ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ସ୍ଥାନୀୟ ରଙ୍କାବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଓ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଉପାଧ୍ୟକ୍ଷା ମନୀଷା ମିଶ୍ର, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅରୂପାନନ୍ଦ ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା, ପ୍ରଧାନଶିକ୍ଷକ ବିବେକାନନ୍ଦ ସାଗର, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ରୀନା ପଟେଲ ଯୋଗ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି, ମାତାପିତା, ଅଭିଭାବକ ଓ ଗୋଷ୍ଠୀ ମଧ୍ୟରେ ଶିଶୁ ବାଟିକା, ପ୍ରଥମ ଶ୍ରେଣୀର ନାମ ଲେଖାର ବୟସ ଓ ନିପୁଣ ଓଡିଶା କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଥିଲା।
ସମସ୍ତ ଅତିଥି ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ନୂଆ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ରୀତିରେ ଫୁଲଚନ୍ଦନ ଦେଇ ସଂକୀର୍ତ୍ତନ ମଣ୍ଡଳୀ ସହ ସ୍ୱାଗତ କରିଥିଲେ ଓ ସିଲଟ ଉପରେ ତିନୋଟି ଗୋଲ ବୁଲାଇ ଖଡ଼ି ଛୁଆଁଇ ଥିଲେ। ଖଡ଼ିଛୁଆଁ ସରିଲା ପରେ କିଟ୍ ପ୍ରଦାନ କରାଯାଇଥିଲା। ପରେ ଅତିଥି ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ପିତାମାତା, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତିରେ ବୈଠକ କରାଯାଇଥିଲା ।
ଏହି ବୈଠକରେ ଶିକ୍ଷା ସମ୍ବନ୍ଧୀୟ ସ୍ଥାନୀୟ ସମସ୍ୟା ଓ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଭା କାର୍ଯ୍ୟପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅତିଥି ପୂର୍ବ ପ୍ରସ୍ତୁତ ସାକ୍ଷରତା କେନ୍ଦ୍ର, ସଂଖ୍ୟାଜ୍ଞାନ କେନ୍ଦ୍ର ଓ ସୃଜନାତ୍ମକ କେନ୍ଦ୍ର ପରିଦର୍ଶନ କରିଥିଲେ।
ଧର୍ମଗଡ଼ ବିଧାୟକ ଶ୍ରୀ ପଟ୍ଟଯୋଶୀ ଶିକ୍ଷା ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଦୀର୍ଘ ଚାରିଦିନ ମଧ୍ୟରେ ବ୍ଲକର ପ୍ରତ୍ୟେକ ଗାଁକୁ ଯାଇ ନିପୁଣ ଓଡିଶା ତଥା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁର ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରିବ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସୁଶେଷ କୁମାର ମେହେର ପରିଚାଳନା କରିଥିବାବେଳେ ସମସ୍ତ ସିଆରସିସି, ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ। ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।