ଜଙ୍ଗଲ ଭିତରେ ଲକ୍ଷଲକ୍ଷ ଟଙ୍କାର ଚାରାଗଛ ଫିଙ୍ଗିବା ଘଟଣା: ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ତଥା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳରେ ଦୁର୍ନୀତି ଚରମ ସୀମା ଲଙ୍ଘି ସାରିଥିବାବେଳେ ଗୋଟିକ ପରେ ଗୋଟିଏ ଦୁର୍ନୀତିର ଗୁମର ଏବେ ଫିଟିବାରେ ଲାଗିଛି। ବନ ବିଭାଗ ତରଫରୁ ବିଭିନ୍ନ ଯୋଜନାରେ ବୃକ୍ଷରୋପଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବାବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କାଇଦା କରି ଅର୍ଥ ଓ ଅନୁଦାନ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହିପରି ଭାବେ ଗୋଟିଏ ପ୍ରକଳ୍ପ ନାଁରେ ଏକାଧିକ ପ୍ରକଳ୍ପର କୋଟି କୋଟି ଟଙ୍କା ଲୁଟ ହେଉଥିବାବେଳେ ତଳୁ ଉପର ଯାଏଁ ବନ ବିଭାଗର ସମସ୍ତେ ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। ଏହିପରି ଭାବେ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ସେକ୍ସନ ତଥା ପାଣିମୁଣ୍ଡା ବିଟ ସର୍ଗିଗୁଡା ସଂରକ୍ଷିତ ଜଙ୍ଗଲରେ ବୃକ୍ଷରୋପଣ ପାଇଁ ଏକାଧିକ ଯୋଜନାରେ ଅର୍ଥ ଅନୁଦାନ ଆସିଥିବାବେଳେ ଫରେଷ୍ଟର ଓ ବନରକ୍ଷୀ ମିଳିତ ଭାବେ ଚାରାଗଛ ନଲଗାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବାକୁ ମସୁଧା ଚଳାଇଥିବା ଅଭିଯୋଗ ହେଉଛି। ମାସ ମାସ ଧରି କାମ କଲା ଶ୍ରମିକଙ୍କୁ ପାରିଶ୍ରମିକ ମିଳିନଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ଚାରାଗଛ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଗୋପାଳପୁର, ଟେକରତୋଳା ଓ ମଧୁପୁର ଲକଟାଖମନ ରାସ୍ତାରେ ଦଶ ହଜାରରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଚାରାଗଛ ଫିଙ୍ଗି ଦିଆଯାଇଛି। ଦେଢ଼ମାସରୁ ଅଧିକ ସମୟ ହେଲା ଚାରାଗଛ ସବୁ ଫିଙ୍ଗି ଦିଆଯାଇ ଥିବାବେଳେ ପୁରୁଣା ବୃକ୍ଷରୋପଣକୁ ଦେଖାଇ ଅନୁଦାନ ହଡ଼ପ କରିବାକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମସୁଧା ରଖିଥିବା ଅଭିଯୋଗ ହେଉଛି। ତେବେ ମନରେଗାରେ କୋଟି କୋଟି ଟଙ୍କା ହଡ଼ପ କରାଯାଉଥିବାବେଳେ ଏଥିରେ କିନ୍ତୁ ଟଙ୍କା ନାହିଁ ବୋଲି କାମ ହେଉନି ବୋଲି କୁହାଯାଉଛି। ତେବେ ଆମ୍ବ, ପଣସ, ବାଉଁଶ ଆଦି ମୂଲ୍ୟବାନ ଚାରାଗଛ ସବୁ ଜଙ୍ଗଲ ଭିତରେ ଫିଙ୍ଗିଦେଇ ସେସବୁର ବିଲ, ଭାଉଚର କରି ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହେଉଛି। ବନବିଭାଗର ଉପରିସ୍ଥ ଅଧିକାରୀମାନେ ଏସବୁ ବିଷୟରେ ସବୁ ଜାଣି ମଧ୍ୟ ପି.ସି ପାଇବା ଲୋଭରେ ସେମାନେ ଚୁପଚାପ ଥିବା ଆଲୋଚନା ହେଉଛି। କେବଳ ପାଣିମୁଣ୍ଡା ବିଟ ନୁହେଁ ବନାଞ୍ଚଳ ଅନ୍ତର୍ଗତ ଅନ୍ୟ ସେକ୍ସନ ଓ ବିଟରେ ମଧ୍ୟ ଚାରା ନଲଗାଇ ଅର୍ଥ ହଡ଼ପ କରିବାକୁ ଜଙ୍ଗଲ ଭିତରେ ଲକ୍ଷ ଲକ୍ଷ ଟଙ୍କାର ଚାରାଗଛ ଫିଙ୍ଗାଯାଇଥିବା ଅଭିଯୋଗ ହେଉଛି। ସରକାରୀ ଅନୁଦାନ ହଡ଼ପ ପାଇଁ ବନବିଭାଗର ତଳୁ ଉପର ସମସ୍ତେ ଏକଜୁଟ ହୋଇଯାଇଥିବାବେଳେ ବିଶ୍ୱନାଥପୁର ବନାଞ୍ଚଳର ସମସ୍ତ ଦୁର୍ନୀତି ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ଏନେଇ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଦାବିପତ୍ର ଦେଇ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.