ବସ୍ତା ନିର୍ବାଚନ ମଣ୍ଡଳୀର ମୋଟ୍ ୫୫ଗୋଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ଏବଂ ୧୪ ଗୋଟି ସ୍ଥାନରେ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳ କୋଠା ନିର୍ମାଣ ପାଇଁ ଦାବୀ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବସ୍ତା ନିର୍ବାଚନ ମଣ୍ଡଳୀର ମୋଟ୍ ୫୫ଗୋଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ଏବଂ ୧୪ ଗୋଟି ସ୍ଥାନରେ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳ କୋଠା ନିର୍ମାଣ ପାଇଁ ବସ୍ତା ବିଧାୟିକା ସୁବାସିନୀ ଜେନା ଦାବୀ କରିଛନ୍ତି।
ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଆୟୋଜିତ ବାଲେଶ୍ବର ଜିଲ୍ଲାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ସମୀକ୍ଷା ବୈଠକରେ ବିଧାୟିକା ଜେନା ଯୋଗଦେଇ ଦାବୀ ଉପସ୍ଥାପିତ କରିବା ସହ ଦାବୀ ସମ୍ବଳିତ ଲିଖିତ ପତ୍ର ମଧ୍ୟ ପ୍ରଦାନ କରିଥିଲେ ।
ବିଧାୟିକା ଜେନା କହିଥିଲେ ରାଜ୍ୟର ବିଭିନ୍ନ ତହସିଲରେ ଆଜି ମଧ୍ୟ ଅନେକ ପଡ଼ାଗ୍ରାମ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ଅଦ୍ୟାବଧି ଶତପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିନାହିଁ । ବିଶେଷତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜସ୍ବ ଗ୍ରାମୱାରୀ କ୍ଷୟକ୍ଷତି ଆକଳନ ଓ ରିଲିଫ୍ ଆବଣ୍ଟନ ସମୟରେ ମୁଖ୍ୟ ଗ୍ରାମ ଅଗ୍ରାଧିକାର ପାଉଥିବା ବେଳେ ପଡ଼ାଗ୍ରାମ ପ୍ରତି ଅନେକ ସମୟରେ ଅବିଚାର ର ଅଭିଯୋଗ ଆସୁଅଛି।
ସେହିଭଳି ସମ୍ପୂର୍ଣ୍ଣ ବିଦ୍ୟୁତକରଣ ଓ ସମ୍ପୂର୍ଣ୍ଣ ପାନୀୟ ଜଳ ଯୋଗାଣ ସମୟରେ ମୁଖ୍ୟ ରାଜସ୍ବ ଗ୍ରାମକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ପଡ଼ାଗ୍ରାମର ସ୍ଥିତି ପ୍ରତି ଆଖିବୁଜି ଦିଆଯାଉଛି। ତେଣୁ ଏହିଭଳି କାରଣ ପାଇଁ ପ୍ରତ୍ୟେକ ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଜରୁରୀ ହୋଇପଡିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୭ତାରିଖ ଦିନ ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇ ବିଧାୟିକା ଜେନା ବସ୍ତା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ଓ ବସ୍ତା ତହସିଲର ପଡ଼ାଗ୍ରାମ ଗୁଡିକୁ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ ସମ୍ପର୍କରେ ପ୍ରଶ୍ନ ଉତ୍ଥାପନ କରିଥିଲେ । ଆଜି ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ତହସିଲ ଅନ୍ତର୍ଗତ ୩୧ଟି ଏବଂ ବସ୍ତା ତହସିଲ ଅନ୍ତର୍ଗତ ୨୪ଟି, ଏହିପରି ମୋଟ୍ ୫୫ଟି ପଡ଼ାଗ୍ରାମର ତାଲିକା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ପ୍ରଦାନ କରି ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଓ ସରକାରୀ କାର୍ଯ୍ୟର ସୁବିଧା ପାଇଁ ଏଗୁଡ଼ିକୁ ଯଥା ଶୀଘ୍ର ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ଦାବୀ କରିଥିଲେ ।
ସେହିପରି ବସ୍ତା ଏବଂ ବାଲିଆପାଳ ଦୁଇଟି ବ୍ଲକକୁ ନେଇ ଗଠିତ ବସ୍ତା ନିର୍ବାଚନମଣ୍ଡଳୀରେ ଜଳକା ଏବଂ ସୁବର୍ଣ୍ଣରେଖା ଭଳି ଦୁଇଟି ପ୍ରମୁଖ ନଦୀ ଏବଂ ଏହାର ଶାଖା ସହିତ ପୂର୍ବ ଦିଗରେ ବଙ୍ଗୋପସାଗରର ସମୁଦ୍ର ଉପକୂଳ ଦ୍ୱାରା ଘେରି ରହିଛି। ପ୍ରାୟତଃ ବର୍ଷା ଋତୁରେ ଉଭୟ ନଦୀ ଏହି ଅଞ୍ଚଳରେ ବଡ଼ ବନ୍ୟା ସୃଷ୍ଟି କରନ୍ତି ଏବଂ ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ବାତ୍ୟା ଏବଂ ବନ୍ୟାର ସମ୍ଭାବନା ରହିଥାଏ। ବନ୍ୟା ଏବଂ ବର୍ଷା ଋତୁରେ ବହୁ ସଂଖ୍ୟକ ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ପଞ୍ଚାୟତ ଗୁଡ଼ିକରେ ସ୍ଥାୟୀ ପକ୍କା କୋଠା ଏବଂ ବାତ୍ୟା ଆଶ୍ରୟସ୍ଥଳର ଅଭାବ ହେତୁ ଏହି ଗ୍ରାମ ପଞ୍ଚାୟତଗୁଡ଼ିକରେ ଲୋକଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳ କୋଠା ନିର୍ମାଣ କରିବା ଅତ୍ୟନ୍ତ ଆବଶ୍ୟକ। ତେଣୁ ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ଗୋଟି ସ୍ଥାନରେ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳ କୋଠା ନିର୍ମାଣ ପାଇଁ ବିଧାୟିକା ଜେନା ପ୍ରସ୍ତାବ ରଖିଥିଲେ। ଏଥି ସହିତ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ବ୍ଲକ କୁ ଆସିଥିବା ଏଫ୍.ଡି.ଆର୍ ପ୍ରୋଜେକ୍ଟ ଗୁଡ଼ିକୁ ପାତର ଅନ୍ତର କରାଯାଇ ଦଳୀୟ ଭିତ୍ତିରେ ପ୍ରଦାନ କରାଯାଉଛି। ତେଣୁ ପ୍ରକୃତ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଧ୍ୟାନ ଦେବାକୁ ବିଧାୟିକା ଜେନା ମନ୍ତ୍ରୀଙ୍କ ନିକଟରେ ଦାବୀ କରିଥିଲେ।