ଦାବିପୂରଣ ନ ହେବା ଯାଏଁ ଆନ୍ଦୋଳନ ଜୋରଦାର ହେବ -ଜିତେନ୍ଦ୍ର ମୁଣ୍ଡ

ଏଗାର ଦିନରେ ମିଳିତ ଅମଲା ମଂଚର ଧାରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ମିଳିତ ଅମଲା ମଂଚ ପକ୍ଷରୁ ଚାଲିଥିବା ପ୍ରତିବାଦ ଏଗାର ଦିନରେ ପହଞ୍ଚିଛି। ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ନେତୃତ୍ୱରେ ଆଂଦୋଳନର ଏଗାର ଦିନରେ ନିଜ ନିଜ ବ୍ଲକରେ ତଥା ସଦରର ମହକୁମାରେ କାର୍ଯ୍ୟରତ ପ୍ରାୟ ସମସ୍ତ ଅମଲା ଭାଗ ନେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ମଞ୍ଚର ବୈଠକ ପରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ପ୍ରକାଶ ପାଇଛି। ବ୍ଲକ ସ୍ତରରେ ଏହି ପ୍ରତିବାଦ ଜାରି ରହିଥିବା ବେଳେ ଜିଲ୍ଲାରେ ମଧ୍ୟ ଏହା ତୀବ୍ରତର ହେଉଛି। ଫଳରେ ଜିଲ୍ଲାର ସରକାରୀ କାର୍ଯ୍ୟ ସବୁ ଠପ ହୋଇଯାଇଛି। ଦୁଇ ଦୁଇ ଥର ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ନିଜ ଜିଦରେ ଅଡି ବସିଛି ମଂଚ। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର ମୁଣ୍ଡ ପ୍ରକାଶ କରିଛନ୍ତି। ଆଜି ଏହି ଦାବିକୁ ସମର୍ଥନ ଜଣାଇଛି ଜିଲ୍ଲା ଓଏଏସ୍ ସଙ୍ଘ, ଓଆରଏସ ସଙ୍ଘ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ। ଏହି ପରିପ୍ରେକ୍ଷୀରେ ଓଏଏସ ସଙ୍ଘ ସଭାପତି କଳାହାଣ୍ଡି ଏଡିଏମ ସୁବ୍ରତ ନାଏକ ଦାବିକୁ ସମର୍ଥନ କରିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରିଥିଲେ।ସେହିପରି ଓଆରଏସ ସଂଘ ସଭାପତି ପ୍ରମୋଦ ଖିଲୋ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ସମର୍ଥନ ଜଣାଇବା ସହ ଉଦବୋଧନ ଦେଇଥିଲେ। ପ୍ରକାଶ ଥାଉକି ପ୍ରଥମ ଥର ୨୦୧୩ ମସିହାରେ କନିଷ୍ଠ ସହାୟକମାନଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକରୁ +୨ ହୋଇଥିଲା। ୨୦୧୭ ମସିହାରେ କନିଷ୍ଠ ସହାୟକ ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତା +୨ରୁ ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନକୁ ବୃଦ୍ଧି କରାଯାଇଥିଲା। ମାତ୍ର ଦରମାରେ କୌଣସି ପରିବର୍ତ୍ତନ କିମ୍ବା ବୃଦ୍ଧି ଘଟିନଥିଲା। ତେଣୁ ମୂଳ ଦରମା ଲେଭେଲ-୯ ଗ୍ରେଡ ପେ-୪୨୦୦ କରିବା ପାଇଁ ଦାବି ସଂକ୍ରାନ୍ତୀୟ ଦାବିପତ୍ର ବାରମ୍ବାର ସରକାରଙ୍କୁ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ଗତ ମେ ୨୨ ତାରିଖ ଠାରୁ ୩୧ ସମସ୍ତ ଅମଲା କଳାବ୍ୟାଚ ପରିଧାନ ପୂର୍ବକ ନିଜ ନିଜ ଅଫିସରେ ପ୍ରତିବାଦ କରିଥିଲେ। ଏହି ଦାବି ଉପରେ ସରକାର କିଛି ପଦକ୍ଷେପ ନେଇନଥିବାରୁ ଜୁନ ୨ ତାରିଖରୁ ସମୂହ ଛୁଟିରେ ଥିବା ଅମଲା ମାନେ ଦାବି ପୂରଣ ପାଇଁ ଅଡ଼ି ବସିଥିବା ବେଳେ ସାଧାରଣ ଲୋକଙ୍କ ଚିନ୍ତା ବଢୁଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସମୟରେ ବରିଷ୍ଠ ଅମଲା ସୁକାନ୍ତ ମହାପାତ୍ର, ଅଲେଖ ନାଏକ, ରୂପକେଶରୀ ଦଳେଇ, ବ୍ରଜବନ୍ଧୁ ମୁଣ୍ଡ, ରାଜକିଶୋର ସାହୁ, ଟଂକଧର ସାହୁ, ରତ୍ନାକର ଧଙ୍ଗଡାମାଝୀ, ବିଶ୍ଵନାଥ ମୁଣ୍ଡ, ମନୋରଞ୍ଜନ ଛତ୍ରପାଲ, ସୁଶାନ୍ତ ମେହେର, ମନୀଷା ସାହୁ, ଚିନ୍ମୟୀ ଠାକୁର, କୃଷ୍ଣାରାଣୀ ନାଏକ, ଲବ ମେହେର, ଜଗତ ନାରାୟଣ ହୋତା, ବିହାରୀ ମହାନନ୍ଦ, ଜଗତରାମ ଗହୀର, ଲକ୍ଷ୍ମଣ ବଚ୍ଛା, ବିଶ୍ଵ ପାଢ଼ୀ, ସୁନୀଲ କାନୁନଗୋ, ଅର୍ଜୁନ ମେହେର, ଶିଶିର ଦାସ, ସୁବାଷ ପ୍ରଧାନ, ସୁଦୀପ୍ତ ସିଂ, ଦେବରାଜ ଛତ୍ରୀଆ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.