ହିମାଳୟନ ନାଗଟିବା ଅଭିଯାନରେ ଓଡିଶାର ପ୍ରଥମ ଆଇଏମଏଫ ଅନୁମୋଦିତ କଳାହାଣ୍ଡିର ଦୁଃସାହସିକ ଅଭିଯାତ୍ରୀ ଦଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ୨୬ ଜଣିଆ ଦୁଃସାହସିକ ପର୍ବତାରୋହୀ ଦଳ ଉତ୍ତରାଖଣ୍ଡର ହିମାଳୟନ ନାଗଟିବା ଟ୍ରେକିଙ୍ଗ ସଫଳତାର ସହ ସମାପନ କରିଛନ୍ତି। ଏହି ଅଭିଯାନ ୧ ଏପ୍ରିଲରୁ ଆରମ୍ଭ ହୋଇ ୧୧ ଏପ୍ରିଲରେ ଶେଷ ହେବ। ଏହି ୨୬ ଜଣିଆ ଟିମରେ ୨୦ ଜଣ ଦୁଃସାହସିକ କ୍ରୀଡାବିତ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୬ ଜଣ ଅଫିସିଆଲ ଭାବରେ ରହିଛନ୍ତି।

ସେମାନଙ୍କ ମଧ୍ଯରୁ କର୍ଲାମୁଣ୍ଡାସ୍ଥିତ ରିଷିଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବିକାଶ ଗହୀର, ରଞ୍ଜୁ ରଣା, ମଧୁସ୍ମିତା ସାହୁ, ତନୁଶ୍ରୀ ସାହୁ ସେହିପରି ମଦନପୁର ରାମପୁରର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସସ୍ମିତା ରଣା, ପୂଜା ଭୋଇ, ପ୍ରତିମା ପାତ୍ର, ଜୟଦୁର୍ଗା ଉଚ୍ଚ ବିଦ୍ଯାପୀଠ ମଦନପୁର ରାମପୁରରୁ ଅଶ୍ବନୀ ଡୁଙ୍ଗରୀ, ନର୍ଲା ବ୍ଳକ ଅନ୍ତର୍ଗତ ତୁଳାପଡାସ୍ଥିତ ବିଜୟାନନ୍ଦ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଅଜୟ ମାଝୀ, ଗାତାଞଳୀ ମାଝୀ, ସରିତା ଦୀପ, ନର୍ଲା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପୁଷ୍ପରାଜ ପୋଢ, ରୁବିନା ବାଗ, ରୁପ୍ରାରୋଡର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରିୟଙ୍କା ପୁଟେଲ, ସଳକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରାରୁ ଅଷ୍ଟମ ଶ୍ରେଣୀର ଛାତ୍ର ରାଜ ମାଝୀ, ଭବାନୀପାଟଣାସ୍ଥିତ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଘନଶ୍ୟାମ କୁମାର, ରାହୁଲ ବେମାଲ, ଜୁଲି ସାହୁ ଏହି ଅଭିଯାନରେ ଭାଗ ନେଇଛନ୍ତି। ଏହି ଦୁଃସାହସିକ ପର୍ବତାରୋହଣ ଅଭିଯାନ ଏଭେରେଷ୍ଟ ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ନେତୃତ୍ବ ନେଉଥିବା ବେଳେ ବରିଷ୍ଠ ପର୍ବତାରୋହୀ ପ୍ରଶିକ୍ଷକ ରୋମାଞ୍ଚଳ ଭୋଇ, ଧନପତି ବାଗ, ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଡ଼କ୍ଟର ଘନଶ୍ୟାମ ବେହେରା ପ୍ରମୁଖ ଦାୟିତ୍ବ ନେଇ ସହଯୋଗ କରୁଛନ୍ତି। ସେହିପରି ଛାତ୍ରୀଙ୍କୁ ଗାଇଡ କରିବା ପାଇଁ ବିଶ୍ବବିଦ୍ୟାଳୟର ଭୂଗୋଳ ବିଭାଗର ଅଧ୍ୟାପିକା ରୋଜ ମେରି ରଶ୍ମିତା ଏକା ତଥା ବରଗଡର ଦୁଃସାହସିକ ଗାଇଡ ପୂଜା ପ୍ରଧାନ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି।

ଏହି ପର୍ବତାରୋହଣ ଅଭିଯାତ୍ରୀ ଦଳରେ ୧୫ ଜଣ ମହିଳା ଥିବା ବେଳେ ୧୧ ଜଣ ପୁରୁଷ ରହିଛନ୍ତି। ଏହି ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ହେଉଛି ଓଡିଶାର ପ୍ରଥମ ଆଇଏମଏଫ ଅନୁମୋଦିତ ଟ୍ରେକିଙ୍ଗ। ଏହି ଦୁଃସାହସିକ ପର୍ବତାରୋହଣ ଡେରାଡୁନରୁ ଆରମ୍ଭ ହୋଇ ପନତବାଡି ଦେଇ ବେସ କ୍ଯାମ୍ପରେ ପହଞ୍ଚିଥିଲେ। ତାପରେ ବେସ କ୍ଯାମ୍ପରୁ ସମସ୍ତେ ୫ ଏପ୍ରିଲରେ ରାତି ୪ ଘଣ୍ଟା ସମୟରେ ବାହାରି ଦିନ ପ୍ରାୟ ୧୨ ଘଣ୍ଟା ୩୦ ମିନିଟ ସମୟରେ ୧୦୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ହିମାଳୟନ ନାଗଟିବାରେ ସଫଳତାର ସହିତ ପହଞ୍ଚି ଜାତୀୟ ପତାକା ଉଡାଇବା ସହିତ ମା ମାଣିକେଶ୍ଵରୀଙ୍କ ଜୟ ଧ୍ବନି, ଜୟ ଜଗନ୍ନାଥଙ୍କର ଜୟ ଧ୍ବନି ସହିତ ହିମାଳୟନର ଅନନ୍ଯ ଅନୁଭୂତି ତଥା ଗବେଷଣାତ୍ମକ ଅଭିଜ୍ଞତା ତଥା ପାଣିର ସୁରକ୍ଷା ସଚେତନତା ହାସଲ କରିଥିଲେ।

ଏହି ନାଗଟିବା ଟ୍ରେକିଙ୍ଗ ଶିଖରରେ ପାଖାପାଖି ୧ ଘଣ୍ଟା ରହି ଦୁଃସାହସିକ ପର୍ବତାରୋହଣ, ଭୌଗୋଳିକ ଅନୁଧ୍ୟାନ, ଗ୍ଲାସିୟର ସୁରକ୍ଷା, ହିମାଳୟନର ସୁରକ୍ଷା ତଥା ଆଗାମୀ ପିଢି ପାଇଁ ଏହା କେତେ ଆବଶ୍ୟକ ତାର ମହତ୍ତ୍ବ ଉପରେ ଆଲୋଚନା କରାଯାଇଥିଲା। ପର୍ବତାରୋହଣ ସମୟରେ ଅତ୍ୟଧିକ ୪ ଡିଗ୍ରି ରୁ ୫ ଡିଗ୍ରି ଥଣ୍ଡା ହେଉଥିଲା, ତଥାପି ସମସ୍ତେ ସାହସିକତାର ସହିତ ଶେଷ କରିଥିଲେ। ତାପରେ ସମସ୍ତେ ବ୍ଯାସ କ୍ଯାମ୍ପକୁ ଫେରି ଆସି ଡେରାଡୁନ, ହରିଦ୍ଵାର ହୋଇ ସୁରକ୍ଷିତ ଭାବରେ ସମସ୍ତେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଦୁଃସାହସିକ ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ପାଇଁ ବେଦାନ୍ତ ଆଲୁମିନିୟମ ପ୍ରୟଜୋକ ହୋଇ ୪ ଲକ୍ଷ ଟଙ୍କା ଦେଇଥିବା ବେଳେ ବିକାଶ ଗ୍ରୁପ ଅଫ ଅନୁଷ୍ଠାନ କଳାହାଣ୍ଡି ୫୦୦୦୦ ଟଙ୍କା, କଳାହାଣ୍ଡି ଜିଲ୍ଲାପାଳ ୩୦୦୦୦ ଟଙ୍କା ତତ୍ ସଙ୍ଗେ ମାନନୀୟା କଳାହାଣ୍ଡିର ଲୋକସଭା ସାଂସଦ ୨୦୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଯେଉଁଠାରେ ୟୁଥ୍ ଫର୍ ଓ୍ବଟର ପ୍ଲସ, ୟୁନିସେଫ ଓଡିଶା ଶାଖା ଟି ସାର୍ଟ ପ୍ରଦାନ କରିଥିଲେ।

ଏହି କଳାହାଣ୍ଡିର ଦୁଃସାହସିକ ପର୍ବତାରୋହଣ ଟ୍ରେକିଙ୍ଗ ଅଭିଯାନରେ ଯୁବକ ଯୁବତୀ ମାନେ ସଫଳତା ପାଇ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ତଥା ଓଡିଶା ତଥା ଭାରତବର୍ଷରେ ଗର୍ବ ଓ ଗୌରବ ଆଣି ବିଶ୍ବ ସ୍ତରରେ ପହଞ୍ଚିବ ବୋଲି ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ, ରୋମାଞ୍ଚଳ ଭୋଇ, ଡକ୍ଟର ଘନଶ୍ୟାମ ବେହେରା ମତ ପ୍ରକାଶ କରିଛନ୍ତି। ସେଥିପାଇଁ ଆଗାମୀ ଏହି ଦୁଃସାହସିକ କ୍ରୀଡାବିତ ମାନଙ୍କୁ ଜିଲ୍ଲା ପ୍ରଶାସନ, ସାଂସଦ, ବିଧାୟକ ତଥା ରାଜ୍ଯ ସରକାରଙ୍କର ସହଯୋଗ ପାଇଁ ସେମାନେ ନିବେଦନ କରିଛନ୍ତି। ଏହି ଅଭିଯାନରେ ସହଯୋଗ କରିଥିବା ଜିଲ୍ଲା ପ୍ରଶାସନ, ସାଂସଦ, ବେଦାନ୍ତ ଆଲୁମିନିୟମ, ବିକାଶ ଗ୍ରୁପ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାତ୍ରୀ ଦଳ ଆସନ୍ତା ୧୧ ଏପ୍ରିଲରେ କଳାହାଣ୍ଡିରେ ପହଞ୍ଚିବେ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.