ଚତୁର୍ଦ୍ଧାମୂର୍ତ୍ତିଙ୍କ ଦକ୍ଷିଣାଭିମୁଖୀ ଯାତ୍ରା

ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ । ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି – 
‘ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ ।
ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ॥’
ଅର୍ଥାତ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ । ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧିବାନ୍ । ସେଦିନ ବିଷ୍ଣୁଙ୍କର ପାଲିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ । ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ । ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିମତେ ଲକ୍ଷ୍ମୀ-ନାରାୟଣ ଭେଟ କରାଯାଇଥାଏ ।
ସାଧାରଣତଃ ଏହି ବାହୁଡ଼ା ଯାତ୍ରାକୁ ଦକ୍ଷିଣାୟନ ଯାତ୍ରା କୁହାଯାଇ ଥାଏ । ଶ୍ରୀଜୀଉ ମାନେ ନବଦିନ ମାଧୁର୍ଯ୍ୟ ଲୀଳା ସାଙ୍ଗ କରି ଏହିଦିନ ଐଶ୍ୱର୍ଯ୍ୟ ଲୀଳା କରିବା ଉଦ୍ଧେଶ୍ୟରେ ସୁନ୍ଦରାଞ୍ଚଳ ଛାଡି ନୀଳାଚଳକୁ ଗମନ କରିଥାନ୍ତି । ବୈଷ୍ଣବୀୟ ଧାରାରେ ଏହା ବିରହ ଯାତ୍ରା । ବ୍ରଜରେ ରସରାଜ ଶ୍ରୀ ଶ୍ୟାମ ସୁନ୍ଦର ଯେପରି ବ୍ରଜକୁ ପରିତ୍ୟାଗ କରି ଦ୍ୱାରକା ଯାତ୍ରା କରିଥିଲେ । ଏହି ଯାତ୍ରା ବ୍ରଜଙ୍ଗନା ମାନଙ୍କୁ କେବଳ ବିରହ ବେଦନା ଦେଇଥିଲା । ଠିକ ସେହିପରି ଗୋପୀ ଭାବରେ ବିଭାବିତ ଭକ୍ତଙ୍କ ମନରେ ମହାପ୍ରଭୁଙ୍କ ଏହି ଯାତ୍ରା ବିରହ ଦେଉଥିବାରୁ ଏହା ସେମାନଙ୍କ ପାଇଁ ବିରହ ଯାତ୍ରା ହୋଇଥାଏ । ବାସ୍ତବରେ ପୂର୍ବେ ଏହି ବାହୁଡା ଯାତ୍ରାରେ କେବଳ ପଞ୍ଚକୋଶି ବାସୀ ହିଁ ବିଶେଷ ଭାବରେ ଭାଗ ନେଉଥିଲେ । ବଙ୍ଗବାସୀ ବୈଷ୍ଣବ ବୃନ୍ଦ ରଥଯାତ୍ରା ପରେ ଗୌଡ଼ ଦେଶକୁ ଫେରି ଯାଉଥିଲେ।  ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଲୀଳା ଥିଲା ରସଶିକ୍ତ ଲୀଳା । ଯାହା କେବଳ ଭାବୁକ ଭକ୍ତ ହିଁ ବୁଝିଥାଏ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ । 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.