ମୋ ମାଟି…
କେବଳ ଧୂଳି ନୁହେଁ,
ଏହା ହେଉଛି ଇତିହାସର ଗଭୀର ପୃଷ୍ଠା,
ଯେଉଁଠି ରକ୍ତରେ ଲେଖାଯାଇଛି
ତ୍ୟାଗ ଓ ସଂଘର୍ଷର ଅମର ଗାଥା।
ଶୁଣ…!
ଏହି ନିରବ ମାଟିର ଅନ୍ତରାଳରେ
ଏବେ ମଧ୍ୟ ଧଡ଼କୁଛି ପୂର୍ବଜମାନଙ୍କ ଶ୍ୱାସ,
ଯେଉଁମାନେ ହସିହସି ଅର୍ପଣ କରିଥିଲେ
ନିଜ ଜୀବନ, ନିଜ ସ୍ୱପ୍ନ, ନିଜ ଆକାଂକ୍ଷା।
ପ୍ରତ୍ୟେକ ଧୂଳିକଣା…
ଏକ ଜୀବନ୍ତ କବିତା,
ସ୍ୱାଭିମାନର ସ୍ୱର,
ଅସ୍ତିତ୍ୱର ଗର୍ଜନ—
ଯେଉଁଠି ମୁଁ ଖୋଜେ ମୋର ପରିଚୟ।
ମୋ ମାଟି—
ମୋର ନିଶ୍ୱାସ, ମୋର ଅନୁଭବ,
ମୋ ଆତ୍ମାର ଅଦୃଶ୍ୟ ସଙ୍ଗୀତ;
ଏହାର କୋଳରେ ଶେଷେ
ମିଶିଯିବାକୁ ଚାହେ ମୋର ସମସ୍ତ ଅସ୍ତିତ୍ୱ।
ହେ ମୋର ମାଟି…!
ତୁମେ ମୋର ଶକ୍ତି, ମୋର ସାହସ,
ତୁମେ ମୋର ସତ୍ୟର ଆଧାର;
ତୁମ ଆଖିର ଏକ ବିନ୍ଦୁ ଲୁହ ପାଇଁ
ମୁଁ ହେବି ଅଗ୍ନି, ମୁଁ ହେବି ପ୍ରଚୀର—
ତୁମର ଅନ୍ତିମ ସହାରା।
କବି ବିଶ୍ବବିଜୟୀ ଦାଶ
ପ୍ରତିଷ୍ଠାତା ସମ୍ପାଦକ, ବ୍ରଜବିଳାସ ସାହିତ୍ୟ ପତ୍ରିକା,
ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ, ବାଲୁଗାଁ ମହାବିଦ୍ୟାଳୟ
ମୋବାଇଲ: ୬୩୭୦୨୦୮୪୨୮





