ରୁପ୍ରାରୋଡ ଷ୍ଟେସନ ମାଷ୍ଟରଙ୍କ ଖାମଖିଆଲି ଗୁଣ !

ଡ୍ୟୁଟି ସମୟରେ ଅଚିନ୍ତାରେ ଶୋଇଥିଲେ, ସାମ୍ନାକୁ ଆସିଲା ଭିଡ଼ିଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ ରୁପ୍ରାରୋଡର ଷ୍ଟେସନ ମାଷ୍ଟରଙ୍କ ଦାୟିତ୍ୱହୀନତା ତଥା ଖାମଖିଆଲି ଗୁଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ରାତି ଡ୍ୟୁଟି ସମୟରେ ଷ୍ଟେସନ ମାଷ୍ଟର ଜଣକ ନିଜ ଚେମ୍ବର ଭିତରେ ଥିବା ଟେବୁଲ ଉପରେ ଗୋଡହାତ ଲମ୍ବେଇ ଅଚିନ୍ତାରେ ଶୋଇ ପଡିଥିବାବେଳେ ସେ କରିବା କାମକୁ ଷ୍ଟେସନର ଆଉ ଜଣେ ଅନଭିଜ୍ଞ କର୍ମଚାରୀ କରୁଛନ୍ତି। ଷ୍ଟେସନ ମାଷ୍ଟରଙ୍କ ଏହି କାରନାମାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାରେ ଅନେକ ଟ୍ରେନ ଦୁର୍ଘଟଣା ହୋଇଛି, ଏହାର କାରଣ ମଧ୍ୟ ଭିନ୍ନ ଭିନ୍ନ। ତେବେ ରୁପ୍ରାରୋଡ ରେଳ ଷ୍ଟେସନର ଏହି ବାବୁଙ୍କ ଦାୟିତ୍ବହୀନତା ତଥା ଖାମଖିଆଲି ମନୋଭାବ ଯୋଗୁଁ ଆଗକୁ କିଛି ଅଘଟଣ ଘଟିବା ଅସମ୍ଭବ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି ବସ୍ତିର ସଚେତନ ନାଗରିକ। ଷ୍ଟେସନ ମାଷ୍ଟରଙ୍କ ଏପରି ଖାମଖିଆଲି ଗୁଣ ଯୋଗୁଁ ଅନେକ ସମୟରେ ରୁପ୍ରାରୋଡ ଓ ବରଗାଁ ଫାଟକରେ ଟ୍ରାଫିକ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି।

ଏହାସହ ଏହି ଷ୍ଟେସନରେ କାମକରି ଯିବାପରେ ଷ୍ଟେସନ ମାଷ୍ଟର ଓ ଅନ୍ୟ କର୍ମଚାରୀମାନେ କିଛି ବର୍ଷ ପରେ ପୁଣିଥରେ ରୁପ୍ରାରୋଡକୁ ଲେଉଟୁଥିବା ଦେଖାଯାଇଛି। ଏହାର କାରଣ କ’ଣ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ। ତେଣୁ ରାତିରେ ଆରାମରେ ଶୋଉଥିବା ଏହି ଷ୍ଟେସନ ମାଷ୍ଟରଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ଦାବି କରିଛନ୍ତି ରୁପ୍ରାରୋଡ ଅଞ୍ଚଳବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.