ମାଟି ଖସି ମରଣଯନ୍ତା ପାଲଟିଲା ଲାଞ୍ଜିଗଡ଼-ଜଗନ୍ନାଥପୁର ରାସ୍ତା, ଚାଷ ଜମି ଜଳମଗ୍ନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଲାଞ୍ଜିଗଡ଼ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗୁରୁବାର ସକାଳୁ ପ୍ରବଳ ବର୍ଷା ଯୋଗୁଁ ବ୍ଲକର ବିଭିନ୍ନ ରାସ୍ତାଘାଟ ନଷ୍ଟ ହୋଇଥିବା ବେଳେ ଚାଷଜମିରେ ପାଣି ଭର୍ତ୍ତି ହୋଇ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। କିଛି ଦିନ ତଳେ ଲାଞ୍ଜିଗଡ଼-ବନ୍ଧପାରି ରାସ୍ତାର ଦୁଇ ପାର୍ଶ୍ୱରେ ମାଟି ଅତଡ଼ା ଖସି ଯାନବାହନ ବିପଦସଙ୍କୁଳ ଭାବେ ଚଳାଚଳ କରୁଥିବା ବେଳେ ଏବେ ଲାଞ୍ଜିଗଡ଼ ଠାରୁ ଜଗନ୍ନାଥପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବଂଶଧାରା ନଦୀ ପୋଲ ପାଖରେ ବଡ଼ ବିପଦ ଦେଖାଦେଇଛି। ଏଠାରେ ରାସ୍ତା କଡ଼ରେ ଏକ ବିରାଟ ଖାଇ ସୃଷ୍ଟି ହୋଇଛି, ରାସ୍ତାର ତଳପଟ ସୁଡ଼ଙ୍ଗ ଭଳି ହୋଇଯାଇଛି। ରାସ୍ତାଟି କେତେବେଳେ ଦବିଯିବ ତାହା କହି ହେବ ନାହିଁ। ଏହି ରାସ୍ତା ଦେଇ ତ୍ରିଲୋଚନପୁର, ବିଜେପୁର ତଥା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକକୁ ସିଧାସଳଖ ଯୋଗାଯୋଗ ରହିଛି। ଏହାସହ ବେଦାନ୍ତ ଲିମିଟେଡର ଷ୍ଟାଫ କଲୋନୀ, ବେଦାନ୍ତ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଏହି ବାଟ ଦେଇ ଯିବାକୁ ପଡେ। ରାସ୍ତା କଡ଼ରେ ଖାଇ ବଢ଼ି ଧିରେ ଧିରେ ରାସ୍ତାକୁ ଖାଇଯାଉଥିବାରୁ ଚାରିଚକିଆ ଯାନ, ଭାରୀ ଯାନ ଓ ସ୍କୁଲ ବସ ଯାତାୟତରେ ବଡ଼ ସମସ୍ୟା ଦେଖାଦେଇଛି। ବିପଦଶଙ୍କୁଳ ଏହି ରାସ୍ତା ବିପଦକୁ ହାତ ଠାରି ଡାକୁଥିବା ବେଳେ ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।





