ଗଜପତି ଜିଲ୍ଲାର ୫ ଗୋଟି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପାରଳାଖେମୁଣ୍ଡି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାର ପାଞ୍ଚ ଗୋଟି ପଞ୍ଚାୟତରେ ଜନ ଯୋଜନା ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଗ୍ରାମ ସଭା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିକଶିତ ଭାରତ ବିକଶିତ ପଞ୍ଚାୟତ ରୂପେ ଗଢି ତୋଳିବା ପାଇଁ ସବୁ କ୍ଷେତ୍ରରେ ପ୍ରୟାସ ଜାରିରହିଛି। ଏହି ଅବସରରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଉଖୁରା, ବଡକଳାକୋଟ, ଭୁବନୀ ଗ୍ରାମ ପଞ୍ଚାୟତ ଓ ରା.ଉଦୟଗିରି ବ୍ଲକର ମହେନ୍ଦ୍ରଗଡ, ଛେଲାଗଡ ଗ୍ରାମ ପଞ୍ଚାୟତରେ ବିଶେଷ ଗ୍ରାମ ସଭା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ (୨୦୨୪-୨୫) ର ଅଂଶ ଭାବରେ ଆୟୋଜନ କରା ଯାଇଥିଲା, ଯାହାକି ଗ୍ରାମ ସ୍ତରରେ ଅଧିକ ସମାବେଶୀ ଏବଂ ଜନ ଭାଗିଦାରୀ ଯୋଜନା ନିର୍ମାଣ ପାଇଁ ସମାଜକୁ ଅଂଶଗ୍ରହଣ କରାଇବା ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ ଗଜପତି ଜିଲ୍ଲାକୁ କିପରି ଆକାଂକ୍ଷୀ ଜିଲ୍ଲାରୁ ପ୍ରେରଣାଦାୟୀ ଜିଲ୍ଲାରେ ପରିଣତ କରିବାର ଲକ୍ଷ୍ୟକୁ ସାକାର କରିବା ପ୍ରତି ଗୁରୁତ୍ବ ଦିଆଯାଇଛି ଏଥିରେ। ଗୁମ୍ମା ବ୍ଲକ ଅନ୍ତର୍ଗତ ବଡକଳା କୋଟ, ଭୁବନୀ, ଉଖୁରା ଓ ମୁନିସିଙ୍ଗ ଗ୍ରାମ ପଞ୍ଚାୟତରେ ଏହି ବିଶେଷ ଗ୍ରାମ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ରାଷ୍ଟ୍ରୀୟ ଗ୍ରାମ ସ୍ଵରାଜ କାର୍ଯକ୍ରମ ପରିଚାଳକ ତପନ ବାବୁ, ପିରାମଲ୍ ଫାଉଣ୍ଡେସନର  ଦେବବ୍ରତ ଆଚାର୍ଯ୍ୟ ଓ ପ୍ରେମ ସଂଗଠନର କର୍ମୀ ତଥା ଅନ୍ୟାନ୍ୟ ବ୍ଲକ, ଗ୍ରାମ ପଞ୍ଚାୟତ ଅଧିକାରୀ ଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା – ଗ୍ରାମ ପଞ୍ଚାୟତ ପାଇଁ ଆନୁସଙ୍ଗିକ ଯୋଜନା, ଗ୍ରାମୀଣ ବିକାଶ ଏବଂ ସୁସ୍ଥ ଶାସନ ନେଇ ସମ୍ପୃକ୍ତ ସାମୁଦାୟିକ ଅଂଶଗ୍ରହଣ ନିଶ୍ଚିତ କରିବା। ଏହା ସହିତ ବରିଷ୍ଠ ନାଗରିକ ମାନଙ୍କ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସମାଜ ନାୟକ ମାନଙ୍କୁ ସମ୍ମାନ ଦେବା।

ସେହିପରି ରା.ଉଦୟଗିରି ବ୍ଲକର ମହେନ୍ଦ୍ରଗଡ, ଛେଲାଗଡ ଗ୍ରାମ ପଞ୍ଚାୟତରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସେଲଙ୍କ ସମେତ ବ୍ଲକ୍ କର୍ମଚାରୀ, ଗ୍ରାମ ପଞ୍ଚାୟତର ଅଧିକାରୀ ଗଣ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମୁଦାୟିକ ଭାଗୀଦାରିକୁ ସୁନିଶ୍ଚିତ କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଚେତନତା ରାଲି ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସ୍ୱତନ୍ତ୍ର ଗ୍ରାମ ସଭା ପାଇଁ ରାଲି, ସ୍ୱାସ୍ଥ୍ୟ ଶିବିର ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ “ମା ନାମରେ ଗୋଟିଏ ଗଛ’ ପରିବେଶ ସୁରକ୍ଷା ପାଇଁ ଆୟୋଜିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ମାନଙ୍କ ଦ୍ବାରା ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା, ଯାହାକି ଏକ ସଫଳ ଓ ନିମନ୍ତ୍ରଣୀୟ ଅନୁଭବର ଅଂଶ ହୋଇଥିଲା।
ଗ୍ରାମ ବିକାଶ ଲକ୍ଷ୍ୟ ସମ୍ପର୍କରେ ପ୍ରମୁଖ ଅଧିକାରୀମାନେ ସ୍ଥାନୀୟ ବିକାଶ ଲକ୍ଷ୍ୟ, ପଞ୍ଚାୟତ ଉନ୍ନୟନ ସୂଚକ, ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ୨୦୨୪-୨୫ ଏବଂ ଗ୍ରାମ ପଞ୍ଚାୟତ ଯୋଜନା ସହଯୋଗୀ ଦଳ ଗଠନ ଏବଂ ଏହାର ନିୟମିତ ବୈଠକ ବିଷୟରେ ଚର୍ଚ୍ଚା କରା ଯାଇଥିଲା। ପିରାମଲ୍ ଫାଉଣ୍ଡେସନର ପ୍ରୋଗ୍ରାମ୍ ମୁଖ୍ୟ ମାନସ ପ୍ରଧାନଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତ କିପରି ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, କୃଷି, ସହିତ କିପରି ନଅ ଗୋଟି ସ୍ଥାନୀୟ ସତତ ବିକାଶ ଲକ୍ଷ ଆଧାରିତ ଯୋଜନା ପ୍ରସ୍ତୁତ କରି ପଞ୍ଚାୟତର ସମସ୍ତ ଗ୍ରାମ ଏବଂ ବ୍ୟକ୍ତିଙ୍କ ବିକାଶ କରିପାରିବ ଏହା ଉପରେ ବିଶେଷ ଧ୍ୟାନ ଦିଆ ଯାଇଥିଲା। ସଭାରେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନିତ କରାଯିବା ସହିତ ପଞ୍ଚାୟତରେ ଶ୍ରେଷ୍ଠ କାର୍ଯ୍ୟ କରୁଥିବା ଆଶା, ଅଙ୍ଗନବାଡି କର୍ମୀ, ଏ.ଏନ.ଏମ, ଶିକ୍ଷକ, ସାମାଜିକ କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.