ପ୍ରେମ ନିବେଦନ ପ୍ରତ୍ୟାଖାନ କରିବାରୁ ଭାଇବୋହୁଙ୍କୁ ହତ୍ୟା: ସୈତାନ ଦେଢଶୁର ଗିରଫ

ଚିତ୍ରାମୁଣ୍ଡା ରଞ୍ଜୁ ସାହୁ ହତ୍ୟା ଘଟଣା ପର୍ଦାଫାଶ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଚିତ୍ରାମୁଣ୍ଡା ଗ୍ରାମର ରଞ୍ଜୁ ସାହୁଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାଶ କରିଛି ମୁରିବାହାଲ ପୋଲିସ। ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଏକତରଫା ପ୍ରେମ ନିବେଦନ ଫେଲ ମାରିବାରୁ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଦେଢ଼ଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ମେ’ ୨ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗ୍ରାମର ରଞ୍ଜୁ ସାହୁ ନିଜର କପା ଚାଷ ଜମିକୁ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଖୋଜାଖୋଜି କରିବା ପରେ ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ତାଙ୍କର ମୃତଦେହ ଥିବା ଦେଖି ମୁରିବାହାଲ ଥାନାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଭ୍ରମରରାଜ ସାହୁ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ବଙ୍ଗୋମୁଣ୍ଡା-ଟିଟିଲାଗଡ ୫୯ ନଂ ଜାତୀୟ ରାଜପଥ ରାସ୍ତା ଅବରୋଧ କରିଥିଲେ। ଅଭିଯୋଗକୁ ଆଧାର କରି ମୁରିବାହାଲ ପୋଲିସ କେସ୍ ନଂ-୮୩/୨୦୨୬ ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଘଟଣାର ଗୁରୁତ୍ବ ଦୃଷ୍ଟିରୁ ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଚିତ୍ରାମୁଣ୍ଡା ଗାଁର ମୃତକ ମହିଳାଙ୍କ ଦେଢ଼ଶୁର ଭଜ ସାହୁ (୫୩) କୁ ଭବାନୀପାଟଣାରୁ ଗିରଫ କରି ମୁରିବାହାଲ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ।

ଅଭିଯୁକ୍ତ ଭଜ ସାହୁ ଗତ ଦୁଇ ବର୍ଷ ଧରି ମୃତ ରଞ୍ଜୁଙ୍କୁ ଏକତରଫା ଭଲ ପାଉଥିଲେ। ରଞ୍ଜୁଙ୍କ ସ୍ୱାମୀ ୫ ବର୍ଷରୁ ଅଧିକ ସମୟ ଧରି ବାହାରେ ରହୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ରଞ୍ଜୁ ଏଥିରେ ସହମତି ନ ହେବାରୁ କ୍ରୋଧିତ ହୋଇ ଭଜ ସାହୁ କପା କ୍ଷେତରେ ଏକ ଧାରୁଆ ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ସେ ମୃତଦେହକୁ ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି କାଦୁଅ ଓ କପା ଗଛରେ ଘୋଡ଼ାଇ ଦେଇଥିଲେ।

ଏହି ଘଟଣାକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏକ୍ସନ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ପଥର, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଜୈବିକ ନମୁନା ଜବତ କରିଥିବା ନେଇ ଆଜି ମୁରିବାହାଲ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ସୁଚନା ଦେଇଛନ୍ତି। ଏହି ତଦନ୍ତରେ ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା, ଏସଆଇ ଅଭୟ ପ୍ରଧାନ, ଏସଆଇ ପି.କେ. ପ୍ରଧାନ, ଏସଆଇ ଏସ.ଡି. ସାହୁ ଏବଂ ହାବିଲଦାର ଗୁପ୍ତବାସ ମାଝୀ ପ୍ରମୁଖ ସାମିଲ ଥିଲେ। ତେବେ ଗିରଫ ଅଭିଯୁକ୍ତକୁ ସାମ୍ବାଦିକ ସମ୍ମିଳନୀ ପରେ ଆଜି ଡାକ୍ତରୀ ପରୀକ୍ଷା କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.