ଠପ ହୋଇ ପଡିଛି ବିକାଶ କାର୍ଯ୍ୟ, ଗବଙ୍କୁ ମିଳି ପାରୁନି ହରିଶ୍ଚନ୍ଦ୍ର ଯୋଜନା ଟଙ୍କା
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏବେ ଏନଏସି ଭାବରେ ଘୋଷିତ ହୋଇ ସାରିଛି। ନର୍ଲା ଓ ସର୍ଗିଗୁଡା ଏହି ଦୁଇଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଘୋଷିତ ହୋଇଛି ଏନଏସି। ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତରୁ ଏହି ଦୁଇ ଗୋଟି ଗ୍ରାମ ପଞ୍ଚାୟତ କଟିଯିବା ପରେ ନର୍ଲା ବ୍ଲକରେ ରହିଛି ୨୪ ଗୋଟି ଗ୍ରାମ ପଞ୍ଚାୟତ। ନର୍ଲା ଏନଏସି ରାସ୍ତା ଘାଟ ନିର୍ମାଣ ପାଇଁ ଟଙ୍କା ମଧ୍ୟ ଆସି ସାରିଛି। ଓଡିଶା ଅଧିନିୟମ ୧୯୫୦ ଧାରା ୧୨ ର ଉପଧାରା (୩) ଓ (୩ କ) ତଥା ଓଡିଶା ପୌର ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ, ଆସନ ସଂରକ୍ଷଣ ଓ ନିର୍ବାଚନ ସଂଚାଳନ ନିୟମାବଳୀ ଆଧାରରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପତ୍ରାଙ୍କ ୩୭୨ ତା.୧୨/୨/୨୦୨୬ ଅନୁଯାୟୀ ନର୍ଲା ଗ୍ରାମ ପଞ୍ଚାୟତ ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତକୁ ନେଇ ୧୫ ଗୋଟି ୱାର୍ଡ ଗଠନ କରାଯାଇଛି। ହେଲେ ଏନଏସି ପାଇଁ ଅଫିସ ନିର୍ମାଣ ହୋଇନି କି କୌଣସି ସ୍ଥାନ ମଧ୍ୟ ଏଥିପାଇଁ ସ୍ଥିରିକୃତ କରାଯାଇ ନଥିବା ଜଣାପଡିଛି। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାର ପ୍ରମୁଖ ଅଧିକାରୀ ରହିଛନ୍ତି। ଏନଏସି ଅଞ୍ଚଳରେ ବିକାଶ କାମ ରାସ୍ତା ଘାଟ ନିର୍ମାଣ ପାଇଁ ପ୍ରସ୍ତାବ ମଧ୍ୟ ପଠାଇଥିବା ସେ କହିଛନ୍ତି। ହେଲେ ସର୍ଗିଗୁଡା ଓ ନର୍ଲା ଗ୍ରାମ ପଞ୍ଚାୟତ ଏସଏସି ହୋଇଯିବା ପରେ ସର୍ଗିଗୁଡା ସରପଞ୍ଚ, ନର୍ଲା ସରପଞ୍ଚ ଓ ସମିତି ସଭ୍ୟମାନେ କ୍ଷମତାଚ୍ୟୁତ ହୋଇ ପଡିଛନ୍ତି। ତାଙ୍କ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳ ପାଇଁ କିଛି କାମ କରିବାର ସେମାନଙ୍କ ଆଉ କ୍ଷମତା ନାହିଁ। ସେମାନେ ଆଉ ଗ୍ରାମ ପଞ୍ଚାୟତ ଅଫିସକୁ ମଧ୍ୟ ଆଗଭଳି ଆଉ ଆସୁ ନାହାନ୍ତି। ଏନଏସି ହେଲା, ହେଲେ ଅଧିକାରୀ ନିଯୁକ୍ତି ହୋଇ ନାହାନ୍ତି। ଅନ୍ୟପକ୍ଷେ ସରପଞ୍ଚ ଓ ସମିତି ସଭ୍ୟ କ୍ଷମତାଚ୍ୟୁତ ହୋଇ ପଡିଲେ। ଏହି ଦୁଇ ଗ୍ରାମ ପଞ୍ଚାୟତରେ ବିକାଶ କାର୍ଯ୍ୟ ଠପ ହୋଇ ପଡିଛି। ସରକାରଙ୍କ ଗରୀବ ମାନଙ୍କ ପାଇଁ ଜନ୍ମରୁ ମୃତ୍ୟୁ ଯାଏଁ ଉଦ୍ଦିଷ୍ଟ ଏହି ଦୁଇ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜନନୀ ସୁରକ୍ଷା ଯୋଜନା ଓ ହରିଶ୍ଚନ୍ଦ୍ର ଯୋଜନା ହିତାଧିକାରୀ ମାନେ ସେମାନଙ୍କ ହକର ପ୍ରାପ୍ୟ ପାଇଁ ଅନେକ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି।ଯେତେବେଳେ ଗ୍ରାମ ପଞ୍ଚାୟତ ଅଫିସ ଗଲେ ଷ୍ଟାଫ୍ ନାହାନ୍ତି। ନଳକୂଅ ମରାମତି ହେଉ, ହର ଘର ଜଲ ଯୋଜନାରେ ପାଇପ ମରାମତି କାମ ହେଉ କିମ୍ବା ଷ୍ଟ୍ରିଟ ଲାଇଟ ବନ୍ଦ ହୋଇ ପଡିଥିବାରୁ ମରାମତି ପାଇଁ ହେଉ ଏସବୁ ଅଭିଯୋଗ ନେଇ ଏହି ଦୁଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଲୋକେ ଅଭିଯୋଗ କଲେ ସେମାନଙ୍କ ସିଧା ସଳଖ ଉତ୍ତର ରହୁଛି ଭାଇ ଆମେ ଏବେ ଆଉ ଦାଇତ୍ୱରେ ନାହୁଁ। ଯାହା କରିବେ ଏନଏସି ଅଧିକାରୀ କରିବେ। ଏହାର ମଧ୍ୟ ଜ୍ୱଳନ୍ତ ଉଦାହରଣ ସର୍ଗିଗୁଡା, ବେହେରାପାଟି, ଡିଗିରାପଡା ଓ ନର୍ଲାକୁ ଜଳ ଯୋଗାଣ ହୋଇଥିବା ପାଇପ ଗୁଡିକ ସ୍ଥାନେ ସ୍ଥାନେ ଫାଟି ଗାଁ ଦାଣ୍ଡ ସାରା ପାଣି ବୋହୁଥିବା ଦେଖା ଯାଉଥିଲେ ମଧ୍ୟ ଏସବୁ ଗୁଡିକର ମରାମତି କିମ୍ବା ନୂଆ ସଂଯୋଗୀକରଣ ହୋଇ ପାରୁନି। ଗୋଟିଏ ମାସ ହୋଇଗଲା ପାନୀୟ ଜଳ ଯୋଗାଣ ବନ୍ଦ ହୋଇ ପଡିଛି। ଇନଟେକ ୱେଲରେ ପାଣି ନାହିଁ। ଏସବୁର ପରିଚାଳନା ଦାଇତ୍ୱ ଗ୍ରାମ ପଞ୍ଚାୟତ ଉପରେ ନ୍ୟସ୍ତ ରହିଥିଲା। ଗ୍ରାମ ପଞ୍ଚାୟତ ଏଥିପାଇଁ ଅର୍ଥ ବିନିଯୋଗ କରୁଥିଲା। ନର୍ଲା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଏନଏସି ଅଧିନକୁ ଚାଲିଗଲା। ଏଣୁ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଆଉ ଏଥିରେ ମୁଣ୍ଡ ଖେଳାଉ ନାହି। ଏବେ ତ୍ରୀ-ଶଙ୍କୁ ଅବସ୍ଥାରେ ନର୍ଲା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ। ଲୋକେ ଭାବି ପାରୁ ନାହାନ୍ତି ଗ୍ରାମ ପଞ୍ଚାୟତ ସ୍ତରୀୟ ନିଜ ନିଜ ସମସ୍ୟା ନେଇ କାହାକୁ ଗୁହାରୀ କରିବେ। ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପଲବ୍ଧ ଥିଲେ ମଧ୍ୟ ସେମାନେ କ୍ଷମତା ଚ୍ୟୁତ। ଅନ୍ୟପକ୍ଷେ ଏନଏସି ଅଧିକାରୀ ନିଯୁକ୍ତି ହୋଇ ନାହାନ୍ତି କିମ୍ବା ଅଫିସ ମଧ୍ୟ ନାହାନ୍ତି। କେବେ ପୂର୍ଣ୍ଣ ମାତ୍ରାରେ ଚାଲିବ ଏନଏସି ଏବଂ ଲୋକେ ଉପକୃତ ହେବେ ଏ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।





