ନର୍ଲା ଥାନାର ନୂଆ ଆଇଆଇସିଙ୍କୁ ସରପଞ୍ଚ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନାରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରି ଥିବା ଆଇଆଇସି କୈବଲ୍ୟ ସେଠଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ନର୍ଲା ବ୍ଲକ ସରପଞ୍ଚ ସଂଘ ସଦସ୍ୟ ବୃନ୍ଦ। ସଂଘର ସଭାପତି ଅନନ୍ତରାମ ମାଝୀ ଙ୍କ ନେତୃତ୍ୱରେ ବାଗପୁର ସରପଞ୍ଚ ଗୋପାଳ ହାତୀ, ଘୋଡବନ୍ଧ ସରପଞ୍ଚ ରଶ୍ମିତା ସାହୁ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସରିଆଁ ସରପଞ୍ଚ ଓମ ପ୍ରକାଶ ଛତ୍ରିଆ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗୌଡ, କୁର୍ମେଲ ସରପଞ୍ଚଙ୍କ ପ୍ରତିନିଧି ଭୁବନ ମାଝୀ, ମାଣ୍ଡେଲର ଭାରପ୍ରାପ୍ତ ସରପଞ୍ଚ ସୁଧାଙ୍ଗନା ନାୟକଙ୍କ ସମେତ ସମାଜସେବୀ ଶିବ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନୂଆ ଆଇଆଇସି ଶ୍ରୀ ସେଠଙ୍କୁ ସଂଘ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଗତ ୬ ମାସ ମଧ୍ୟରେ ନର୍ଲା ଅଞ୍ଚଳରେ ସଂଘଟିତ ୧୮ ରୁ ଉର୍ଦ୍ଧ୍ବ ଚୋରୀ ଓ ଡକାୟତି, ଦୋକାନ ଲୁଟ ଘଟଣା କୁ ନେଇ ସଂଘ କ୍ଷୋଭ ପ୍ରକାଶ କରିବା ସହ ଏଭଳି ଘଟଣା ସବୁକୁ କେମିତି ରୋକାଯାଇ ପାରିବ ସେ ନେଇ ଆଇଆଇସିଙ୍କ ସହ ଆଲୋଚନା କରିଥିଲେ। ଏହାବାଦ ନର୍ଲା ଅଞ୍ଚଳର ଯୁବ ପିଢୀ ନିଶାର ବଶବର୍ତ୍ତୀ ହୋଇ ବିଭିନ୍ନ ପ୍ରକାରର ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ହୋଇ ସମାଜ ପାଇଁ ଘାତକ ସାଜୁଛନ୍ତି। ଏଣୁ ଏଦିଗରେ ପଦକ୍ଷେପ ନେବା ସହ ନିଶା ନିବାରଣ, ମଦ ମୁକ୍ତ ପଞ୍ଚାୟତ ଗଠନ, ଚୋରୀ ରାହାଜାନି, ସଡ଼କ ସୁରକ୍ଷା ପ୍ରଭୃତିକୁ ସ୍ଵତନ୍ତ୍ର ଦୃଷ୍ଟି ଦେବା ବିଷୟରେ ଆଲୋଚନା କରିଥିଲେ। ଯେ କୌଣସି ମୁହୂର୍ତ୍ତରେ ହେଉନା କାହିଁକି ନର୍ଲା ସରପଞ୍ଚ ସଂଘ ସବୁ ସମୟରେ ନର୍ଲା ପୋଲିସକୁ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘର ସଭାପତି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.