ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ପ୍ରଥମେ ମନ୍ତ୍ରୀ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚାଲିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ। ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭବାନୀଶଙ୍କର ଲେଙ୍କାଙ୍କ ସହିତ ରୋଗୀ କଲ୍ୟାଣ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଚନ୍ଦନପୁର ଗାଁ ଯିବା ସହିତ ନିର୍ମାଣାଧୀନ ପିଏମ ଜନମନ ଘର ଦେଖି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଲାଞ୍ଜିଗଡ଼ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ ବିଜେପି ଦ୍ୱାରା ଆୟୋଜିତ ଦଳୀୟ କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ବିଜେପି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଗାଁ ଗାଁରେ ବାର୍ତ୍ତା ପହଞ୍ଚାଇବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବିଜେପି ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ଉପସଭାପତି ରମେଶ ଚନ୍ଦ୍ର ମାଝୀ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ଜିଲ୍ଲା ଉପସଭାପତି ଜୟଶଙ୍କର ନାଏକ, ମୁକେଶ ଅଗ୍ରୱାଲ, ରୂପେଶ ଜୈନ, ମହିଳା ନେତ୍ରୀ ସନ୍ତୋଷୀ ଦାସ, କାଞ୍ଚନ ବାଗ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ବିଜେପି ନେତା ତୋଫାନ ସୁନାନୀ, ସନ୍ତୋଷ ବିଶି, ତୁଳସୀ ମାଝୀ, ନରେନ୍ଦ୍ର ବେହେରା, ସୁବାସ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଲାଞ୍ଜିଗଡ଼ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ଦଳୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ପୋଢ଼ ସଭାପତିତ୍ୱ କରିଥିବାବେଳେ ସନ୍ତୋଷ ବିଶି ଓ ତୋଫାନ ସୁନାନୀ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଚାରିଶହରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ସାମିଲ ହୋଇଥିଲେ। ସେହିପରି ୩୦ରୁ ଅଧିକ ଅନ୍ୟ ଦଳର ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହୋଇଥିଲେ।





