କିପରି ପହଞ୍ଚିଲେ ଜାଣିବାକୁ ବନ ବିଭାଗର ତଦନ୍ତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ନିକଟସ୍ଥ ବଡ଼ପାଇ ଗ୍ରାମ ନିକଟରେ ଥିବା ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର କରାଯାଇଛି। ଏହି ପ୍ରାଣୀଗୁଡ଼ିକ ଏଠାକୁ କିପରି ଆସିଲେ, ତାହାକୁ ନେଇ ରହସ୍ୟ ଘନୀଭୂତ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଛି। ବାଲେଶ୍ଵର ଡିଏଫ୍ଓଙ୍କ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ଉଦୟପୁର ସେକ୍ସନର ବନ କର୍ମଚାରୀମାନେ ଫରେଷ୍ଟର ସଞ୍ଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ରଣକଠା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୫ଟି ଓରାଙ୍ଗଉଟାନକୁ ଠାବ କରିଥିଲେ।
ପ୍ରାଣୀଗୁଡ଼ିକର ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବନ ବିଭାଗ ସେମାନଙ୍କୁ ତୁରନ୍ତ ଉଦୟପୁର ସେକ୍ସନ କାର୍ଯ୍ୟାଳୟ ପରିସରକୁ ଆଣିଛି। ସେଠାରେ ସେମାନଙ୍କୁ ନିରନ୍ତର ନଜରରେ ରଖାଯାଇଛି। ବାରିପଦାରୁ ଆସିଥିବା ସର୍କଲ ଭେଟେରିନାରୀ ଟିମ୍ ପ୍ରାଣୀଗୁଡ଼ିକର ଆବଶ୍ୟକ ଚିକିତ୍ସା ଆରମ୍ଭ କରିଛି। ବର୍ତ୍ତମାନ ସମସ୍ତ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଡିଏଫ୍ଓଙ୍କ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା, ଦୁଇଟି ମାଈ ଓ ଦୁଇଟି ଛୁଆ ରହିଛନ୍ତି। ଏକାଠି ଏତେ ସଂଖ୍ୟକ ଓରାଙ୍ଗଉଟାନ ବିଚିତ୍ରପୁର ଅଞ୍ଚଳରେ ମିଳିବା ଘଟଣା ଅତ୍ୟନ୍ତ ଅସ୍ୱାଭାବିକ ହୋଇଥିବାରୁ ବନ ବିଭାଗ ଏହାର ପୃଷ୍ଠଭୂମି ଖୋଜୁଛି।
ଏନେଇ ବଡ଼ପାଇ-ରଣକଠା ଅଞ୍ଚଳରେ ଏକ ସ୍ୱତନ୍ତ୍ର ଟିମ୍କୁ ନିୟୋଜିତ କରାଯାଇଛି।
ଓରାଙ୍ଗଉଟାନଗୁଡ଼ିକ କେଉଁ ପରିସ୍ଥିତିରେ ଏଠାରେ ପହଞ୍ଚିଲେ, ସେ ସମ୍ପର୍କରେ ଟିମ୍ ସବିଶେଷ ତଥ୍ୟ ସଂଗ୍ରହ କରୁଛି। ଏଥିସହ ଘଟଣାରେ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି। ବିରଳ ପ୍ରାଣୀଗୁଡ଼ିକ ଏଠାରେ ମିଳିବା ପଛରେ ଚୋରାଚାଲାଣ କିମ୍ବା ଅବୈଧ ପରିବହନର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରୁନାହିଁ। ତେବେ ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ନିଶ୍ଚିତ ତଥ୍ୟ ମିଳିନାହିଁ। ତଦନ୍ତ ପରେ ହିଁ ଓରାଙ୍ଗଉଟାନଗୁଡ଼ିକ କିପରି ଏଠାକୁ ଆସିଲେ, ତାହା ସ୍ପଷ୍ଟ ହେବ। ମାମଲାର ତଦନ୍ତ ସକ୍ରିୟ ଭାବେ ଚାଲିଛି ଏବଂ ଅଧିକ ତଥ୍ୟ ମିଳିଲେ ବନ ବିଭାଗ ପକ୍ଷରୁ ପରବର୍ତ୍ତୀ ସୂଚନା ଦିଆଯିବ ବୋଲି ଡିଏଫ୍ଓଙ୍କ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।





