୁଗଳ କିଶୋର ଯୋଷୀ ସ୍ମୃତି ସମ୍ମାନ-୨୬ରେ ବରିଷ୍ଠ ସାହିତ୍ୟିକ ରାଜୀବ ଲୋଚନ ପାଢ଼ୀ, ଟିଟିଲାଗଡ଼ଙ୍କୁ ସମ୍ମାନିତ କରାଯାଇଥିଲା।

ଜିଲ୍ଲାର ବିଭିନ୍ନ ଅଂଚଳରୁ ୬୦ରୁ ଊର୍ଧ୍ୱ କବି ଯୋଗଦେଇ ଇଂରାଜୀ ନବବର୍ଷ ଓ ପ୍ରକୃତିକୁ ନେଇ ସ୍ୱରଚିତ କବିତାବୃତ୍ତି କରିଥିଲେ। ପରିଷଦର ସାହିତ୍ୟ ପତ୍ରିକା ‘ସାଗର’ ଲୋକାର୍ପିତ ହୋଇଥିଲା।

ସମ୍ପାଦକ ଭବନାଥ ରାୟଗୁରୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଗୁରୁ ସୁଧୀର ଚନ୍ଦ୍ର ପଣ୍ଡା, ଗୁରୁ ଚିତ୍ତ ରଞ୍ଜନ ପଣ୍ଡା ଓ ଗୁରୁ ନରେନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ପରିଷଦ ପରିଚାଳିତ ସଙ୍ଗୀତ ମହାବିଦ୍ୟାଳୟର ସସ୍ମିତା, ରୋଜି, ଲିପ୍ସା, ବୈଷ୍ଣବୀ, କାଜଲ, ସାଗରିକା ଓ ନିକିତା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଯୁଗଳ କିଶୋର ଯୋଷୀ ଓ ସୁରେନ୍ଦ୍ର ପଣ୍ଡା ଗୀତ ରଚନା କରିଥିଲେ।

କାର୍ଯ୍ୟକ୍ରମରେ ଗୋପାଳ ସାହୁ, ସନ୍ତୋଷ ରଥ, ଶୁଭେନ୍ଦୁ ମହାପାତ୍ର, ତାପସ ପଟେଲ ପ୍ରମୁଖ ସହଯୋଗ କରିଥିବାବେଳେ କୋଷାଧ୍ୟକ୍ଷ ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.