ପ୍ରୀତିଲେଖା ଦାସଙ୍କ ପ୍ରଥମ କବିତା ସଂକଳନ ‘ଥୁଃ’ ଲୋକାର୍ପିତ

ଅତିଥି କହିଲେ, ମାନବୀୟ ଆବେଦନ ଓ ଆତ୍ମଅନ୍ଵେଷାରେ ପ୍ରୀତିଲେଖାଙ୍କ କବିତା ଉତ୍ତୀର୍ଣ୍ଣ

ବାଲେଶ୍ବର,୨୫/୧୧(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର କତିପୟ ନାରୀ କବିଙ୍କ ଭିତରୁ ଖୁବ କମ୍ ସମୟ ଭିତରେ ରାଜ୍ୟସ୍ତରୀୟ ପରିଚିତି ପାଇଥିବା କବି ଭାବରେ ପ୍ରୀତିଲେଖା ଦାସଙ୍କୁ ନିଜ ଜିଲ୍ଲାରେ ମିଳିଥାଏ ଅଲଗା ମର୍ଯ୍ୟାଦା। ମାତ୍ର ଦୁଇ ତିନି ବର୍ଷ ଭିତରେ ନିଜ କବିତା ମାଧ୍ୟମରେ ସେ ମୁଖ୍ୟଧାରାରେ ସାମିଲ୍ ହେବା ସହିତ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ଅକ୍ତିଆର କରି ପାରିଛନ୍ତି। ସେ ଏମିତି ଜଣେ ସୌଭାଗ୍ୟଶାଳୀ କବି ଯାହାଙ୍କ କବିତା ପ୍ରଥମେ ପଢି ରାଜ୍ୟର ସର୍ବପ୍ରାଚୀନ ମର୍ଯ୍ୟାଦାଶୀଳ ପତ୍ରିକା ‘ଝଙ୍କାର’ର ସମ୍ପାଦକ ତଥା ବର୍ଷୀୟାନ୍ କବି ସରୋଜ ରଂଜନ ମହାନ୍ତି ଈର୍ଷା କରନ୍ତି ବୋଲି ଏଠାରେ ଗତକାଲି ପ୍ରକାଶ କରିଛନ୍ତି।

ସ୍ଥାନୀୟ କଳିଙ୍ଗ ହୋଟେଲର ସଭାଗୃହରେ କବି ପ୍ରୀତିଲେଖା ଦାସଙ୍କ ପ୍ରଥମ କବିତା ପୁସ୍ତକ ‘ଥୁଃ’ର ଲୋକାର୍ପଣ ଓ ସମୀକ୍ଷଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସହରର ଜନପ୍ରିୟ ପ୍ରକାଶନୀ ସଂସ୍ଥା ‘ସୁବର୍ଣ୍ଣଶ୍ରୀ ପ୍ରକାଶିନୀ’ କର୍ତ୍ତୃକ ପ୍ରକାଶିତ ଏହି କବିତା ବହିକୁ ଯଶସ୍ଵୀ କବି ସରୋଜ ରଂଜନ ମହାନ୍ତି ଅନାବରଣ କରି ‘ଥୁଃ’ର ସ୍ରଷ୍ଟାଙ୍କୁ ଆଶୀର୍ବାଣୀ ପ୍ରଦାନ କରିଥିଲେ।

ସେ କହିଲେ, ମାନବୀୟ ଆବେଦନ କମିଗଲେ କବିତାର ମୃତ୍ୟୁ ହୁଏ। କାଳଖଣ୍ଡରେ ଅନେକ କବିତା ଆସିବ, ଅକବିତା ବି ଆସିବ। କିନ୍ତୁ ଭବିଷ୍ୟତ ପାଇଁ ଆଜିର ତଥାକଥିତ ଅକବିତା କାଳଖଣ୍ଡରେ ରହିବ ନାହିଁ।

ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ଉନ୍ମୋଚନ ଆସରରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ପୌରୋହିତ୍ୟ କରିଥିଲେ। ଏଥିରେ ‘ଝଙ୍କାର’ର ସମ୍ପାଦକ କବି ସରୋଜ ରଂଜନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ‘ଚନ୍ଦ୍ରଭାଗା’ର ସମ୍ପାଦକ କବି ଶ୍ରୀଦେବ, ‘ସାଗରିକା’ର ସମ୍ପାଦିକା ସୈରିନ୍ଧ୍ରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରୀତିଲେଖାଙ୍କ କବିତାର ସଫଳ ଦିଗ ଉପରେ ଆଲୋଚନା କରିବା ସହ ବାଲେଶ୍ଵରରେ ଲେଖାଲେଖି ରେ ସକ୍ରିୟ ଥିବା ନାରୀସ୍ରଷ୍ଟାଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଏଥିରେ ଡକ୍ଟର ରାଧାରଂଜନ ପଟ୍ଟନାୟକ ସମୀକ୍ଷକ ଭାବେ ଯୋଗ ଦେଇ ପ୍ରୀତିଲେଖାଙ୍କ ସମଗ୍ର କବିତାକୁ ତିନି ଭାଗରେ ବିଭକ୍ତ କରି ବ୍ୟକ୍ତିଦର୍ଶନ, ବିଷାଦ ଓ ପ୍ରେମ କିପରି ପରିସ୍ଫୁଟିତ ହୋଇଛି ସେ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକର ପ୍ରକାଶକ କବି କାଳୀପଦ ପଣ୍ଡା ଓ ପୁସ୍ତକର ସ୍ରଷ୍ଟା ପ୍ରୀତିଲେଖା ଦାସ ମଧ୍ୟ ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଆସରର ପ୍ରାରମ୍ଭରେ ସତ୍ୟଭାମା ମୁଦୁଲି ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ଔପନ୍ୟାସିକ ସୃଷ୍ଟିଧର ପରିଡା, ତପନ ରାୟ, ପ୍ରୀତିଲତାଙ୍କ ସ୍ଵାମୀ ହିମାଂଶୁ ଶେଖର ଦାସ, ଝିଅ ସୂର୍ଯ୍ୟସ୍ନାତା ଦାସ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ। ତପନ ରାୟ ମଞ୍ଚ ଆମନ୍ତ୍ରଣ ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ କଲ୍ୟାଣୀ ନନ୍ଦ ସଂଗୀତ ପରିବେଷଣ କରିଥିଲେ। ଶେଷରେ ଜ୍ୟୋତ୍ସ୍ନା ରାୟ ମହାପାତ୍ର, ସତ୍ୟଭାମା ମୁଦୁଲି, ଶୈଳବାଳା ବେହେରା ପ୍ରମୁଖ ପ୍ରୀତିଲେଖାଙ୍କ କବିତା ପାଠ କରିଥିଲେ। ଏଥିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଲେଖକ ଓ ସାମ୍ବାଦିକ ଉପସ୍ଥିତ ଥିଲେ।

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.