✍🏾ସନ୍ତୋଷ କୁମାର କର
ବିଶ୍ଵ ବ୍ରହ୍ମାଣ୍ଡରେ କୋଟି କୋଟି ଛାୟା ପଥ ରହିଛି। ସେଥି ମଧ୍ୟରୁ ମିଲ୍କି ୱେ ବା ଆକାଶଗଙ୍ଗା ଅନ୍ୟତମ । ଏହି ଛାୟାପଥରେ କୋଟି କୋଟି ଗ୍ରହ, ନକ୍ଷତ୍ର ଆଦି ଅଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଯାହା ସୂଚନା ଅଛି ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁ ଥିରେ ଜୀବନର ସତ୍ତା ରହିଛି । ଜଳବାୟୁ ଓ ପ୍ରାକୃତିକ ସମ୍ପଦର ଅପୂର୍ବ ସମନ୍ୱୟ ଓ ସନ୍ତୁଳନ ଯୋଗୁଁ ପୃଥିବୀରେ ଜୀବମାନଙ୍କର ସ୍ଥିତି ସମ୍ଭବ ହୋଇପାରିଛି । ଏଥିରେ ସରଳ ଏକକୋଷୀ ଏମିବା ଠାରୁ ଆରମ୍ଭ କରି ତିମି ପରି ବିରାଟକାୟ ଜୀବ ବାସ କରନ୍ତି । ସମସ୍ତ ପ୍ରାଣୀ ଓ ଉଦ୍ଭିଦ ବଂଚି ରହିବା ପାଇଁ ବିଭିନ୍ନ ଭୌତିକ ଓ ଜୈବିକ ଉପାଦାନ ଆବଶ୍ୟକ କରିଥାନ୍ତି ଯାହା କି ପୃଥିବୀରେ ଉପଲବ୍ଧ ହେଇଥାଏ । ଜୀବର ଜୀବନ ଧାରଣ ପାଇଁ ସମସ୍ତ ଦରକାରୀ ପଦାର୍ଥ ଯଥା ଖାଦ୍ୟ, ବସ୍ତ୍ର, ଇନ୍ଧନ, ଅମ୍ଳଜାନ, ଶକ୍ତି, ଗୃହୋପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପରିବେଶରୁ ହିଁ ପାଇଥାଏ । କିନ୍ତୁ ନିଜକୁ ସବୁଠୁ ବୁଦ୍ଧିମାନ ତଥା ସର୍ବଶ୍ରେଷ୍ଠ ଭାବୁଥିବା ମଣିଷ ନିଜର ସ୍ୱାର୍ଥ ସାଧନ ପାଇଁ ପରିବେଶର ଉପାଦାନ ଗୁଡିକୁ ଅଧିକରୁ ଅଧିକ ବ୍ୟବହାର କରୁଛି । ଫଳରେ ପ୍ରକୃତି ତାର ଭାରସାମ୍ୟ ହରାଇବାରେ ଲାଗିଛି । ମାନବ ସମାଜର ବିକାଶ ସଙ୍ଗେସଙ୍ଗେ ପ୍ରାକୃତିକ ସମ୍ପଦର ଅତିରିକ୍ତ ବ୍ୟବହାର ତଥା ଅପବ୍ୟବହାର ଦ୍ୱାରା ପ୍ରଦୂଷଣ, ବିଶ୍ୱତାପନ ଓ ଜଳବାୟୁ ପରିବର୍ତନ ଆଦି ସମସ୍ୟା ସୃଷ୍ଟି ହୋଇ ପରିବେଶ ର ସନ୍ତୁଳନ ବିଗିଡିବାରେ ଲାଗିଛି । ମନୁଷ୍ୟର ଭୋଗବାଦୀ ମନୋଭାବ ଦ୍ୱାରା ଆଜି ପ୍ରକୃତି ଧ୍ଵଂସ ହେବାରେ ଲାଗିଛି। ତେଣୁ ପ୍ରକୃତି ସହିତ ଆମ୍ଭମାନଙ୍କର ସୌହାର୍ଯ୍ୟତା ଓ ସଂପର୍କର ପୁନଃସ୍ଥାପନ ଅନିବାର୍ଯ୍ୟ ହୋଇପଡ଼ିଛି । ପରିବେଶର ବିଭିନ୍ନତା ବଜାୟ ରଖିବାକୁ ହେଲେ ପ୍ରକୃତି ସହ ବନ୍ଧୁତ୍ୱପୂର୍ଣ୍ଣ ସହବସ୍ଥାନ ସ୍ଥାପନ କରିବାକୁ ହେବ । ମଣିଷ ନିଜେ ଚିନ୍ତା କରିବା ଉଚିତ ଯେ ସେ ସ୍ରଷ୍ଟା ନୁହଁ, ବରଂ ସେ ପ୍ରକୃତିରୁ ସୃଷ୍ଟ । ପ୍ରକୃତିର ଅବକ୍ଷୟ ଆଜି ସମଗ୍ର ବିଶ୍ୱ ପାଈଁ ଏକ ଆହ୍ୱାନ ପାଲଟିଛି । ଏହି କ୍ରମରେ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ପ୍ରତିବର୍ଷ ଜୁନ୍ ମାସ ୫ ତାରିଖକୁ ସାରା ବିଶ୍ୱରେ “ପରିବେଶ ଦିବସ” ରୂପେ ପାଳନ କରାଯାଏ । ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ଏହି ଦିବସକୁ ପରିବେଶ ସମ୍ପର୍କିତ ବିଶ୍ୱର ସର୍ବବୃହତ ଘଟଣା ଭାବେ ବିବେଚନା କରାଯାଏ । ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ସମଗ୍ର ବିଶ୍ୱ ପରିବେଶ ସହ ଜଡିତ ଆହ୍ୱାନ ଓ ସମସ୍ୟା ଗୁଡିକର ମୁକାବିଲା ତଥା ସମାଧାନ କରିବାର କିଛି ଉପାୟ ଖୋଜା ଯାଇଥାଏ । ସାରା ବିଶ୍ଵର ଲକ୍ଷ ଲକ୍ଷ ଲୋକ ଓ ଅନେକ ଅନୁଷ୍ଠାନ ଏହାକୁ ପାଳନ କରିଥାନ୍ତି । ପ୍ରତିବର୍ଷ ଏଥିପାଇଁ ଭିନ୍ନଭିନ୍ନ ବିଷୟବସ୍ତୁ ରଖା ଯାଇଥାଏ । ଏ ବର୍ଷର ବିଷୟ ବସ୍ତୁହେଲା : “ଏକ ମାତ୍ର ପୃଥିବୀ” । ଏହି ବିଷୟ ବସ୍ତୁ ମାଧ୍ୟମରେ ପ୍ରକୃତି ସହ ସୁସମ୍ପର୍କ ରଖି କିପରି ନିରନ୍ତର ଜୀବନ ଯାପନ କରି ହେବ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଉଛି । ବର୍ତମାନ ସମୟରେ ପୃଥିବୀର ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି, ଜୀବ ଜନ୍ତୁ ମାନଙ୍କର ବାସସ୍ଥାନ ନଷ୍ଟ ଯୋଗୁଁ ଏକ ନିୟୁତ ପ୍ରଜାତି ବିଲୁପ୍ତ ହେବାକୁ ବସିଲେଣି ଓ ପ୍ରଦୂଷଣ ଆମର ଜଳ, ସ୍ଥଳ ଓ ବାୟୁ କୁ ବିଷାକ୍ତ କରି ଚାଲିଛି। ତେଣୁ ଏ ବର୍ଷର ପରିବେଶର ଦିବସ ପାଳନ ଉପଲକ୍ଷେ ଏଗୁଡ଼ିକୁ ଆଖି ଆଗରେ ରଖି ସେ ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ଵ ପ୍ରଦାନ କରାଯାଉଛି ।
ପରିବେଶ ଦିବସ ଉପଲେକ୍ଷ ଜନସାଧାରଣ କେତେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ସେଗୁଡିକ ହେଲା ପ୍ରକୃତିର ସୁରକ୍ଷାରେ ସହଯୋଗ କରିବା, ନିଜ ପରିବେଶରେ ଥିବା ପ୍ରାକୃତିକ ବସ୍ତୁ ଗୁଡିକୁ ଚିହ୍ନଟ କରି ତାର ଗୁରୁତ୍ୱ ବୁଝିବା, ପରିବେଶକୁ ସଫା ସୁତରା ରଖିବା, ବୃକ୍ଷରୋପଣ, ବୃକ୍ଷ ଓ ଉଦ୍ଭିଦ ସଂରକ୍ଷଣ, ଜଳର ସୁବ୍ୟବହାର, ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ, ବାହ୍ୟ ମଳମୂତ୍ର ମୁକ୍ତ ପରିବେଶ, ଉତ୍ତମ ଇନ୍ଧନର ବ୍ୟବହାର, ବର୍ଜ୍ୟ ବସ୍ତୁ ପରିଚାଳନା ଓ ସର୍ବୋପରି ନିଜେ ପରିବେଶରେ ସୁସ୍ଥ ଜୀବନଯାପନ କରିବା ସହ ପରିବେଶର ପ୍ରତିଟି ଉପାଦାନକୁ ସୁରକ୍ଷିତ ରଖିବା ପୁନଃଉଦ୍ଧାର କରି ଆଗାମୀ ପିଢୀକୁ ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ପ୍ରଦାନ କରିବା ।
ତେଣୁ ବିଶ୍ୱ ପରିବେଶ ଦିବସ ଅବସରରେ ଆମେ ସମସ୍ତେ ଶପଥ ନେବା ଓ ପରିବେଶର ସମସ୍ତ ଉପାଦାନ ଯେପରି ସୁରକ୍ଷିତ ରହନ୍ତି ସେଥି ପ୍ରତି ଯତ୍ନବାନ ହେଇ ସମସ୍ତେ ଏହି ଦିବସକୁ ପାଳନ କରିବା ।