ଆନ୍ତର୍ଜାତିକ ଅନୁବାଦ ଦିବସରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର

ଅନୁବାଦରେ କୃତ୍ରିମ ବୁଦ୍ଧିମତ୍ତା ସହାୟକ, ମାଲିକ ନୁହେଁ

ଓଡ଼ିଆ ବାର୍ତ୍ତା/ କୋଲକାତା: ଆନ୍ତର୍ଜାତିକ ଅନୁବାଦ ଦିବସ ଅବସରରେ ସାହିତ୍ୟ ଅକାଦେମି କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ପ୍ରେକ୍ଷାଗୃହରେ ‘ଅନୁବାଦ ଏବଂ କୃତ୍ରିମ ବୁଦ୍ଧିମତ୍ତା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଅକେଦେମି ପୂର୍ବାଞ୍ଚଳ କାର୍ଯ୍ୟାଳୟର ଆଞ୍ଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ। ବିଶିଷ୍ଟ ବଙ୍ଗଳା ବିଦ୍ୱାନ ପ୍ରଫେସର ତରୁଣ କୁମାର ଘଟକ ଏହି ଅଧିବେଶନରେ ସଭାପତିତ୍ୱ କରିଥିଲେ। ଆଲୋଚକ ଭାବେ ବାରାସତ ବିଶ୍ବବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରଫେସର ଅରୁଣ ହୋତା, ବିଶିଷ୍ଟ ସଂସ୍କୃତି ଗବେଷକ ଲକ୍ଷ୍ମୀ ନାରାୟଣ ମଲ୍ଲିକ, ସାନ୍ତାଳି ଗବେଷକ ଓ ଅନୁବାଦକ ସୁକଚାନ୍ଦ ସୋରେନ ଏବଂ ଶ୍ରୀ ଶିକ୍ଷାୟତନ କଲେଜର ଅଧ୍ୟକ୍ଷା ଡକ୍ଟର ତାନିଆ ଚକ୍ରବର୍ତ୍ତୀ ଯୋଗଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଆଲୋଚନାରେ ଭାଗ ନେଇ ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ ସାହିତ୍ୟ ଅନୁବାଦ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ଭୂମିକା ଉପଯୋଗୀ ହେଲେ ମଧ୍ୟ ଏହା ସମାନ ଭାବରେ ବିପଦଜ୍ଜନକ। ଏଆଇକୁ କେବଳ ଏକ ଉପକରଣ ବା ସହାୟକ ସାଧନ ଭାବେ ବ୍ୟବହାର କରାଯିବା ଉଚିତ, ମାଲିକ ଭାବରେ ନୁହେଁ। ଅନୁବାଦକମାନେ ନିଜ କାର୍ଯ୍ୟ ପାଇଁ ପ୍ରଯୁକ୍ତିର ସାହାଯ୍ୟ ନେଇପାରନ୍ତି, ମାତ୍ର ଏଆଇ କଦାପି ମାନବୀୟ ସମ୍ବେଦନଶୀଳତା ଓ ଭାବାବେଗ ସୃଷ୍ଟି କରିପାରିବ ନାହିଁ। ବିଶେଷ କରି ଆଦିବାସୀ ସାହିତ୍ୟ, ସ୍ଥାନୀୟ ରୂଢ଼ିପ୍ରୟୋଗ ଏବଂ ଆଞ୍ଚଳିକ ଭାଷାରେ ବ୍ୟବହୃତ ଦେଶଜ ଶବ୍ଦାବଳୀର ମର୍ମକୁ ଏଆଇ ଦ୍ୱାରା ଠିକ୍ ଭାବରେ ଅନୁବାଦ କରାଯାଇ ପାରିବ ନାହିଁ। କାର୍ଯ୍ୟକ୍ରମ ଶେଷରେ ସାହିତ୍ୟ ଅକାଦେମି ପୂର୍ବାଞ୍ଚଳର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ଓ ବିକ୍ରୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.