ଭବାନୀପାଟଣା ହିଲ୍ ଟାଉନ୍ ସିଭିଲ୍ ସୋସାଇଟିର ଦ୍ଵାଦଶ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ହିଲ୍ ଟାଉନ୍ ସିଭିଲ୍ ସୋସାଇଟିର ଦ୍ଵାଦଶ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପୱାର ସଚିନ୍ ପ୍ରକାଶ, ବିଶିଷ୍ଟ ଅତିଥି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ, ମୁଖ୍ୟବକ୍ତା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭବାନୀପାଟଣା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଅତିଥିମାନେ ହିଲଟାଉନରେ ଲାଗି ରହିଥିବା ଜଳବନ୍ଦୀ ସମସ୍ୟା ଦୂରୀକରଣ ଦିଗରେ କାମ କରିବେ ବୋଲି ମତପ୍ରକାଶ କରିଥିଲେ। ସୋସାଇଟିର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମଲ୍ହାର କଳା କେନ୍ଦ୍ର ଭବାନୀପାଟଣା ଦ୍ଵାରା ସ୍ଵାଗତ ସଂଗୀତ ପରିବେଷଣ କରଯାଇଥିଲା। ସଂପାଦକ ଜିତେନ୍ଦ୍ର କୁମାର ମୁଣ୍ଡ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ବ୍ରହ୍ମାନନ୍ଦ ସାମଲଙ୍କ ଶିଶୁ କବିତା ସଂକଳନ ‘ଚାରିଚାନ୍ଦ’ ଉନ୍ମୋଚନ କରାଯାଇଥିଲା। ଏଥିସହ ଅନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ଲୋକପ୍ରିୟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନ ଓ ବିଶିଷ୍ଟ ଲେଖିକା ସ୍ନେହଲତା ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କୃତ ପ୍ରତିଭାମାନେ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ। ଏ ଅବସରରେ ଏକ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ସୋସାଇଟିର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା। ଏହାକୁ ପ୍ରଫେସର ବିପିନ ବିହାରୀ ପଣ୍ଡା ଉଦଘାଟନ କରିଥିଲେ। ଉତ୍ସବରେ ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ ସଦସ୍ୟମାନଙ୍କୁ ପୂଜ୍ୟପୂଜା, ପୁରସ୍କାର ବଣ୍ଟନ, ନବବିବାହିତ ଦମ୍ପତିଙ୍କୁ ସମ୍ବର୍ଦ୍ଧନା ଓ ନୂତନ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା। ଉପାଧ୍ୟକ୍ଷ ଗଣପତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଉତ୍ସବରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.