ପହିଲି ବର୍ଷାରେ ଚାଷୀ ତତ୍ପର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ): ଚଳିତ ବର୍ଷ ଓଡିଶାରେ ମୌଷୁମୀ ପହଞ୍ଚିବାକୁ ବିଳମ୍ବ କରିଛି । ହେଲେ ପାଣିପାଗ ବିଭାଗ ଘୋଷଣା କରିସାରିଲାଣି ଯେ ଆସନ୍ତା ମୌଷୁମୀ ରାଜ୍ୟକୁ ପ୍ରବେଶ କରିସାରିଛି । ଏବଂ ସାରା ଓଡିଶାରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ମୌସୁମୀ ସକ୍ରୀୟତା ଏବଂ ଲଘୁଚାପ ଜନିତ ବର୍ଷା ଗତ ଦୁଇଦିନ ଧରି ଲାଗି ରହିଥିବା ବେଳେ ପହିଲି ବର୍ଷାରେ ନର୍ଲା ଅଞ୍ଚଳର ଚାଷୀକୂଳଙ୍କ ମଧ୍ୟରେ ଚାଷ କାର୍ଯ୍ୟକୁ ନେଇ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ମାଟି ହଳ କରିବାର ପାଗ ଅନୁକୂଳ ରହିଥିବାରୁ କିଏ ଟ୍ରାକ୍ଟରରେ ତ କିଏ ହଳ ଯୋଖୀ ଚାଷ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ପହିଲି ବର୍ଷା ପରଶରେ ମାଟି ନରମ ହେବା ଫଳରେ ଜମିରେ ହଳ କରିବା ଆରମ୍ଭ କରିଦେଇଛନ୍ତି ଚାଷୀ । କେତେକ ଚାଷୀ ଧାନ ମଧ୍ୟ ନିଜ ଜମିରେ ବୁଣିବା ଆରମ୍ଭ କରିଦେଲେଣି । ଏବେ ଚାଷପାଇଁ ତତ୍ପର ହୋଇପଡିଛନ୍ତି ଚାଷୀ ।

କଳାହାଣ୍ଡି ଜିଲ୍ଲା ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଚାଷ କାର୍ଯ୍ୟ ପାଇଁ ବର୍ଷାପାଣି ଉପରେ ସମ୍ପୁର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି । ଆଉ ଭଲ ବର୍ଷା ହେଲେ ତ ଠିକ୍ । ନହେଲେ ମରୁଡିର କଷାଘାତରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ପଡିଥାଏ । ନର୍ଲାରେ ୨୦୧୬, ୨୦୧୭ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ୨୦୧୮, ୧୯,୨୦ ମସିହାରେ ବର୍ଷା ଠିକ୍ ଅନୁପାତରେ ହୋଇଥିଲା । ହେଲେ ବାରମ୍ବାର ଲଘୁଚାପ ଜନିତ ବନ୍ୟା ଓ ଚକଡା ରୋଗ ଯୋଗୁଁ ଅନେକ ଚଷୀ ନୟାନ୍ତ ହୋଇପଡିଥିଲେ । ତଥାପି ଗତ ବର୍ଷ ନର୍ଲା ଅଞ୍ଚଳର ଧାନ ଚାଷ ମଧ୍ୟ ଭଲ ହୋଇଥିବାରୁ ଧାନ ବିକ୍ରୟ କରି ଅଞ୍ଚଳର ଚାଷୀକୁଳ ଭଲ ଦୁଇ ପଇସା ପାଇଥିଲେ ସେମାନଙ୍କର କଷ୍ଟ ଅର୍ଜିତ ·ଷରୁ । ଏବର୍ଷ ମଧ୍ୟ ବର୍ଷା ଭଲ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରେ ଅଞ୍ଚଳର ଚାଷୀ ଖୁସି ଅଛନ୍ତି । ଗତ ତିନି ମାସ ଧରି ପ୍ରଚଣ୍ଡ ରୌଦ୍ର ତାପରେ ମାଟି ଶୁଖିଲା ପଡି ସଂପୁର୍ଣ୍ଣ ଆଣ୍ଟ ହୋଇଯାଇଛି । ଅନ୍ୟ ବର୍ଷ ଗୁଡିକରେ ଖରାଦିନରେ ମଧ୍ୟ ଯେପରି ଲଘୁଚାପ ବର୍ଷା ହୋଇଥାଏ, ଏବର୍ଷ ତା ମଧ୍ୟ ନର୍ଲା ଅଞ୍ଚଳରେ ହୋଇ ନାହିଁ । ଯାହା ଫଳରେ ଚାଷୀ ଆଗରୁ ତାର ଜମିକୁ ହଳ ମଧ୍ୟ କରି ପାରିନାହିଁ । ୩ ଦିନ ହେଲା ଆରମ୍ଭ ହୋଇଯାଇଛି ବର୍ଷର ପ୍ରଥମ ମୌଷୁମୀ ବର୍ଷା । ଦୀର୍ଘ ଦୁଇମାସ ଧରି ପ୍ରଚଣ୍ଡ ରୌଦ୍ର ତାପରେ ଶୁସ୍କ ହୋଇପଡିଥିବା ମାଟିରେ ମଉଳି ଯାଇଥିଲେ ଗଛଲତା । ପହିଲି ମୌଷୁମୀ ବର୍ଷାର କୋମଳ ପରଶରେ ସତେ ଯେମିତି ଜୀବନ୍ତ ହୋଇ ପଡିଛନ୍ତି । ଛୋଟଛୋଟ ଗୁଳ୍ମରାଜିର ମଧ୍ୟ ଅଙ୍କୁରୋଦ୍ଗମ ହୋଇଯାଇଛି । ବେଶୀ ନହେଲେ ମଧ୍ୟ ପ୍ରତ୍ୟହ ଝିପି ଝିପି ବର୍ଷା ପଡୁଛି । ଏବେ ବାପୁଡା ଚାଷୀପୁଅ ପୁରା ତତ୍ପର ହୋଇ ପଡିଛି ଚାଷ କାମରେ । ସବୁଆଡେ ଜମିକୁ ହଳ କରୁଥିବାର ଦୃଶ୍ୟମାନ ହେଉଛି । କେଉଁ ଚାଷୀ ହଳ ଲଙ୍ଗଳ ଯୋଗେ ଜମିକୁ ଚଷୁଥିବା ବେଳେ ସକ୍ଷମ ଚାଷୀ ଟ୍ରାକ୍ଟର ଯୋଗେ ଜମିକୁ ଚଷୁଥିବାର ଦେଖିବାକୁ ମିଳୁଛି । ଏହି ପହିଲି ବର୍ଷାରେ ଜମିକୁ ଭଲଭାବରେ ହଳକରି ମାଟିକୁ ହାଲୁକା କରିଥିଲେ ବିହନ ଗଣ୍ଡାକ ବୁଣିବ, ନତୁବା ଧାନ ରୋଇବ । ଅକ୍ଷୟ ତୃତୀୟାରେ ଆଗରୁ ଅକ୍ଷିମୁଠି ନିୟମ ମୁତାବକ ଅନୁକୁଳ କରି ସାରିଥିଲେ ମଧ୍ୟ ପହିଲି ମୌଷୁମୀ ବର୍ଷାରୁ ଆରମ୍ଭ ହୋଇଥାଏ ପ୍ରକୃତ ଚାଷକାର୍ଯ୍ୟ । ଜମିକୁ ଚଷି ମାଟିକୁ ହାଲୁକା କରିବା ପରେ ପିଡିଆ ଖତ, ଗୋବର ଖତର ପ୍ରୟୋଗ ଫଳରେ ମାଟି ଉର୍ବର ହୋଇ ଭଲ ଫସଲ ଅମଳ ହୋଇଥାଏ । ଚାଷୀ ହୁଡିଲେ ବରଷେ । ଏଣୁ ପହିଲି ବର୍ଷାରୁ ଚଷୀ ତତ୍ପର ହୋଇ ଉଠିଛି ଚଳିତ ବର୍ଷ ମଧ୍ୟ କିଭଳି ଭଲ ଫସଲ ଅମଳ କରିବ ସେଇ ଲକ୍ଷ୍ୟ ନେଇ । ଜମିକୁ ଭଲ ଭାବରେ ଚଷି ହାଲୁକା କରି ସାରିଲେ ବିହନ ଗଣ୍ଡାକ ବୁଣିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.