ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: MMDR ସଂଶୋଧନ ଆଇନ୍-୨୦୨୬ ରଦ୍ଦ ଦାବିରେ INDIA ବ୍ଲକ୍ର ଆହ୍ୱାନରେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ସ୍ଥିତ କଂଗ୍ରେସ ଭବନ ପରିସରରେ ଏକ ରାଜ୍ୟସ୍ତରୀୟ ମିଳିତ ଗଣ କନଭେନସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ INDIA ବ୍ଲକ୍ର ବିଭିନ୍ନ ରାଜନୈତିକ ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ, ପଦାଧିକାରୀ, କର୍ମୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ MMDR ସଂଶୋଧନ ଆଇନ୍କୁ ତୀବ୍ର ବିରୋଧ କରିଥିଲେ। ସଭାରେ ସମାଜବାଦୀ ପାର୍ଟି, ଓଡ଼ିଶା ପ୍ରଦେଶ ସଭାପତି ଶ୍ରୀ ଶିବ ହାତୀ ଯାଦବ ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ଜଳ, ଜମି, ଜଙ୍ଗଲ ଓ ଖଣିଜ ସମ୍ପଦ କେବଳ କୌଣସି ସରକାର କିମ୍ବା କର୍ପୋରେଟ୍ ସ୍ୱାର୍ଥର ସମ୍ପତ୍ତି ନୁହେଁ; ଏହା ଓଡ଼ିଶାବାସୀଙ୍କ ଅଧିକାର ଓ ଆମ ଭବିଷ୍ୟତ ପିଢ଼ିର ସମ୍ପଦ। ସେ କହିଥିଲେ, MMDR ସଂଶୋଧନ ଆଇନ୍–୨୦୨୬ ମାଧ୍ୟମରେ ରାଜ୍ୟର ପ୍ରାକୃତିକ ଓ ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ଜନସ୍ୱାର୍ଥକୁ ଦୁର୍ବଳ କରିବାର ଯେକୌଣସି ପ୍ରୟାସକୁ ଓଡ଼ିଶା କେବେବି ବରଦାସ୍ତ କରିବ ନାହିଁ। କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ଶ୍ରୀ ଯାଦବ କହିଥିଲେ ଯେ, ଓଡ଼ିଶାର ମାଟି ତଳେ ଥିବା ଲୁହାପଥର, କୋଇଲା, ବକ୍ସାଇଟ୍ ଓ ଅନ୍ୟାନ୍ୟ ଖଣିଜ ସମ୍ପଦରୁ ରାଜ୍ୟ ଓ ଓଡ଼ିଶାବାସୀଙ୍କ ନ୍ୟାୟସଙ୍ଗତ ଅଧିକାରକୁ ଅଣଦେଖା କରି କେବଳ କିଛି ବଡ଼ କମ୍ପାନୀ ଓ ପୁଞ୍ଜିପତିଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ନୀତିକୁ ଓଡ଼ିଶାବାସୀ ମାନିବେ ନାହିଁ।
“ଓଡ଼ିଶାର ସମ୍ପଦ ଓଡ଼ିଶାର ଅଧିକାର। ଆମ ଖଣି, ଆମ ଜମି, ଆମ ଜଙ୍ଗଲ ଓ ଆମ ପ୍ରାକୃତିକ ସମ୍ପଦ ଉପରେ ଓଡ଼ିଶାବାସୀଙ୍କ ହକ୍କୁ କ୍ଷୁଣ୍ଣ କରିବା ବନ୍ଦ କର,” ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ବିକାଶ ନାମରେ ଆଦିବାସୀ, ଗରିବ, ଚାଷୀ ଓ ସ୍ଥାନୀୟ ଲୋକଙ୍କ ଅଧିକାରକୁ ଅଣଦେଖା କରି ଖଣିଜ ସମ୍ପଦର ଅନିୟନ୍ତ୍ରିତ ଦୋହନ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱର ନ୍ୟାୟସଙ୍ଗତ ଅଂଶ ଓଡ଼ିଶାର ବିକାଶ, ପରିବେଶ ସୁରକ୍ଷା ଏବଂ ଖଣି ପ୍ରଭାବିତ ଲୋକଙ୍କ କଲ୍ୟାଣରେ ବ୍ୟୟ ହେବା ଆବଶ୍ୟକ।

ସମାଜବାଦୀ ପାର୍ଟି, ଓଡ଼ିଶା କେନ୍ଦ୍ର ସରକାରଙ୍କୁ ଦାବି କରୁଛି ଯେ, MMDR ସଂଶୋଧନ ଆଇନ୍–୨୦୨୬କୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ରାଜ୍ୟର ଅଧିକାର ଓ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦିଆଯାଉ ଏବଂ ଓଡ଼ିଶାର ଖଣିଜ ସମ୍ପଦ ସମ୍ପର୍କିତ ନୀତି ନିର୍ଦ୍ଧାରଣରେ ଓଡ଼ିଶାର ହିତ ଓ ଜନସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉ। ଶ୍ରୀ ଶିବ ହାତୀ ଯାଦବ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ଯୁବକ, ଛାତ୍ର, ଚାଷୀ, ଶ୍ରମିକ ଓ ସଚେତନ ନାଗରିକମାନଙ୍କୁ ଦଳମତ ନିର୍ବିଶେଷରେ ଏକତ୍ରିତ ହୋଇ ଓଡ଼ିଶାର ଅଧିକାର ଓ ଜନସ୍ୱାର୍ଥ ପାଇଁ ଗଣତାନ୍ତ୍ରିକ ଭାବେ ସ୍ୱର ଉଠାଇବାକୁ ଆହ୍ୱାନ ଜଣାଇଥିଲେ। “ଓଡ଼ିଶାର ସମ୍ପଦ ଲୁଟ୍ ହେବାକୁ ଦେବୁ ନାହିଁ, ଓଡ଼ିଶାର ଅଧିକାର କ୍ଷୁଣ୍ଣ ହେବାକୁ ଦେବୁ ନାହିଁ। ଜନସ୍ୱାର୍ଥ ଓ ରାଜ୍ୟର ଅଧିକାର ପାଇଁ ଆମର ଏହି ଲଢ଼େଇ ଆହୁରି ତୀବ୍ର ହେବ,” ବୋଲି ଶ୍ରୀ ଯାଦବ ଚେତାବନୀ ଦେଇଥିଲେ। ଏଥିରେ ଅନ୍ୟ ମଧ୍ୟରେ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରତାପ କିଶୋର ବାରିକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ବିଜୟ ବେହେରା, ରାଜ୍ୟ ସାଧାରଣ ସଂପାଦକ ଯୁବ ଜନସଭା ଶ୍ରୀ ରମାକାନ୍ତ ହାତୀ, ଛାତ୍ର ସଭାପତି ଶ୍ରୀ ବିପିନ୍ ଠେଲା, ନୟାଗଡ଼ ସଭାପତି ହୁଲାଶ ବାରିକ, ଖୋର୍ଦ୍ଧା ସଭାପତି ଶ୍ରୀ ଶୁଭଙ୍କର ଖଡ଼ିରତ୍ନ, କଟକ ସଭାପତି ଅମରେଶ ପାତ୍ର,ନବରଙ୍ଗପୁର ସଭାପତି ପୁରୁଷୋତ୍ତମ ପୂଜାରୀ, ଜୁନାଗଡ଼ ବ୍ଲକ୍ ସଭାପତି ନୀଳମଣି ପୁଞ୍ଜି, ଯୁବନେତା ଟଙ୍କଧର ଦାସ,ସନ୍ତୋଷ ବାଗ, ମହିଳା ନେତ୍ରୀ ଶାନ୍ତିଲତା ଶତପଥୀ ଓ ଅନେକ କର୍ମୀ ଯୋଗ ଦେଇଥିଲେ।





